ଶିକ୍ଷାରେ ଆଗୁଆ ଆଞ୍ଚଳିକ ଦଳ ପ୍ରାର୍ଥୀ: ପ୍ରଥମ ୫ଟି ସ୍ଥାନରେ ଦକ୍ଷିଣ ଭାରତର ୫ଟି ଦଳ

ନୂଆଦିଲ୍ଲୀ: ପ୍ରତ୍ୟେକ ପେସାରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଉତ୍ତମ କ୍ୟାରିୟର ପାଇଁ ଶିକ୍ଷାଗତ ଯୋଗ୍ୟତା ସବୁଠୁ ଗୁରୁତ୍ବପୂ୍ର୍ଣ୍ଣ। କିନ୍ତୁ ରାଜନୀତି କ୍ଷେତ୍ରରେ ଶିକ୍ଷା ଏତେଟା ଗୁରୁତ୍ବ ବହନ କରୁନାହିଁ। ଅନେକ ସମୟରେ ବିଭିନ୍ନ ରାଜନେତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ‌ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ତେବେ ଇଣ୍ଡିଆ ଟୁଡେ ଡାଟା ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ବାରା ୨୦୧୯ ଲୋକସଭା‌ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆକଳନ କରି ଜାଣିବାକୁ ପାଇଛି ଯେ ଏଥର ଲୋକସଭା ନିର୍ବାଚନ ଲଢ଼ୁଥିବା ୪୮ ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଛନ୍ତି। ଏହି ଆକଳନ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗ୍ରାଜୁଏଟ୍‌ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀଙ୍କୁ ଉଚ୍ଚ ଶିକ୍ଷିତ ଏବଂ କେବଳ ସ୍କୁଲ୍‌ ଶିକ୍ଷା ଶେଷ କରିଥିବା ପ୍ରାର୍ଥୀମାନଙ୍କୁ ଶିକ୍ଷିତ ଭାବେ ବିଭକ୍ତ କରାଯାଇଛି।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଅଧିକାଂଶ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ମାନେ ଆଞ୍ଚଳିକ ରାଜନୈତିକ ଦଳର ବୋଲି ଜଣାପଡ଼ିଛି। ଉଚ୍ଚ ଶିକ୍ଷିତ ରାଜନୈତିକ ଦଳ ତାଲିକାରେ ଦକ୍ଷିଣ ଭାରତରୁ ୫ଟି ଦଳ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର କଂଗ୍ରେସ ପାର୍ଟିରେ ସବୁଠୁ ଅଧିକ ଉଚ୍ଚ ଶିକ୍ଷିତ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି। ଏହି ଦଳରେ ୮୮ ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ୍‌ ଡିଗ୍ରି ହାସଲ କରିଛନ୍ତି। ତାମିଲନାଡ଼ୁର ଦ୍ରାବିଡ଼ ମୁନେତ୍ରା କାଜାଘମ୍‌ ଦଳ ଦ୍ବିତୀୟ ଉଚ୍ଚ ଶିକ୍ଷିତ ରାଜନୈତିକ ଦଳ ଭାବେ ବିବେଚିତ ହୋଇଛି। ଏହି ଦଳରେ ୮୭.୫ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି। ଏହା ପଛକୁ ରହିଛି ଏଆଇଏଡିଏମ୍‌କେ। ଏହି ଦଳରେ ୮୬.୪ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ। ସେହିପରି ତେଲେଙ୍ଗାନାର ଟିଆରଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି)ରେ ୮୨.୪ ପ୍ରତିଶତ ଏବଂ ତାମିଲନାଡ଼ୁର ଏକ ଆଞ୍ଚଳିକ ରାଜନୈତିକ ଦଳ ନାମ ତାମିଲାର କାଚି’ରେ ୮୦ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ। ଚଳିତ ଲୋକସଭା ନିର୍ବାଚନ ଲଢ଼ୁଥିବା ବଡ଼ ଦଳ ଗୁଡ଼ିକ ମଧ୍ୟରେ କଂ‌ଗ୍ରେସର ୭୫.୭ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି। କଂଗ୍ରେସ ପଛକୁ ଟିଏମ୍‌ସିର ୭୪.୫ ପ୍ରତିଶତ, ବିଜେଡିର ୭୧.୪ ପ୍ରତିଶତ, ଆପ୍‌ର ୭୧.୪ ପ୍ରତିଶତ ଏବଂ ବିଜେପିର ୭୦.୮ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି। ଅନ୍ୟପକ୍ଷେ ବିଏସପିର ୫୨.୫ ପ୍ରତିଶତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ଗ୍ରହଣ କରିଥିବାବେଳେ ୩୮ ପ୍ରତିଶତ ସ୍ବାଧୀନ ପ୍ରାର୍ଥୀ ଗ୍ରାଜୁଏଟ୍‌। ୨୦୧୯ ଲୋକସଭା ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ୪୬ ପ୍ରତିଶତ ହେଉଛନ୍ତି ଶିକ୍ଷିତ। ଏମାନେ କେବଳ ସ୍କୁଲ୍‌ ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି।

ସମ୍ବନ୍ଧିତ ଖବର