ଆମେଥିରେ ରାହୁଲଙ୍କ ପ୍ରାର୍ଥିପତ୍ର କାଏମ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ୱାୟନାଡ଼ରୁ ଲୋକସଭା ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ଆମେଥି ଆସନରେ ଆଶ୍ବସ୍ତି ମିଳିଛି। ଆମେଥି ନିର୍ବାଚନ ଅଧିକାରୀ ରାମ ମନୋହର ମିଶ୍ର ଆଜି ରାହୁଲଙ୍କ ପ୍ରାର୍ଥିପତ୍ରକୁ ବୈଧ ଘୋଷଣା କରିଛନ୍ତି। ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତରେ ବିସଙ୍ଗତି ଥିବା ନେଇ ହୋଇଥିବା ଅଭିଯୋଗକୁ ନିର୍ବାଚନ ଅଧିକାରୀ ଭଲଭାବେ ଯାଞ୍ଚ କରିବାପରେ ତାଙ୍କ ପ୍ରାର୍ଥିପତ୍ରକୁ ବୈଧ ଘୋଷଣା କରିଛନ୍ତି। ଏହାଦ୍ବାରା ରାହୁଲଙ୍କ ପ୍ରାର୍ଥିତ୍ବକୁ ନେଇ ଯେଉଁ ସଙ୍କଟ ଦେଖା‌ଦେଇଥିଲା ତାହା ଟଳିଯାଇଛି। ରାହୁଲ ଗାନ୍ଧୀ ଏବେ ଆମେଥିରୁ ବିନା ବିବାଦରେ ନିର୍ବାଚନ ଲଢ଼ିପାରିବେ। କଂଗ୍ରେସ ଅଧ୍ୟକ୍ଷଙ୍କ ଆଇନଜୀବୀ କେସି କୌଶିକ ଆଜି ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଙ୍କ ମହକିଲଙ୍କ ସମ୍ପର୍କରେ ଦୃଢ଼ ଯୁକ୍ତି ବାଢ଼ି କହିଥିଲେ ଯେ ରାହୁଲ ଭାରତରେ ଜନ୍ମ ‌ହୋଇଥିଲେ ଏବଂ ତାଙ୍କ ନିକଟରେ ଭାରତୀୟ ପାସପୋର୍ଟ ଅଛି। ସେ ‌କେବେ ବି ଅନ୍ୟ କୌଣସି ଦେଶର ନାଗରିକତା ଗ୍ରହଣ କରିନାହାନ୍ତି। ତାଙ୍କ ପାସପୋର୍ଟ, ଭୋଟର ଆଇଡି, ଆୟକର ଟିକସ ସବୁକିଛି ଭାରତର । ଏହାପ‌ରେ ଆମେଥି ନିର୍ବାଚନ ଅଧିକାରୀ ରାହୁଲଙ୍କ ପକ୍ଷ ଶୁଣିବାପରେ ରାହୁଲଙ୍କ ପ୍ରାର୍ଥିପତ୍ରକୁ ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କ ପ୍ରାର୍ଥିପତ୍ର କାଏମ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଗତ ଶନିବାର ଦିନ ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦିଆଯାଇଥିବା ତଥ୍ୟକୁ ସ୍ବାଧୀନ ପ୍ରାର୍ଥୀମ‌ାନେ ଚ୍ୟାଲେଂଜ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍‌ ରାହୁଲଙ୍କ ପ୍ରାର୍ଥିପତ୍ରକୁ ଚ୍ୟାଲେଂଜ କରି କହିଥିଲେ ଯେ ରାହୁଲ ଜଣେ ବ୍ରିଟିଶ ନାଗରିକ ହୋଇଥିବାରୁ ସେ କିଭଳି ଭାରତରେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହେବେ ତାହା ନିର୍ବାଚନ କମିସନ ସ୍ପଷ୍ଟ କରିବା ଦରକାର। ବ୍ରିଟେନ୍‌ରେ ପଞ୍ଜିକୃତ ହୋଇଥିବା ଏକ କମ୍ପାନିର ସାର୍ଟିଫିକେଟ୍‌ ଆଧାରରେ ରାହୁଲ ନିଜକୁ ଜଣେ ବ୍ରିଟେନ୍‌ ନାଗରିକ ବୋଲି ଘୋଷଣା କରିଥିବା ପ୍ରମାଣ ରହିଛି ବୋଲି ସେ କହିଥିଲେ। ୨୦୦୪ ସତ୍ୟପାଠରେ ରାହୁଲ କହିଥିଲେ ଯେ ସେ ବ୍ରିଟେନ୍‌ର ଏକ କମ୍ପାନିରେ ବିନିଯୋଗ କରିଥଲେ ଏବଂ ୨୦୦୫ରେ ଉକ୍ତ କମ୍ପାନିର କାଗଜପତ୍ରରେ ତାଙ୍କୁ ଜଣେ ବ୍ରିଟିଶ୍‌ ନାଗରିକ ଭାବେ ଦର୍ଶାଯାଇଥିଲା। ଏହି ଅଭିଯୋଗ ପରେ ମାମଲାକୁ ନିର୍ବାଚନ କମିସନ ଗମ୍ଭୀରତାର ସହ ନେଇଥିଲେ। ବିଜେପି ମଧ୍ୟ ଏହି ମାମଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ତାଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି କହିଥିଲା।

ୱାୟନାଡ଼ରେ ପ୍ରାର୍ଥିତ୍ବକୁ ନେଇ ବିବାଦ
ଥିରୁବନନ୍ତପୁରମ୍‌: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ଆମେଥିରେ ଆଶ୍ବସ୍ତି ମିଳିଛି। ଆମେଥି ନିର୍ବାଚନ ଅଧିକାରୀ ଆଜି ରାହୁଲଙ୍କ ପ୍ରାର୍ଥିପତ୍ରକୁ ବୈଧ ଘୋଷଣା କରିବାପରେ ରାହୁଲଙ୍କ ପ୍ରାର୍ଥିପତ୍ର କାଏମ ରହିଛି। କିନ୍ତୁ ୱାୟନାଡ଼ ଆସନରେ ରାହୁଲଙ୍କ ପ୍ରାର୍ଥିତ୍ବକୁ ଚ୍ୟାଲେଂଜ କରାଯାଇଛି। ନା‌ଗରିକତା ପ୍ରସଙ୍ଗରେ ଏହି ଆସନରେ ରାହୁଲଙ୍କ ପ୍ରାର୍ଥିପତ୍ରକୁ ବିରୋଧ କରାଯାଇଛି। ଏନ୍‌ଡିଏ ପ୍ରାର୍ଥୀ ତୁଷାର ଭେଲ୍ଲାପଲ୍ଲି ରାହୁଲଙ୍କ ନାଗରିକତା ପ୍ରସଙ୍ଗରେ ଗତକାଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରାଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ଭେଲ୍ଲାପଲ୍ଲି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ ରାହୁଲ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି। ତାଙ୍କ ନିକ‌ଟରେ ଦୁଇଟି ପାସ୍‌ପୋର୍ଟ ରହିଛି ଏବଂ ସେ ଭାରତୀୟ ନାଗରିକ ନୁହନ୍ତି। ତେଣୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଉ। ତେବେ କଂଗ୍ରେସ ଖୁବ୍‌ଶୀଘ୍ର ରାହୁଲଙ୍କ ପାସପୋର୍ଟ ଏବଂ ଡିଗ୍ରି ବାବଦରେ ବିସ୍ତୃତ ବିବରଣୀ ୱାୟନାଡ଼ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର