ବାରଣାସୀରୁ ନ ଲଢ଼ିବା ନେଇ ପ୍ରିୟଙ୍କାଙ୍କ ସଫେଇ

ହାରିବା ଭୟ ନୁହେଁ, ଦାୟିତ୍ବ ହିଁ ମୁଖ୍ୟ କାରଣ

ବାରଣାସୀ: କଂଗ୍ରେସ ସାଧାରଣ ସଂପାଦିକା ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କାହିଁକି ପ୍ରାର୍ଥୀ ହେଲେନାହିଁ ଆଜି ସେ ବାବଦରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ବାରଣାସୀରୁ ଲଢ଼ିବା ନେଇ ବାରମ୍ବାର ଇଚ୍ଛା ଜାହିର କରିଥିବା ପ୍ରିୟଙ୍କା ଭାଇ ତଥା ଦଳ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେଇଥିବା ବେଳେ ଶେଷରେ କଂଗ୍ରେସ ବାରଣାସୀ ଆସନରୁ ଅଜୟ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ପରାଜୟ ଭୟରେ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିନଥିବା ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପ୍ରିୟଙ୍କା କହିଛନ୍ତି, ନିର୍ବାଚନ ଲଢ଼ିବା ପାଇଁ ତାଙ୍କର କୌଣସି ଭୟ ନାହିଁ, କିନ୍ତୁ ତାଙ୍କ ଉପରେ ପୂର୍ବ ଉତ୍ତର ପ୍ରଦେଶର ଗୁରୁ ଦାୟିତ୍ବ ଥିବାରୁ ସେ ପ୍ରାର୍ଥୀ ହେବାରୁ ଓହରି ଯାଇଛନ୍ତି । ଗୋଟିଏ ଆସନରେ ସୀମିତ ରହିବା ସମ୍ଭବ ନଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ଆସନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ବାରଣାସୀ ପାଇଁ ଅଧିକ ସମୟ ଦେବା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ପ୍ରିୟଙ୍କା କହିଛନ୍ତି।

ସୂଚନାଯୋଗ୍ୟ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀରୁ ପ୍ରାର୍ଥୀ ହେବେ ବୋଲି ଅନେକ ବାର କହିଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ଏ ଦିଗରେ ସଙ୍କେତ ଦେଉଥିଲେ। କିନ୍ତୁ ଗତ ୨୬ ତାରିଖ ଦିନ ଦଳ ହଠାତ ନିଷ୍ପତ୍ତି ବଦଳାଇ ଅଜୟ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଅଜୟ ୨୦୧୪ ନିର୍ବାଚନରେ ବାରାଣାସୀରେ ତୃତୀୟ ସ୍ଥାନରେ ରହିଥିଲେ ଏବଂ ତାଙ୍କୁ ମାତ୍ର ୭୫ ହଜାର ଭୋଟ୍‌ ମିଳିଥିଲା। ଦ୍ବିତୀୟ ସ୍ଥାନରେ ଥିବା ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୨ ଲକ୍ଷ ୯ ହଜାର ଭୋଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର