କୋଲକାତା: ହିଂସାଗ୍ରସ୍ତ ପଶ୍ଚିମବଂଗରେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସତ୍ତ୍ବେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଡାଏମଣ୍ଡ ହାର୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିଳଞ୍ଜନ ରାୟଙ୍କ କାର୍ ଉପରେ ଟିଏମ୍ସି କର୍ମୀମାନେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। ପଶ୍ଚିମବଂଗରେ ସମସ୍ତ ୭ଟି ପର୍ଯ୍ୟାୟ ନିର୍ବାଚନରେ ହିଂସା ଦେଖିବାକୁ ମିଳିଥିବା ବେଳେ ଆଜି ୨୦ରୁ ଅଧିକ ସ୍ଥାନରେ ବିଜେପି ଏବଂ ଟିଏମ୍ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଯାଦବପୁର ଏବଂ ବସିର୍ହାଟରେ ଟିଏମ୍ସି ସମର୍ଥକମାନେ କେତେକ ବୁଥ୍ ଜବରଦଖଲ କରିଥିବା ବିଜେପି ଅଭିଯୋଗ କରିଛି। ଟିଏମ୍ସି କର୍ମୀମାନେ ପରାଜୟକୁ ଦେଖି ହତାଶାରେ ବିଜେପି ନେତା ଓ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ନେତାମାନେ ଭେଟି ଆଜି ଟିଏମ୍ସି କର୍ମୀଙ୍କ ଦ୍ବାରା କରାଯାଇଥିବା ହିଂସାର ବିବରଣୀ ଦାଖଲ କରିବା ସହ ବୁଥ୍ ଜବରଦଖଲ ମାମଲାର ତଦନ୍ତ କରି ସାନି ମତଦାନ ପାଇଁ ମଧ୍ୟ ଦାବି କରାଯାଇଛି। ଯାଦବପୁରରେ ବିଜେପି ମଣ୍ଡଳ ସଭାପତିଙ୍କୁ ଟିଏମ୍ସି କର୍ମୀମାନେ ମାର୍ପିଟ କରିଥିବା ଅଭିଯୋଗ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିର୍ବାଚନ ପରିଣାମ ଟିଏମ୍ସି ବିରୋଧରେ ଗଲେ ଏହା ନରସଂହାର ଘଟାଇପାରେ। ନିର୍ବାଚନ ପରିଣାମ ଆସିବା ପର୍ଯ୍ୟନ୍ତ ପଶ୍ଚିମବଂଗରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ଜାରି ରଖିବାକୁ ସୀତାରାମଣ ଗୁରୁତ୍ବାରୋପ କରିଛନ୍ତି। ଟିଏମ୍ସି କର୍ମୀମାନେ ରକ୍ତମୁଖା ହୋଇ ରହିଥିବାରୁ ଏ ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ ଜରୁରୀ ବୋଲି ସୀତାରମଣ କହିଛନ୍ତି। ଦୀର୍ଘ ୫୦ ଦିନ ଧରି ଚାଲିଥିବା ମାରାଥନ୍ ପ୍ରଚାରରେ ୨ ଶହରୁ ଅଧିକ ସ୍ଥାନରେ ବିଜେପି-ଟିଏମ୍ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ବ୍ୟାପକ ଭଂଗାରୁଜା ମଧ୍ୟ ହୋଇଛି।
ପଶ୍ଚିମବଂଗରେ ବ୍ୟାପକ ହିଂସା
/sambad/media/post_attachments/wp-content/uploads/2019/05/Violence_bengal.jpg)