ଇସଲାମାବାଦ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ବିଜୟ ପାକିସ୍ତାନରେ ଭୟ ସୃଷ୍ଟି କରିଛି। ମୋଦୀ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଏହା ପାକିସ୍ତାନର ନେତା, ଗଣମାଧ୍ୟମ ଏବଂ ଜନସାଧାରଣ ଚାହୁନଥିଲେ। ବାଲାକୋଟ୍ରେ ବିମାନ ଆକ୍ରମଣ ହେବା ପରଠାରୁ ମୋଦୀଙ୍କ ପ୍ରତି ପାକିସ୍ତାନର ତିକ୍ତ ଭାବନା ବଢ଼ିଥିଲା। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପାକ୍ ଗଣମାଧ୍ୟମରେ ଅନେକ ନେତା ନିଜ ମତ ରଖି ମୋଦୀଙ୍କୁ ବିରୋଧ କରି କଡ଼ା ବୟାନ ଦେଉଥିଲେ। ଏପରିକି ଏକ୍ଜିଟ୍ ପୋଲ୍ ଆସିବାପରେ ମଧ୍ୟ ମୋଦୀଙ୍କୁ ଗୁଗ୍ଲରେ ଭାରତ ଅପେକ୍ଷା ପାକିସ୍ତାନରେ ଅଧିକ ସର୍ଚ୍ଚ କରାଯାଇଥିଲା। ମୋଦୀଙ୍କ ବିଜୟ ନେଇ ପାକ୍ ଗଣମାଧ୍ୟମରେ ଛନ୍କା ପଶିଯାଇଥିଲା। ତେବେ ସର୍ବୋପରି ମୋଦୀଙ୍କ ବିଜୟକୁ ପାକିସ୍ତାନ ଆଦୌ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିନାହିଁ। ପାକ୍ ଗଣମାଧ୍ୟମରେ ମୋଦୀଙ୍କ ବିଜୟ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସେଥି ମଧ୍ୟରୁ ପାକିସ୍ତାନର ଏକ ପ୍ରମୁଖ ଦୈନିକ ଖବରକାଗଜ ‘ଡନ୍’ର ଏକ ରିପୋର୍ଟରେ କୁହାଯାଇଛି, ୨୦୧୯ ଲୋକସଭା ନିର୍ବାଚନରେ ମୋଦୀଙ୍କ ଭୋଟ୍ ବ୍ୟାଙ୍କ୍ ବିଫଳ ହେବ ବୋଲି ନିର୍ବାଚନୀ ପଣ୍ଡିତମାନେ ଆକଳନ କରିଥିଲେ। କିନ୍ତୁ ଉଗ୍ର ଜାତୀୟତାବାଦ ଏବଂ ପାକ୍ ବିରୋଧୀ ମାନସିକତାକୁ ଆଧାର କରି ମୋଦୀ ଏହି ନିର୍ବାଚନୀ ବୈତରଣୀ ପାରି ହେବାରେ ସକ୍ଷମ ହୋଇଛନ୍ତି ଏବଂ ପୁଣିଥରେ ବିପୁଳ ବିଜୟ ହାସଲ କରି ସେ ପରବର୍ତ୍ତୀ ୫ ବର୍ଷ କ୍ଷମତା ଅକ୍ତିଆର କରିବାକୁ ଯାଉଛନ୍ତି।
ଏହି ରିପୋର୍ଟରେ କୁହାଯାଇଛି। ଭାରତରେ ଲୋକସଭା ନିର୍ବାଚନ ଫଳାଫଳ ଖୁବ୍ ଆଶ୍ଚର୍ଯ୍ୟଜନକ। କିନ୍ତୁ ନିର୍ବାଚନରେ ସାମ୍ପ୍ରଦାୟିକ ଘୃଣା ରାଜନୀତିକୁ ବ୍ୟବହାର କରି ଭୋଟରମାନଙ୍କୁ ଲୋଭାନ୍ବିତ କରିବା ଚିନ୍ତାଜନକ। ଲୋକସଭା ନିର୍ବାଚନ ପାଇଁ ମୋଦୀ ତାଙ୍କ ସମସ୍ତ ନିର୍ବାଚନୀ ପ୍ରଚାରରେ ମୁସଲିମ୍ ବିରୋଧୀ ଏବଂ ପାକ୍ ବିରୋଧୀ ବୟାନ ଦେଇଥିଲେ। ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରି ମୋଦୀ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଅସନ୍ତୋଷକୁ ପାଥେୟ କରି ଭୋଟର୍ମାନଙ୍କ ମନ ଜିଣିବାପାଇଁ ଚେଷ୍ଟା କରିଥିଲେ। ବାଲାକୋଟ୍ ବିମାନ ଆକ୍ରମଣକୁ ପାଥେୟ କରି ମଧ୍ୟ ମୋଦୀ ଭାରତର ସମସ୍ତ ବିରୋଧୀ ଦଳମାନଙ୍କୁ ମାତ୍ ଦେବାରେ ସଫଳ ହୋଇଛନ୍ତି ବୋଲି ଡନ୍ ଏକ ସଂପାଦକୀୟରେ ମଧ୍ୟ କହିଛନ୍ତି। ବାଲାକୋଟ୍ ବିମାନ ଆକ୍ରମଣକୁ ଆଧାର କରି ମୋଦୀ ରାଷ୍ଟ୍ରବାଦ ଭାବନାକୁ ଜାଗ୍ରତ କରାଇଥିଲେ। କିନ୍ତୁ ଏବେ ନିର୍ବାଚନ ସରିଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ଆଗକୁ ନେବାର ସମୟ ଆସିଛି ବୋଲି ‘ଡନ୍’ କହିଛି। ତେବେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପାଇଁ ସକାରାତ୍ମକ ଭାବନା ଜାଗ୍ରତ ହେବାର ଥିଲେ ମଧ୍ୟ ଭାରତର ପୂର୍ବ ରେକର୍ଡ କହୁଛି ଯେ ଏହା ଆଦୌ ଶାନ୍ତି ଆଲୋଚନା ଚାହେନା। ଏପରିକି ପୁଲୱାମା ଆକ୍ରମଣ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରତାରପୁର ଉତ୍ସବରେ ଜଣେ ଭାରତୀୟ ପ୍ରତିନିଧିଙ୍କୁ ଡାକିଥିଲେ। ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ କିନ୍ତୁ ଏଥିରେ ଉପସ୍ଥିତ ରହିନଥିଲେ। ପାକିସ୍ତାନରେ ସାର୍କ ସମ୍ମିଳନୀକୁ ମଧ୍ୟ ସ୍ବରାଜ ଖଣ୍ଡନ କରିଥିଲେ। ତେବେ ଇମ୍ରାନ୍ ଖାନ୍ କ୍ଷମତାକୁ ଆସିବା ପରଠାରୁ ଭାରତ ସହ କଥାବାର୍ତ୍ତା ପାଇଁ ସେ ଅନେକ ଥର ପ୍ରସ୍ତାବ ଦେଇଛନ୍ତ। ଶାନ୍ତି ଆଲୋଚନା ପାଇଁ ସୁଯୋଗ ଦେବାକୁ ସେ ମୋଦୀଙ୍କୁ ଅନେକ ଥର କହିଛନ୍ତି କିନ୍ତୁ ବାରମ୍ବାର ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଇମ୍ରାନ୍ ମଧ୍ୟ ନିର୍ବାଚନ ପୂର୍ବରୁ ପାକ୍ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ମୋଦୀ ପୁଣିଥରେ କ୍ଷମତାକୁ ଆସିଲେ ଭାରତ ସହ ଶାନ୍ତି କଥାବାର୍ତ୍ତା ସମ୍ଭବ। ତେବେ ଭାରତର ବ୍ୟବହାରରେ ପରିବର୍ତ୍ତନ ହେବା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ଡନ୍ରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Dawn-1.jpg)