ପାଳଲହଡ଼ା ପାଇଁ କସରତ : ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତିକୁ ନଜର

ପାଳଲହଡ଼ା,(ରଘୁନନ୍ଦନ ଆଚାର୍ଯ୍ୟ): ପାଳଲହଡ଼ା ବିଧାନସଭା କ୍ଷେତ୍ର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କ˚ଗ୍ରେସର ଟିକେଟ ଆଶାୟୀମାନେ ନିର୍ବାଚନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ପାଳଲହଡ଼ା ହେଉଛି ଧର୍ମେନ୍ଦ୍ରଙ୍କ ନିଜ ନିର୍ବାଚନମଣ୍ଡଳୀ। ୨୦୦୦ ନିର୍ବାଚନରେ ସେ ଏଠାରୁ ନିର୍ବାଚିତ ହୋଇ ପ୍ରଥମ ଥର ବିଧାନସଭାକୁ ଯାଇଥିଲେ।

୨୦୦୯ ନିର୍ବାଚନରେ କିନ୍ତୁ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କଠାରୁ ମାତ୍ର ୫,୧୬୭ ଭୋଟରେ ଧର୍ମେନ୍ଦ୍ର ପ୍ରଧାନ ପରାଜିତ ହୋଇଥିଲେ। ଶ୍ରୀ ପାଣିଙ୍କୁ ୪୦,୯୮୦ଟି ଭୋଟ ମିଳିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ୩୫,୫୧୩ଟି ଭୋଟ ପାଇଥିଲେ। ପାଳଲହଡ଼ା ବ୍ଲକର ୨୬ଟି ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତକୁ ‌ନେଇ ଗଠିତ ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ବିଜେପିର ତିନିଥରିଆ ତାଳଚେର ବିଧାୟକ ମହେଶ ସାହୁ ବିଜେଡି ଟିକେଟରେ ପାଳଲହଡ଼ାରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ। ମହେଶ ୪୪,୨୬୪ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ୩୮,୯୭୦ଟି ଭୋଟ ମିଳିଥିଲା। କ˚ଗ୍ରେସ ପ୍ରାର୍ଥୀ ସୁବୋଧ ପାଣି ମାତ୍ର ୧୮,୪୮୭ଟି ଭୋଟ ପାଇଥିଲେ।

ଗତ ପ˚ଚାୟତ ନିର୍ବାଚନରେ ପାଳଲହଡ଼ା ବିଧାନସଭା କ୍ଷେତ୍ରର ୫ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ବିଜେପି ଖାତାକୁ ଯାଇଥିବା ବେଳେ ୨ଟି ପଞ୍ଚାୟତ ସମିତି ଅଧୢକ୍ଷ ପଦ ମଧୢ ବିଜେପି ଅକ୍ତିଆର କରିଛି। ବର୍ତ୍ତମାନର ବିଧାୟକ ତଥା ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧୢକ୍ଷ ମହେଶ ସାହୁଙ୍କୁ ପୁନର୍ବାର ବିଜେଡି ଏଠାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ନିକଟରେ କେତେକ ଦଳୀୟ ନେତା ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଦେଖାଯାଇଥିଲା। ତେବେ ଭାଇରାଲ ହୋଇଥିବା ଏକ ଅଡ଼ିଓ କ୍ଲିପରେ ଅନୁଗୁଳ ଜିଲ୍ଲାର ୫ଜଣ ବିଧାୟକଙ୍କ ମଧ୍ୟରୁ ଟିକେଟ ପାଇବା କ୍ଷେତ୍ରରେ କେବଳ ମହେଶଙ୍କ ସ୍ଥିତି ସୁଦୃଢ଼ ଥିବା ଦର୍ଶାଯାଇଥିଲା।

ପୂବର୍ତନ ବିଧାୟକ ରବିନାରାୟଣ ପାଣି, ଜଗମୋହନ ପ୍ରଧାନ, ସୁଦର୍ଶନ ବେହେରା, ଇଂ. ସନ୍ଦୀପ ପ୍ରଧାନଙ୍କ ସମେତ ରେଙ୍ଗାଳି ବିସ୍ଥାପିତ ପ୍ରଜାସଂଘର ଉପଦେଷ୍ଟା ଡ. ସନ୍ତୋଷ ଦେହୁରୀ ମଧ୍ୟ ବିଜେଡି ଟିକେଟ ପାଇଁ ଲବି ଚଳାଇଛନ୍ତି। ‌ତେବେ ପାଳଲହଡ଼ା ବିଧାନସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଏଥର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚା ଜୋର୍ ଧରିଛି। ଧର୍ମେନ୍ଦ୍ର ନିଜେ କିନ୍ତୁ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଯଦି ଧର୍ମେନ୍ଦ୍ର ଏଠାରୁ ପ୍ରାର୍ଥୀ ହୁଅନ୍ତି, ତାହେଲେ ଲଢ଼େଇ ଟିକିଏ ଅଲଗା ହେବ। ଅନ୍ୟ ଦଳ ମଧ୍ୟ ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରାଇବେ ବୋଲି ଆକଳନ କରାଯାଉଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି   ମହେଶ ସାହୁ      ୪୪୨୬୪
ବିଜେପି   ଅଶୋକ ମହାନ୍ତି   ୩୮୯୭୦
କଂଗ୍ରେସ  ସୁବୋଧ ପାଣି    ୧୮୪୮୭

ତେବେ ପାଳଲହଡ଼ା ପ˚ଚାୟତ ସମିତି ଅଧୢକ୍ଷ ଯୁବନେତା ମୁକେଶ କୁମାର ପାଳ ଓ ଅଶୋକ ମହାନ୍ତି ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି। ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସ୍କିନିଂ ପରେ ସୁବୋଧ ପାଣି ଓ ସୁବ୍ରତ ଗଡ଼ନାୟକଙ୍କ ନାମ ଏଆଇସିସିକୁ ସୁପାରିସ କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ସାମଲ ଟିକେଟ ପାଇଁ ଆଶାବାଦୀ ରହିଛନ୍ତି।

ଅପରପକ୍ଷରେ ଉଭୟ ପୁରୁଣା ଓ ନୂଆ ପାଳଲହଡ଼ା ବିଧାନସଭା ‌କ୍ଷେତ୍ରରେ ପ୍ରାୟତଃ ବାହାର ଅଂଚଳର ନେତା ପ୍ରାର୍ଥୀ ହୋଇ ନିର୍ବାଚିତ ହେଉଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରୁ ଯେଉଁ ଦଳ ଏହି ମାଟିର ପୁଅକୁ ଟିକେଟ ଦେବ, ସେହି ଦଳର ପଲା ଭାରି ରହିବ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର