ବାରଣାସୀରୁ ନିର୍ବାଚନ ନ ଲଢ଼ିବା ପ୍ରିୟଙ୍କାଙ୍କ ନିଷ୍ପତ୍ତି: ସାମ୍‌ ପିଟ୍ରୋଡ଼ା

କଂଗ୍ରେସ ଭୟରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କଲାନାହିଁ, ବାବା ରାମଦେବ

ଲ‌‌କ୍ଷ୍ନୌ: ସବୁ କଳ୍ପନାର ଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସ ଗତକାଲି ଉତ୍ତରପ୍ରଦେଶର ବାରଣାସୀ ଆସନରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ି‌ବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହ‌ି ଗୁରୁତ୍ବପୂର୍ଣ୍ଣ ଆସନରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ତେବେ ପୂର୍ବରୁ ପ୍ରିୟଙ୍କାଙ୍କ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଆଲୋଚନା ଜୋରଦାର ହୋଇଥିବାରୁ ଏବେ ସେ ଏଥିରୁ ଓହରିଯିବା ବିଷୟକୁ ନେଇ ଦଳ ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହେଉଛି। କଂଗ୍ରେସ ଆଜି ସ୍ପଷ୍ଟ କରିଛି ଯେ ବାରଣାସୀ ଆସନରୁ ପ୍ରିୟଙ୍କା ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ସେ ନିଜେ ହିଁ ନେଇଛନ୍ତି। ଏଥିରେ ଦଳର କିଛି ସମ୍ପୃକ୍ତି ନାହିଁ। ପ୍ରିୟଙ୍କାଙ୍କ ଅନ୍ୟ ଦାୟିତ୍ବ ଥିବାରୁ ସେ କେବଳ ଗୋଟିଏ ଆସନରେ ଫୋକସ୍‌ କରିବାକୁ ଚାହିଲେ ନାହିଁ। ଦଳ ପକ୍ଷରୁ ତାଙ୍କୁ ମିଳିଥିବା ଅନ୍ୟ ଦାୟିତ୍ବଗୁଡ଼ିକୁ ସୁଚାରୁ ରୂପେ ତୁଲାଇବାପାଇଁ ପ୍ରିୟଙ୍କା ବାରଣାସୀ ଆସନରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡ଼ା କହିଛନ୍ତି। କଂଗ୍ରେସ କର୍ମୀମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ବାରଣାସୀ କିମ୍ବା ଆହ୍ଲାବାଦ୍‌ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହିଥିଲେ। କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତ୍ତି ତାଙ୍କ ଭାଇ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡ଼ି ଦେଇଥିଲେ।

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର ଆରମ୍ଭରୁ ହିଁ ଶେଷ ହୋଇଯିବା ଭୟରେ କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣାସୀରୁ ପ୍ରାର୍ଥୀ କରିନାହିଁ। ଦେଶର ଚୌକିଦାର ଚୋର ନୁହନ୍ତି ସେ ଅତ୍ୟନ୍ତ ସ୍ବଚ୍ଛ ବୋଲି ଦର୍ଶାଇ ରାମଦେବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ଅପପ୍ରଚାର ଧରାପଡ଼ିଯାଇଛି। ବିଜେପିର ଇସ୍ତାହାରକୁ ସମର୍ଥନ କରି ବାବା କହିଛନ୍ତି ଯେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଇଥିବା ଧାରା ୩୭୦ ଉଚ୍ଛେଦ ହେବା ଜରୁରୀ।

ସମ୍ବନ୍ଧିତ ଖବର