ବିଜେଡି ଓ ବିଜେପିକୁ କଟାକ୍ଷ କଲେ ରାଜ ରାଜ ବବ୍‌ର: ଦେଶର ମୁଦ୍ଦାଠାରୁ ମୁହଁମୋଡ଼ି ପଳାଉଛନ୍ତି ମୋଦୀ

ଭୁବନେଶ୍ବର: ଦେଶବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ବା ପ୍ରସଙ୍ଗ ହେଉଛି ଚାଷୀଙ୍କ ବିକାଶ, ବେରୋଜଗାର ଓ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧା, ଗତ କିଛି ବର୍ଷରେ ବିଲୋପ ହୋଇଥିବା ପ୍ରାୟ ୫୦ ଲକ୍ଷ ନିଯୁକ୍ତି ଇତ୍ୟାଦି। ଏସବୁ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ସଂପର୍କ ନାହିଁ। ବରଂ ସେ ସେସବୁ ମୁଦ୍ଦାରୁ ମୁହଁମୋଡ଼ି ପଳାଉଛନ୍ତିି। ଏ ପଟେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏସବୁ ମୁଦ୍ଦାର ମହତ୍ତ୍ବ ରହିଛି। ପ୍ରତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା କିପରି ମିଳିବ ଓ ଅନ୍ୟାନ୍ୟ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସେ ବଚନବଦ୍ଧ ବୋଲି କହିଛନ୍ତି ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଚଳଚ୍ଚିତ୍ର ଅଭିନେତା ରାଜ ବବ୍‌ର।

ଆଜି ସନ୍ଧ୍ୟାରେ ଶ୍ରୀ ବବ୍ବର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ ବିଜେପିକୁ କଟାକ୍ଷ କରି ଉଭୟ ଦଳ ମଧ୍ୟରେ ଏବେ ବି ମଧୁର ସଂପର୍କ ରହିଛି ବୋଲି କହିଥିଲେ। ଉଭୟ ଦଳ ୯ ବର୍ଷ ଧରି ମେଣ୍ଟ ସରକାରରେ ଥିଲେ। ପରେ ବିଜେଡି ନିଜସ୍ବ ସରକାର କରିଥିଲେ ବି ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତୃତ୍ବାଧୀନ ମୋଦୀ ସରକାରଙ୍କୁ ସମର୍ଥନ କରିଛି। ତେବେ ଉଭୟ ଦଳ ଗତ ୧୯ ବର୍ଷରେ ଓଡ଼ିଶା ପାଇଁ କି ବିକାଶ କରିଛନ୍ତି ବୋଲି ସେ ପଚାରିଥିଲେ। ଏଥର ବି ଉଭୟ ଦଳ ନିଜ ନିଜ ମଧ୍ୟରେ ଫିକ୍ସିଂ କରି ଓଡ଼ିଶାବାସୀଙ୍କୁ ପୁଣି ପ୍ରତାରଣା କରି ଚାଲିଛନ୍ତି। ବିଜେଡି ବା ବିଜେପି ଯିଏ ଜିତିଲେ ମଧ୍ୟ ଓଡ଼ିଶା ହାରିବ ବୋଲି ସେ ସତର୍କ କରାଇ ଦେଇଥିଲେ। ବାରମ୍ବାର ରୋଡ୍‌-ସୋ ଓ ପ୍ରଚାର ପାଇଁ ଓଡ଼ିଶା ଆସୁଥିବା ମୋଦୀ ଜୀ ଏହି ରାଜ୍ୟ ପାଇଁ କିଛି କରିନାହାନ୍ତି। ୨୦୧୪ରେ ବିଜେପି ନିଜ ନିର୍ବାଚନୀ ଇସ୍ତାହା‌ରରେ ଓଡ଼ିଶାକୁ ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥର ଅର୍ଥାତ୍‌ ୨୦୧୯ ନିର୍ବାଚନ ପାଇଁ ବିଜେପିର ଜାତୀୟ ଇସ୍ତାହାରରେ ଓଡ଼ିଶା ସଂପର୍କରେ ଚିହ୍ନବର୍ଣ୍ଣ ନାହିଁ। ମୋଦୀ ଜୀ ସବୁବେଳେ ଡବଲ୍‌ ଇଞ୍ଜିନ କଥା କହୁଛନ୍ତି। ଗତ ନିର୍ବାଚନରେ ୪ଟି ରାଜ୍ୟରେ ବିଜେପି ହାରିଲା ପରେ ସେହି ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ରାଶି କମା‌ଇ ଦେଇଛନ୍ତିି। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। କଂଗ୍ରେସ ଦଳ ପାଇଁ ସିଙ୍ଗଲ୍‌ କି ଡବଲ୍‌ ଇଞ୍ଜିନ ପ୍ରସଙ୍ଗ ନୁହେଁ। ସଂପୃକ୍ତ ରାଜ୍ୟର ଆବଶ୍ୟକତା ଦେଖି ବିକାଶ ପାଇଁ ସାମର୍ଥ୍ୟ ସୃଷ୍ଟି କରିବା ଉପରେ କଂଗ୍ରେସ ଗୁରୁତ୍ବ ଦେଇଥାଏ।

ନବୀନ ସରକାରଙ୍କ ଉପରେ ପ୍ରହାର କରି ଶ୍ରୀ ବବ୍‌ର କହିଲେ, ଗତ ୧୯ ବର୍ଷ ଭିତରେ ରାଜ୍ୟର ବିକାଶ ଅଟକି ଯାଇଛି। ଦେଶର ସବୁଠାରୁ ଅନୁନ୍ନତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଗୋଟିଏ। ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ଉପରେ ହିଂସା, ଅପରାଧ, ଦାଦନ ସମସ୍ୟା ଇତ୍ୟାଦି ପ୍ରସଙ୍ଗକୁ ବିଜେଡି ସରକାର ଅଣଦେଖା କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ବାବୁଙ୍କ ‘ଆପଣ ଖୁସୀ ତ?’ ସ୍ଲୋଗାନ୍‌କୁ ବ୍ୟ‌େଙ୍ଗାକ୍ତି କରି ସେ କହିଲେ ଯେ ବାସ୍ତବରେ ଏହାର ଅର୍ଥ ହେଉଛି ‘ଯଦି ମୁଁ ଖୁସୀ, ଆପଣ ଖୁସୀ’। ଯଦି କେନ୍ଦ୍ରରେ ଝୁଲା ସରକାର ଗଠନ ହୁଏ, ନବୀନ ବାବୁ ନିଶ୍ଚିତ ରୂପେ ବିଜେପିକୁ ସରକାର ଗଠନରେ ସାହାଯ୍ୟ କରିବେ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ଓଡ଼ିଶାରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ। ‌ଆଜି ଭାତହାଣ୍ଡିରୁ ଗୋଟିଏ ଚାଉଳ ଦେଖି ଏହା ତାଙ୍କର ଉପଲବ୍ଧି ହୋଇଛି। ସୂଚନାଯୋଗ୍ୟ, କଂଗ୍ରେସ ଦଳର ଜଣେ ତାରକା ପ୍ରଚାରକ ଭାବେ ଶ୍ରୀ ବବ୍ବର ଭଦ୍ରକ ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ଯାଇ ରୋଡ୍‌-ସୋରେ ଭାଗ ନେଇଥିଲେ। ସେଠାରୁ ସେ ଭୁବନେଶ୍ବର ପ୍ରତ୍ୟାବର୍ତନ କରି ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର