ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବା ନେଇ ଦ୍ବନ୍ଦ୍ବ ଜାରି ରହିଥିବାବେଳେ ଆଜି ଏବାବଦରେ ଆଉ ଏକ ରୋଚକ ଖବର ମିଳିଛି। ପ୍ରିୟଙ୍କା ବାରଣାସୀ ନୁହେଁ ଉତ୍ତରପ୍ରଦେଶର ଐତିହ୍ୟ ସହର ଆହ୍ଲାବାଦ୍ରୁ ନିର୍ବାଚନ ଲଢ଼ିପାରନ୍ତି। ଗତବର୍ଷ ଏହି ଐତିହ୍ୟ ସହର ଆହ୍ଲାବାଦ୍ର ନାମ ପରିବର୍ତ୍ତନ ହୋଇ ପ୍ରୟାଗରାଜ ରଖାଯାଇଛି। ଜଣାପଡ଼ିଛି ଯେ ପ୍ରିୟଙ୍କାଙ୍କ ଜଣେ ଘନିଷ୍ଠ ସହଯୋଗୀ ତାଙ୍କୁ ଏହି ଆସନରୁ ନିର୍ବାଚନ ଲଢ଼ିବାପାଇଁ ଉପଦେଶ ଦେଇଛନ୍ତି। ପ୍ରିୟଙ୍କା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ କି ନା’ ତାହା ଏଯାବତ୍ ସ୍ପଷ୍ଟ ହୋଇନଥିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢ଼ିବେ ବୋଲି ଆରମ୍ଭରୁ ଚର୍ଚ୍ଚା ହୋଇ ଆସୁଛି। ଗତକାଲି ମଧ୍ୟ ପ୍ରିୟଙ୍କା କହିଥିଲେ ଯେ ଭାଇ ଚାହିଲେ ସେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ତେବେ ଆହ୍ଲାବାଦ୍ରେ ପାରମ୍ପରିକ ଭାବେ କଂଗ୍ରେସର ସ୍ଥିତି ମଜବୁତ୍ ଥିବାରୁ ପ୍ରିୟଙ୍କାଙ୍କୁ ଏହି ଆସନରୁ ନିର୍ବାଚନ ଲଢ଼ିବାପାଇଁ ପରାମର୍ଶ ଦିଆଯାଇଛି। ବରିଷ୍ଠ ନେତାଗଣ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ , ଲାଲ ବାହାଦୁର ଶାସ୍ତ୍ରୀ, ବିଜୟ ଲକ୍ଷ୍ମୀ ପଣ୍ଡିତ ଏବଂ ଭିପି ସିଂହ ଆହ୍ଲାବାଦ୍ ଏବଂ ପଡ଼ୋଶୀ ଫୁଲପୁରକୁ କଂଗ୍ରେସ ତରଫରୁ ପ୍ରତିନିଧିତ୍ବ କରିଥିଲେ। ତେଣୁ ଏହି ଆସନରୁ ପ୍ରିୟଙ୍କା ପ୍ରାର୍ଥିପତ୍ର ଦାଖଲ କଲେ ସମଗ୍ର ପୂର୍ବାଞ୍ଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ଦଳର କିଛି ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। କିନ୍ତୁ ପ୍ରିୟଙ୍କା କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେ ବାବଦରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଆହ୍ଲାବାଦ୍ରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା
/sambad/media/post_attachments/wp-content/uploads/2019/04/1555842827-Priyanka_Gandhi_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)