ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା ଆସନରେ ଏବେ ନିର୍ବାଚନୀ ବାତାବରଣ ବେଶ୍ ରୋଚକ ମୋଡ଼ ନେଇଛି। ଏହି ଆସନର ସବୁଠରୁ ଚର୍ଚ୍ଚିତ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ମୋଦୀ ଥିବାରୁ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ଏହି କାରଣରୁ ଅନେକ ବ୍ୟକ୍ତି ଏବେ ବାରଣାସୀକୁ ବିରୋଧ ଓ ପ୍ରତିବାଦର କ୍ଷେତ୍ର ଭାବେ ଗ୍ରହଣ କରିଛନ୍ତି। କେହି ସରକାରଙ୍କ ନୀତିକୁ ବିରୋଧ କରି ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେଉଥିବା ବେଳେ ଆଉ କେହି ମୋଦୀଙ୍କୁ ସିଧାସଳଖ ବିରୋଧ କରି ଚର୍ଚ୍ଚାରେ ରହିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଆସନରେ ମୋଦୀଙ୍କ ବିରୋଧରେ ଏବେ ପୂର୍ବ ଯବାନ, ୧୧୧ ଜଣ କୃଷକ ଏବଂ ଜଣେ ପୂର୍ବ ବିଚାରପତି ମଇଦାନରେ ଅଛନ୍ତି। ୨୦୧୪ରେ ମୋଦୀ ଏଠାରୁ ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିଲେ। ଏହି ଆସନରୁ ସେତେବେଳେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଲଢ଼ି ଚର୍ଚ୍ଚାରେ ଥିଲେ। ଏଥର ବିଭିନ୍ନ କାରଣରୁ ପ୍ରାର୍ଥୀଙ୍କ ଭିଡ଼ ଏବଂ ସେମାନଙ୍କ ପ୍ରତିଦ୍ବନ୍ଦ୍ବିତାର ଉଦ୍ଦେଶ୍ୟ ନିର୍ବାଚନୀ ବାତାବରଣକୁ ଉଷ୍ମ କରିଦେଇଛି। କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ସି ଏସ୍ କର୍ଣ୍ଣନ ମଧ୍ୟ ବାରଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରି ଏଠାରେ ଡେରା ପକାଇଛନ୍ତି। କର୍ଣ୍ଣନଙ୍କୁ ସୁପ୍ରିମ୍ କୋର୍ଟ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଥିଲେ। ସେ ୨୦୧୭ରେ ୬ ମାସ ପାଇଁ ଜେଲ୍ ଦଣ୍ଡ ଭୋଗିଥିଲେ। ଏବେ କର୍ଣ୍ଣନ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଥିବା କହିଛନ୍ତି। ସେ ୨୦୧୮ରେ ‘ଆଣ୍ଟି କରପ୍ସନ ଡାଇନାମିକ୍ ପାର୍ଟି’ ନାମକ ଏକ ଦଳ ଗଠନ କରିଥିଲେ। ସେ କେନ୍ଦ୍ରୀୟ ଚେନ୍ନାଇ ଆସନରୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବାରଣାସୀ ଆସନରୁ ଆଉ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ହେଲେ ପୂର୍ବ ଯବାନ ତେଜ ବାହାଦୁର। ବିଏସ୍ଏଫ୍ କନେଷ୍ଟବଳ ଥିବା ତେଜ ବାହାଦୁର ଯାଦବ ଯବାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ଖରାପ୍ ବୋଲି ଅଭିଯୋଗ ଆଣି ଏହାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହା ଭାଇରାଲ ହେବାପରେ କୋର୍ଟ ଅଫ୍ ଏନ୍କ୍ବାରି ପରେ ତାଙ୍କୁ ସେନାରୁ ବହିଷ୍କାର କରାଯାଇଥିଲା। ଏବେ ସେ ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଯବାନଙ୍କ ସମସ୍ୟା ସଂପର୍କରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
/sambad/media/post_attachments/wp-content/uploads/2019/04/justice.jpg)
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ତାମିଲନାଡ଼ରୁ ୧୧୧ ଜଣ କୃଷକ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ବାରଣାସୀରେ ଡେରା ପକାଇବା ଚର୍ଚ୍ଚାର ପ୍ରସଙ୍ଗ ପାଲିଛି। ରାଜ୍ୟରେ କୃଷକଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ପୂରଣ କରିନଥିବାରୁ ଏହାର ପ୍ରତିବାଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଆଉ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ହେଲେ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଦଳିତ ଯୁବକଙ୍କ ସମର୍ଥନରେ ସେ ମୋଦୀଙ୍କୁ ହରାଇବେ ବୋଲି ଘୋଷଣା କରିଛନ୍ତି। ବିଜେପି ଦଳିତଙ୍କ ପ୍ରତି ସର୍ବଦା ଅନ୍ୟାୟ କରିଆସିଛି ବୋଲି ଚନ୍ଦ୍ରଶେଖର ଅଭିଯୋଗ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/05farmers.jpg)