ବିଷାକ୍ତ ନିର୍ବାଚନ ପ୍ରଚାର: ମହାତ୍ମା ଗାନ୍ଧୀଙ୍କୁ ବି ଛାଡ଼ିଲେନି

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ସବୁଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ସର୍ବାଧିକ ଭୋଟର, ସର୍ବାଧିକ ଭୋଟିଂ ମେସିନ ଏବଂ ସବୁଠାରୁ ବେଶି ବ୍ୟୟବହୁଳ। ତେବେ ସାତ ପର୍ଯ୍ୟ‌ାୟର ଭୋଟ ପାଇଁ ୫୦ ଦିନ ଧରି ଚାଲିଥିବା ପ୍ରଚାର ଅଭିଯାନ ଭିନ୍ନ ଦୃଷ୍ଟିରୁ ଚର୍ଚାକୁ ଆସିିଛି। ତାହା ହେଉଛି ନକରାତ୍ମକ ପ୍ରଚାର। ଧମକ, ଘୃଣା ଏବଂ ଆପତ୍ତିଜନକ ମନ୍ତବ୍ୟରେ ଭର୍ତି ‌ଏଭଳି ପ୍ରଚାର ଅଭିଯାନ ଭାରତର ସ୍ବାଧୀନ ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ପ୍ରକୃତ ପ୍ରସଙ୍ଗରୁ ଦୂରେଇ ଯାଇ ବିରୋଧୀଙ୍କୁ ଧମକ ଦେବା ସହିତ ପରସ୍ପର ଉପରେ କାଦୁଅ ଫିଙ୍ଗାରେ ବ୍ୟସ୍ତ ରହିଲେ। ଏପରିକି ‌େସମାନଙ୍କ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟରୁ ମହାତ୍ମା ଗାନ୍ଧୀ ମଧ୍ୟ ବର୍ତି ପାରିନଥିଲେ।

ଆରମ୍ଭରୁ ବ୍ୟକ୍ତିଗତ ଆକ୍ଷେପ ଓ ପ୍ରତ୍ୟାକ୍ଷେପରୁ ଆରମ୍ଭ ହୋଇଥିବ‌ା ଏହି ପ୍ରଚାର ଅଭିଯାନ ପଶ୍ଚିମ ବଙ୍ଗ ରାଜନୀତିରେ ଭୟଙ୍କର ରୂପ ନେଇଥିଲା। ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ଓ ଅରୁଚିକର ବାକ୍ୟବିନିମୟ ପ୍ରଚାର ସ୍ତରକୁ ତଳକୁ ଖସାଇ ଦେଇଥିଲା। ମୋଦୀ ମମତାଙ୍କୁ ‘ସ୍ପୀଡ୍ ବ୍ରେକର ଦିଦି’ କହିଥିବା ବେଳେ ମମତା ମୋଦୀଙ୍କୁ ଏକ୍ସପାୟରୀ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏଭଳି ଅରୁଚିକର ଓ ନିମ୍ନ ସ୍ତରର ବାକ୍ୟ ବିନିମୟ କେ‌େବ ଦେଖିବ‌ାକୁ ମିଳିନଥିଲା। ଶେଷରେ କଥା ଏତେ ଦୂର ଯାଇଥିଲା ଯେ ମମତା ମୋଦୀ ଓ ଅମିତ ଶାହଙ୍କୁ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିଲେ।

ପ୍ରଚାର ବେଳେ ମୋଦୀ ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କୁ ଏକ ନମ୍ବର ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଚୌକିଦାର ଚୋର ହୈ।’ ସଂଖ୍ୟାଲଘୁ ଭୋଟରଙ୍କୁ ଧମକ ଦେଇଥିଲେ ଅମିତ ଶାହ ଏବଂ ମେନକା ଗାନ୍ଧୀ। ଯୋଗୀ ଆଦିତ୍ୟନାଥ ଅଲୀ ବନାମ ବଜରଙ୍ଗବାଲି ବିବାଦ ତିଆରି କରିବା ସହିତ ସଂଖ୍ୟାଲଘୁ ସଂପ୍ରଦାୟକୁ ବିଷ ସହ ତୁଳନା କରିଥିଲେ। ସମାଜବାଦୀ ନେତା ଆଜମ ଖାନ୍ ବିଜେପି ପ୍ରାର୍ଥିନୀ ଜୟପ୍ରଦାଙ୍କ ସଂପର୍କରେ ଖାକି ଅଣ୍ଡରୱେୟାର ଭଳି ଅରୁଚିକର ମନ୍ତବ୍ୟ ଦେଇଥିଲେ। ସେହିଭଳି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସଂଖ୍ୟାଲଘୁ ଭୋଟରଙ୍କୁ ଧମକ ଦେଇଥିଲେ।

ତେବେ ଶେଷ ଆଡ଼କୁ ପ୍ରଚାର ଅଭିଯାନ ସବୁଠାରୁ ବେଶି ବିଷାକ୍ତ ହୋଇଗଲା ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରାଗଲା। ଭୋପାଳ ପାଇଁ ବିଜେପି ପ୍ରାର୍ଥିନୀ ସାଧ୍ବୀ ପ୍ରଜ୍ଞା ଠାକୁର ଏହାର ନେତୃତ୍ବ ନେଇଥିଲେ। ମାଲେଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଞା ଠାକୁର ଜାତିର ପିତାଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ବର୍ଣ୍ଣନା କଲେ। ଏହାପୂର୍ବରୁ ସେ ସହିଦ ଆଇପିଏସ୍ ଅଧିକାରୀ ହେମନ୍ତ କରକରେଙ୍କୁ ଆତଙ୍କବାଦୀ କହିବା ସହିତ ତାଙ୍କର ଅଭିଶାପରେ କର‌କରେଙ୍କ ମୃତ୍ୟୁ ଘଟିଲା ‌ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କ ଦଳର ଆଉ ଜଣେ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ‌େହଗଡେ ଆଉ ପାଦେ ଆଗକୁ ଯାଇ କହିଲେ ଯେ ୭୦ ବର୍ଷ ପରେ ‌ଯେଉଁ ପରିବର୍ତନ ଆସିଛି ତାକୁ ଦେଖିଥିଲେ ଗଡସେ ଖୁସି ହୋଇଥାନ୍ତା। ତେବେ ସବୁ ସୀମା ଟପିଗଲେ ତାଙ୍କ ଦଳର ଆଉ ଜଣେ ନେତା ଅନିଲ ସୌମିତ୍ରା। ସେ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ପିତା ବୋଲି କହିଦେଲେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ‌େଯ ପ୍ରଜ୍ଞାଙ୍କୁ ତାଙ୍କର ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତୀବ୍ର ସମାଲୋଚନା କରି କହିଛନ୍ତି ‌େଯ ସାଧ୍ବୀ ଅକ୍ଷମଣୀୟ ଅପରାଧ କରିଛନ୍ତି। ତାଙ୍କୁ ‌େସ କ୍ଷମା ଦେଇପାରିବେ ନାହିଁ। ଅନ୍ୟପକ୍ଷରେ ବିଜେପି ସଭାପତି ଅମିତ ଶାହ ଭୋପାଳ‌ ନିର୍ବାଚନମଣ୍ଡଳୀରେ ପ୍ରଜ୍ଞାଙ୍କ ପ୍ରାର୍ଥିତ୍ବ ସପକ୍ଷ‌େର ଯୁକ୍ତି କରିଛନ୍ତି ଯେ ଏହା ହେଉଛି ହିନ୍ଦୁ ଆତଙ୍କବାଦ କହୁଥିବା ଶକ୍ତି ବିରୋଧରେ ସତ୍ୟାଗ୍ରହ। ଏହି ପ୍ରସଙ୍ଗରେ ବିଜେପି ଭିତରେ ପ୍ରଧାନମନ୍ତ୍ରୀ ଓ ସଭାପତିଙ୍କର ଏଭଳି ପରସ୍ପରବିରୋଧୀ ମନ୍ତବ୍ୟ କେବଳ ବିଭ୍ରାନ୍ତି ସୃଷ୍ଟି କରିଛି। ରାଜନୈତିକ ପର୍ଯ୍ୟବେକ୍ଷକ ଏହାକୁ ନେଇ ବିସ୍ମୟ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର