ରାଉରକେଲା ବିଧାନସଭା : ଦିଲୀପଙ୍କ ଉପରେ ସମସ୍ତଙ୍କ ନଜର

ରାଉରକେଲା, (ରଶ୍ମିରଂଜନ ମୁଦୁଲି): ରାଉରକେଲା ସହରରେ ଭାରତୀୟ ଜନତା ପାର୍ଟିର ପୂର୍ବ ପତିଆରା ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଆଇଜିଏଚ ମେଡିକାଲ କଲେଜ ଓ ବ୍ରାହ୍ମଣୀ ଦ୍ବିତୀୟ ସେତୁ ଏପର୍ଯ୍ୟନ୍ତ ହୋଇ ନ ଥିବାରୁ ଏଥର ନିର୍ବାଚନ ପ୍ରଚାର ବେଳେ ବିଜେପି ଅନେକ ପ୍ରଶ୍ନବାଣର ସମ୍ମୁଖୀନ ହେବା ସ୍ବାଭାବିକ। ଏପଟେ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ଓ ବିଧାୟକ ପଦବିରୁ ଇସ୍ତଫା ଦେବାର ଇତିମଧ୍ୟରେ ୩ ମାସରୁ ଅଧିକ ସମୟ ବିତିଗଲାଣି। ସେ କେଉଁ ଦଳକୁ ଯିବେ ଏବଂ କି ନିଷ୍ପତ୍ତି ନେବେ ତାହା ସ୍ପଷ୍ଟ ହୋଇ ନଥିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ରାଉରକେଲାରେ କେଉଁ ଦଳ ସଫଳ ହେବ ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଦିଲ୍ଲୀପ ‌ଯୁଆଡେ ଯିବେ, ସେଇ ଦଳର ପଲା ଭାରି ରହିବ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ରାଉରକେଲା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରନ୍ତୁ କି ନାହିଁ, ଦିଲ୍ଲୀପଙ୍କ ପ୍ରଭାବ ସବୁ ବେଳେ ଦେଖିବାକୁ ମିଳିଛି। ରାଜ୍ୟରେ ବିଜେଡି ହାୱା ବହୁଥିବା ବେଳେ ଗତ ନିର୍ବାଚନରେ ଦିଲ୍ଲୀପ ରାୟ ୫୯୬୫୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ମନ୍ତ୍ରୀ ବିଜୁ ଜନତା ଦଳର ସାରଦା ନାୟକ ୪୮,୭୨୪ ଖଣ୍ଡ ଭୋଟ ପାଇଥିଲେ। ଯଦି ୨୦୦୯ ନିର୍ବାଚନକୁ ତୁଳନା କରାଯାଏ, ଏହି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳ ୧୩.୭୪ ପ୍ରତିଶତ କମ୍ ଭୋଟ ପାଇଥିଲା। ଅବଶ୍ୟ ୨୦୦୯ ଓ ୨୦୦୪ ମସିହା ନିର୍ବାଚନରେ ସାରଦା ନାୟକ ଏଠାରୁ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତଥର ସମସ୍ତ ଚେଷ୍ଟା ସତ୍ତ୍ବେ ବିଜେଡି ବିଫଳ ହୋଇଥିଲା।

୨୦୧୪ ନିର୍ବାଚନ ଫଳାଫଳ

ବିଜେପି    ଦିଲୀପ ରାୟ       ୫୯,୬୫୩
ବିଜେଡି    ସାରଦା ନାୟକ     ୪୮,୭୨୪
କଂଗ୍ରେସ   ପ୍ରଭାତ ମହାପାତ୍ର  ୧୦,୩୯୭

ଏଥର ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ନାୟକ ଟିକେଟ୍ ପାଇବା ପାଇଁ ଆଶାବାଦୀ। ଗତ ନିର୍ବାଚନରେ ପରାଜିତ ହେବା ପରେ ଶ୍ରୀ ନାୟକ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ସହରର ଅଧିକାଂଶ ସଭା ସମିତିରେ ଏବେ ତାଙ୍କୁ ଦେଖିବାକୁ ମିଳୁଛି। ସାଂଗଠନିକ ଦୃଷ୍ଟିରୁ ରାଉରକେଲା ବିଜେଡି ଟିକେଟ୍‌ ପାଇଁ ସାରଦା ମୁଖ୍ୟ ଦାବିଦାର। କିନ୍ତୁ ସାରଦା ଭଳି ପୂର୍ବତନ ଜିଲ୍ଲା ସଭାପତି ଆନନ୍ଦ ମହାନ୍ତି ମଧ୍ୟ ଟିକେଟ୍ ପାଇଁ ଆଶାୟୀ। ରାଉରକେଲା ଇସ୍ପାତ କାରଖାନାରୁ ଅବସର ନେବା ପରେ ସେ ଏବେ ସଂଗଠନ ପାଇଁ ଅଧିକ ସମୟ ଦେବା ସହ ନିଜ ସମର୍ଥକଙ୍କୁ ଏକଜୁଟ୍‌ କରି ରଖିବାରେ ସମର୍ଥ ହୋଇଛନ୍ତି। ତାଙ୍କୁ ପରୋକ୍ଷରେ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ସମର୍ଥନ କରୁଥିବା ଜଣାପଡ଼ିଛି। ଏଥର ରାଉରକେଲାକୁ ବିଜେଡି ମହିଳା ସିଟ୍ କରୁଥିବା ନେଇ ଗତ କିଛି ମାସ ହେଲା ଚର୍ଚା ଜୋର୍‌ ଧରିଛି। ଯଦି ସେଭଳି ହୁଏ ତେବେ ଟିକେଟ୍‌ ଦୌଡ଼ରେ ବିଜେଡି ରାଜ୍ୟ ସମ୍ପାଦକ ମିନତୀ ଦେବତା, ପୂର୍ବତନ ରାଉରକେଲା ନଗରପାଳ ରଶ୍ମିବାଳା ମିଶ୍ର ଓ ସମାଜସେବୀ ଜ୍ୟୋତ୍ସ୍ନାରାଣୀ ନାୟକଙ୍କ ନାମ ଶୁଣିବାକୁ ମିଳୁଛି। ଏହି ତିନି ନେତ୍ରୀଙ୍କୁ ଏବେ ଅଧିକାଂଶ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।

ଦିଲ୍ଲୀପ ରାୟ ଦଳ ଛାଡ଼ିବା ପରେ ବିଜେପିରେ ମଧ୍ୟ ଏକାଧିକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଧୀରେନ୍ ସେନାପତି, ସମାଜସେବୀ ରଘୁ ବଳ, ପୂର୍ବତନ ନଗରପାଳ ନିହାର ରାୟ, ପ୍ରମିଳା ଦାସ, ରମେଶ ଅଗ୍ରୱାଲ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନାମ ରହିଛି।

ଏଥର କଂଗ୍ରେସରୁ ବହୁ ନେତା ଟିକେଟ୍ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ୍ ସେନାପତି ଓ ବର୍ତ୍ତମାନର ସଭାପତି ରବି ରାୟ ଚର୍ଚ୍ଚାେର ଅଛନ୍ତି। ଏହି ଦୁଇ ଜଣଙ୍କ ନାମ ପ୍ରଦେଶ କଂଗ୍ରେସ କମିଟି ସୁପାରିସ କରି ଏଆଇସିସିକୁ ପଠାଇଛି।

ସମ୍ବନ୍ଧିତ ଖବର