୯ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ଶେଷ

ଭୁବନେଶ୍ବର:  ଆଜି ୯ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ବଣାଇ ବିଧାନସଭାରେ ବୁଥ୍ ନମ୍ବର ୧୨୯ ଓ ସୁନ୍ଦରଗଡ଼ ବିଧାନସଭାର ବୁଥ୍ ନମ୍ବର ୨୧୩ରେ ୭୦.୫% ମତଦାନ ହୋଇଛି। କନ୍ଧମାଳ ଲୋକସଭା  ଆସନ ଅଧୀନରେ ଆସୁଥିବା ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୧୦ ଓ ୨୨୨ରେ ୬୮.୧୫% ମତଦାନ ହୋଇଛି। ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ପଦ୍ମପୁର ବିଧାନସଭା ଆସନ ପାଇଁ ସାନି ମତଦାନ ହୋଇଥିବା ବୁଥ୍ ନମ୍ବର ୧୬, ବରଗଡ଼ ବିଧାନସଭା ଅଂଶର ବୁଥ୍ ନମ୍ବର ୬୮ ଓ ଅତାବିରା ବିଧାନସଭା ପାଇଁ ବୁଥ୍ ନମ୍ବର ୨୩୫ରେ ୭୩.୮% ମତଦାନ ହୋଇଛି। ସେହିପରି ବ୍ରଜରାଜନଗନର ବିିଧାନସଭା ପାଇଁ ସାନି ମତଦାନ ହୋଇଥିବା ବୁଥ୍ ନମ୍ବର ୨୫୪ରେ ୭୭.୯୩% ଭୋଟ ଗ୍ରହଣ ହୋଇଥିବାବେଳେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ସୋରଡ଼ା ବିଧାନସଭାମଣ୍ଡଳୀ ପାଇଁ ବୁଥ୍ ନମ୍ବର ୧୮୨ରେ ୭୯.୦୩%  ମତଦାନ ହୋଇଛି।

ପ୍ରକାଶଥାଉକି, ରାଜ୍ୟରେ ଗତ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ୭ଟି ବୁଥରେ ତ୍ରୁଟିପୂର୍ଣ୍ଣ ଭାବେ ଭିଭିପାଟ୍ ମେସିନ ସଂଯୋଗ କରାଯାଇଥିବାରୁ ସଂପୃକ୍ତ ବୁଥରେ ଭୋଟଦାନକୁ ସ୍ଥଗିତ ରଖାଯାଇ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଥିଲା। ଏହାସହିତ ସୋରଡ଼ା ବିଧାନସଭା ପାଇଁ ବୁଥ୍ ନମ୍ବର ୧୮୨ରେ ବିଜେପି ପ୍ରାର୍ଥୀ ନୀଳମଣୀ ବିଷୋୟୀଙ୍କ ଦ୍ବାରା ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭଙ୍ଗାଯିବା ଓ ବ୍ରଜରାଜନଗର ବୁଥ ନମ୍ବର ୨୫୪ରେ ମତଦାନ ବେଳେ ତ୍ରୁଟିପୂର୍ଣ୍ଣ ବ୍ୟାଲେଟ୍ ୟୁନିଟକୁ କେବଳ ବଦଳାଯିବା ଯୋଗୁଁ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିସନଙ୍କୁ ସୁପାରିସ କରିଥିଲେ। ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ୧୪ ଜଣ ପୋଲିଂ ଓ ସେକ୍ଟର ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା

ସମ୍ବନ୍ଧିତ ଖବର