‘ଟାଇମ୍‌’ରେ ରାହୁଲ-ପ୍ରିୟଙ୍କା-କଂଗ୍ରେସକୁ ସମାଲୋଚନା: ବଂଶବାଦକୁ ପ୍ରୋତ୍ସାହନ ଦେଉଛି କଂଗ୍ରେସ

ମୋଦୀଙ୍କ ବିକଳ୍ପ ହୋଇପାରିବେ ନାହିଁ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାଇମ୍‌ ମାଗାଜିନ୍‌ ଭାରତର ‘ମୁଖ୍ୟ ବିଭାଜନକାରୀ’ ଭାବେ ବର୍ଣ୍ଣନା କରି ଏକ ଲେଖା ପ୍ରକାଶ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏହାର ସଦ୍ୟତମ ସଂସ୍କରଣରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସରେ ରାଜନୈତିକ ବୁଦ୍ଧିମତା ଏବଂ କଳ୍ପନାଶୀଳତା କମିଯାଉଛି ଏବଂ ମୋଦୀଙ୍କ ବିକଳ୍ପ ରାହୁଲ ହୋଇପାରିବେ ନାହିଁ କି ବିଜେପିର ବିକଳ୍ପ ଭାବେ କଂଗ୍ରେସ ନିଜକୁ ପ୍ରତିପାଦିତ କରିପାରି ନାହିଁ ବୋଲି ଏଥିରେ କୁହାଯାଇଛି। ରାହୁଲ ଗାନ୍ଧୀ ଏଭଳି ବ୍ୟକ୍ତିତ୍ବ, ତାଙ୍କୁ କିଛି ଶିକ୍ଷା ଦିଆଯାଇପାରିବ ନାହିଁ ବୋଲି ମଧ୍ୟ ଏହି ଲେଖାରେ ପ୍ରକାଶ ପାଇଛି। ନେହରୁ-ଗାନ୍ଧୀ ପରିବାରର ଆଉ ଜଣେ ସଦସ୍ୟ (ପ୍ରିୟଙ୍କା ଗାନ୍ଧୀ)ଙ୍କୁ ରାଜନୀତିକୁ ଆଣି କଂଗ୍ରେସ କେବଳ ବଂଶବାଦର ପ୍ରସାର କରୁଛି ବୋଲି ସାମ୍ବାଦିକ ଆତିଶ ତାସିର୍‌ ଲେଖିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ରାଜନୀତିକୁ ଆଣି କେବଳ ବଂଶବାଦକୁ ଆଗକୁ ବଢ଼ାଇବା କାମ କରିବା ବ୍ୟତୀତ ଦଳ ପାଇଁ ଆଉ କିଛି ଫାଇଦା ଆଣିନାହିଁ ବୋଲି ଏଥିରେ ଦର୍ଶାଯାଇଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆତିଶଙ୍କ କଭର୍‌ ଷ୍ଟୋରି (ଡିଭାଇଡର୍‌ ଇନ୍‌ ଚିଫ୍‌) ବଡ଼ ବିବାଦ ସୃଷ୍ଟି କରିଥିଲା। ଆତିଶ ପାକିସ୍ତାନୀ ହୋଇଥିବାରୁ ନିର୍ବାଚନ ସମୟରେ ମୋଦୀଙ୍କୁ ବିରୋଧ କରି ଏଭଳି ଲେଖିଥିବା କୁହାଯାଇଥିଲା। ତେବେ ମୋଦୀ ଏବଂ ବିଜେପିକୁ ସମାଲୋଚନା କରି ଆତିଶଙ୍କ କଭର୍‌ ଷ୍ଟୋରି ପରେ ରାହୁଲ ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରାଯାଇଥିବାରୁ ଏହାକୁ ନେଇ ନାନା ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର