ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଅବ୍ୟବହିତ ପୂର୍ବରୁ ଆଜି ବିରୋଧୀ ଦଳମାନେ ସମ୍ଭାବ୍ୟ ସମୀକରଣକୁ ନେଇ ସକ୍ରିୟ ହୋଇଉଠିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଦିନ ତମାମ ବିରୋଧୀ ଦଳ ନେତାମାନଙ୍କ ସହିତ ମନ୍ତ୍ରଣା ଜାରି ରଖିଥିଲେ। ନାଇଡ଼ୁ ପ୍ରଥମେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ଏହାପରେ ନାଇଡ଼ୁ ଲକ୍ଷ୍ନୌ ପହଂଚି ସେଠାରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ସହ ପୃଥକ୍ ଆଲୋଚନା କରିଛନ୍ତ। ନିର୍ବାଚନ ପରବର୍ତ୍ତୀ ମହାମେଣ୍ଟ ସଫଳ ହେଲେ ହିଁ କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିହେବ ବୋଲି ନାଇଡ଼ୁ କହିଛନ୍ତି।
ତୃତୀୟ ସାମ୍ମୁଖ୍ୟ ଗଠନରେ କଂଗ୍ରେସକୁ ବାଦଦେବାକୁ ଯୋଜନା କରି ଆଗକୁ ବଢ଼ୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ମଧ୍ୟ ଏବେ ତାଙ୍କ ଯୋଜନାରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଜେଡିଏସ୍ ମାଧ୍ୟମରେ କଂଗ୍ରେସ ସହ ଆଲୋଚନା ଜାରି ରଖିଛନ୍ତି। ନିକଟରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ କେନ୍ଦ୍ରରୁ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ତୟାର ଅଛି। ତେବେ ପରବର୍ତ୍ତୀ ସମୟରେ ସେ ତାଙ୍କ ବୟାନରୁ ଓହରି ଯାଇଥିଲେ ଏବଂ ସବୁଠାରୁ ବଡ଼ ବିରୋଧୀ ଦଳ ଭାବେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦ ମିଳିବା ଆବଶ୍ୟକ ବୋଲି କହିଥିଲେ।
କେନ୍ଦ୍ରରେ କର୍ଣ୍ଣାଟକ ମଡେଲ ଆଧାରରେ ସରକାର ଗଠନ ଦିଗରେ ଉଭୟ ନାଇଡ଼ୁ ଏବଂ କେସିଆର୍ଙ୍କ ପ୍ରୟାସକୁ ଏନ୍ସିପି ସୁପ୍ରିମୋ ପାୱାରଙ୍କ ସମର୍ଥନ ମିଳିଥିବା କୁହାଯାଉଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସମୟରେ ହିଁ କଂଗ୍ରେସ ଜେଡିଏସ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲା। ଏହାପରେ ଏଚ୍ଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ନିର୍ବାଚନ ପରିଣାମ ଆସିବା ପୂର୍ବରୁ ମାୟାବତୀ ଏବଂ ଅଖିଳେଶ ସେମାନଙ୍କ ରଣନୀତି ପ୍ରଘଟ କରିବେ ନାହିଁ ବୋଲି ଜଣାପଡ଼ିଛି । ତେଣୁ ଆଜି ନାଇଡ଼ୁଙ୍କୁ ଏ ବାବଦରେ ଉଭୟଙ୍କଠାରୁ କୌଣସି ଆଶ୍ବସ୍ତି ମିଳିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/naidu-rahul.jpg)