ବରଗ଼ଡ଼ କଂଗ୍ରେସ‌ରେ କମ୍ପନ: ମୁଣ୍ଡ ଟେକିଲା ବିଦ୍ରୋହ, ହାତ ଛାଡ଼ିଲେ ସାଧୁ

ନବୀନଙ୍କ ପ୍ରାର୍ଥିତ୍ବକୁ ନେଇ ଚିନ୍ତା ବଢିଲା

ବରଗଡ଼: ‌‌‌ସୋମବାର ରାତି ଅଧିଆ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସକାଳୁ ଏହି ତାଲିକା ନଜରକୁ ଆସିବା ପରେ ବାଦ୍‌ ପଡ଼ିଥିବା ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସ‌ନ୍ତୋଷ ପ୍ରକାଶ କଲେଣି। ମଂଗଳବାର ସକାଳୁ ତାଲିକାରେ ନିଜ ନାମ ନଥିବାରୁ ପୂର୍ବ ବିଧାୟକ ସାଧୁ ନେପାକ ଏବଂ ତାଙ୍କ ସମର୍ଥକଙ୍କୁ ବିସ୍ମୟ ପ୍ରକାଶ କରିଥିଲେ। ତୁରନ୍ତ ସାଧୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଲିକାରେ ନିଜ ପ୍ରିୟ ନେତାଙ୍କ ନାମ ନଥିବାରୁ ସମର୍ଥକମାନେ ତାଙ୍କ ଘରେ ରୁଣ୍ଡ ହୋଇଥିଲେ। ପିସିସି ନେତୃମଣ୍ଡଳୀଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ। ଏହାପରେ ସାଧୁ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ନିଜ ଇସ୍ତଫାପତ୍ରରେ ସାଧୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପିସିସି ନିଜ କ୍ଷମତାକୁ ଅପପ୍ରୟୋଗ କରି ରାତି ଅଧିଆ ପ୍ରାର୍ଥୀ ଚୟନ କରିଛି। ଉଭୟ ବରଗଡ଼ ବିଧାନସଭା ଆସନ ଏବଂ ଲୋକସଭା ଆସନ ପାଇଁ ସଠିକ୍‌ ପ୍ରାର୍ଥୀ ବଛାଯାଇନାହିଁ। ଯେଉଁ ମାନଦଣ୍ଡରେ ପିସିସି ପ୍ରାର୍ଥୀ ବାଛିବା କଥା, ତାହା ପାଳନ ହୋଇନି ବୋଲି ସାଧୁ କହିଛନ୍ତି। ଆଗାମୀ ଦିନରେ ତାଙ୍କର ହଜାର ହଜାର ସମର୍ଥକ କଂଗ୍ରେସ ଛାଡ଼ିବେ ଏବଂ ସେ କିଭଳି ନିର୍ବାଚନ ଲଢ଼ିବେ, ତାହାର ନିଷ୍ପତ୍ତି ସମର୍ଥକ ନେବେ‌ ବୋଲି ସାଧୁ କହିଛନ୍ତି।

ଅନ୍ୟପକ୍ଷରେ ଉଭୟ ବିଜେଡି ଏବଂ ବିଜେପି ସାଧୁଙ୍କୁ ଯୋଗାଯୋଗ କରୁଥିବା ଭିତିରିଆ ସୂତ୍ରରୁ ଜଣାପଡ଼ୁଛି। ୧୯୯୨ ମସିହାରୁ କଂଗ୍ରେସ ଦଳ ସହ ସାଧୁ ବାବୁ ରହି ଆସିଛନ୍ତି। ଛାତ୍ର ଜୀବନରୁ ସକ୍ରିୟ ରାଜନୀତିକୁ ଆସିଥିଲେ। ବାରମ୍ବାର ସଂଘର୍ଷ ପରେ ତାଙ୍କୁ ୨୦୦୯ ମସିହାରେ ଟିକେଟ୍‌ ମିଳିଥିଲା। ସେହିବର୍ଷ ଗତ ଦୁଇଥର ବିଧାୟକ ଥିବା ଆନନ୍ଦ ଆଚାର୍ଯ୍ୟଙ୍କୁ ସାଧୁ ପରାସ୍ତ କରି ଥିଲେ। ୨୦୧୪ରେ ସେ ପରାସ୍ତ ହୋଇଥିଲେ ହେଁ ନିଜ ସଂଗଠନକୁ ସକ୍ରିୟ ରଖିଥିଲେ। ଗାଁ ଗାଁ ବୁଲି ପ୍ରଚାର ଚଳାଇଥିଲେ। ତେବେ ଏଥର ଟିକଟ୍‌ ଦାବିଦାର ଥିବା ସାଧୁଙ୍କୁ ବଡ଼ ଝଟ୍‌କା ଲାଗିଛି। କିଛି ଦିନ ପୂର୍ବରୁ ଲୋକସଭା ଆସନ ପାଇଁ ପୂର୍ବ ସାଂସଦ ସଂଜୟ ଭୋଇଙ୍କ ନାମ ଶୁଣାଯାଉଥିଲା। କିନ୍ତୁ ସହରର ଜଣାଶୁଣା ବ୍ୟବସାୟୀ ପ୍ରଦୀପ ଦେବତାଙ୍କୁ ଟିକେଟ୍‌ ମିଳିଛି। ନାମ ଘୋଷଣା ପରେ ପ୍ରଦୀପ ଏବଂ ତାଙ୍କ ସମର୍ଥକମାନେ ଉତ୍‌ଫୁଲ୍ଲିତ। ହେଲେ ଅନ୍ୟ ଆଶାୟୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର କିଛି ତୁଙ୍ଗ ନେତା ଏନେଇ ପିସିସି ଏବଂ ହାଇକମାଣ୍ଡଙ୍କ ନିକଟରେ ଅସନ୍ତୋଷ ରଖିେଲଣି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନ, ବିଧାନସଭା ଆସନ ମଧ୍ୟରେ ବରଗଡ଼, ପଦ୍ମପୁର ପାଇଁ ସତ୍ୟଭୂଷଣ ସାହୁ, ଅତାବିରା ପାଇଁ ନିହାର ମହାନନ୍ଦଙ୍କ ନାମ ଘୋଷଣା ହୋଇ ସାରିଛି। ଅନ୍ୟ ଦୁଇଟି ବିଧାନସଭା ଆସନ ଭଟଲି ଏବଂ ବିଜେପୁର ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଆଗମନ ବିରୋଧୀ ଦଳ ପାଇଁ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ବିଜେପୁରରେ ପୂର୍ବ ମନ୍ତ୍ରୀ ରିପୁନାଥ ସେଠ୍‌ ଟିକଟ୍‌ ପାଇବେ ବୋଲି ଶୁଣାଯାଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏଠାରେ କଂଗ୍ରେସ ପ୍ରାର୍ଥୀ ଦେବା ପୂର୍ବରୁ ବହୁବାର ଚିନ୍ତା କରିବାକୁ ବାଧ୍ୟ ହୋଇଛି। ସେହିପରି ଭଟଲି ନିର୍ବାଚନମଣ୍ଡଳୀରେ ପୂର୍ବ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତା ତାଙ୍କ ପୁଅ ବାବଲୁ ଦେବତାଙ୍କ ପାଇଁ ବାଟ ଛାଡ଼ି ଦେଇଛନ୍ତି। କିନ୍ତୁ କଂଗ୍ରେସ ଆଗକୁ କିଛି ବି ଘୋଷଣା କରି ଏହି ଆଶାକୁ ପାଣିଚିଆ କରିପାରେ। ଅନ୍ୟ ଏକ ସମୀକରଣ କହୁଛି, ବି‌ଜେପୁରରେ ‌କଂଗ୍ରେସ କିମ୍ବା ବିଜେପି ପ୍ରାର୍ଥୀ ଏଯାଏଁ ଦେଇନାହାନ୍ତି। ତେଣୁ ବିଦ୍ରୋହୀ ନେତାଙ୍କୁ ଏହି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ଦୁଇ ଦଳ ପରସ୍ପରର ତାଲିକାକୁ ଅପେକ୍ଷା କରିଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର