କୋଲକାତା: ବିଜେପି ସଭାପତି ଅମିତ ଶାହଙ୍କୁ ପଶ୍ଚିମ ବଙ୍ଗ ସରକାର ଯାଦବପୁରରେ ରାଲି କରିବାକୁ ଅନୁମତି ଦେଇନାହାନ୍ତି। ଶାହଙ୍କ ରାଲି ଆଜି ଯାଦବପୁରରେ ହେବାକୁ ଥିଲାବେଳେ ଗତକାଲି ରାତିରେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏଥିସହିତ ଏହି ନିର୍ବାଚନମଣ୍ଡଳୀରେ ଶାହଙ୍କ ହେଲିକପ୍ଟର ଓହ୍ଲାଇବା ଲାଗି ଦିଆଯାଇଥିବା ଅନୁମତିକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ନିର୍ବାଚନ କମିସନ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି କାର୍ଯ୍ୟକୁ ସଂଜ୍ଞାନକୁ ନେବାଲାଗି ସେ ଅନୁରୋଧ କରିଛନ୍ତି। ଏହା ଗଣତନ୍ତ୍ରର ହତ୍ୟା। ଯଦି ଗୁରୁତ୍ବପୂର୍ଣ୍ଣ ନେତାମାନଙ୍କୁ ରାଲି କରିବାକୁ ଅନୁମତି ନମିଳିବ ତାହେଲେ ନିର୍ବାଚନର ମାନେ କ’ଣ ବୋଲି ଜାଭଡେକର ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗରେ ଗଣତନ୍ତ୍ର ବଦଳରେ ମମତା ଏକଛତ୍ରବାଦ ଚଳାଇଛନ୍ତି ବୋଲି ବିଜେପି କହିଛି। ରାଲି କରିବାକୁ ଅନୁମତି ଦିଆ ନଯିବା ଅର୍ଥ ରାଜ୍ୟରେ ବିଜେପି ପ୍ରତି ବୃଦ୍ଧି ପାଉଥିବା ସମର୍ଥନକୁ ନେଇ ମମତା ହତାଶ ହୋଇ ପଡ଼ିଛନ୍ତି। ତେବେ ବିଜେପି ଗଣମାଧ୍ୟମ ମୁଖ୍ୟ ତଥା ରାଜ୍ୟ ସଭା ଏମପି ଅନିଲ ବାଲୁନି କହିଛନ୍ତି ତାଙ୍କ ଦଳ ଏହା ବିରୋଧରେ ପ୍ରତିବାଦ କରିବା ସହିତ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେବ। ତେବେ ଜୟନଗରଠାରେ ଏକ ରାଲିରେ ଉଦବୋଧନ ଦେଇ ଶାହ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେହିଭଳି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପକ୍ଷରୁ ହେବାକୁ ଥିବା ନିର୍ବାଚନ ରୢାଲିକୁ ମଧ୍ୟ ପ୍ରଶାସନ ଅନୁମତି ଦେଇନାହିଁ। ଯୋଗୀ ଆଦିତ୍ୟନାଥଙ୍କର ୧୫ ତାରିଖରେ ଦକ୍ଷିଣ କୋଲକାତାରେ ରୢାଲି କରିବାର କାର୍ଯ୍ୟକ୍ରମ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/amit-sha.jpg)