ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡ଼ାଙ୍କ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଟିପ୍ପଣୀକୁ ନେଇ ଏବେ ରାଜନୀତି ଜୋର ଧରିଛି। ୧୯୮୪ ଶିଖ୍ ଦଙ୍ଗା ଘଟିଥିଲା ତ’ କ’ଣ ହୋଇଗଲା ବୋଲି ଗତକାଲି କଂଗ୍ରେସ ନେତା ସାମ୍ ପିଟ୍ରୋଡା ବୟାନ ଦେବାପରେ ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି। ଶିଖ୍ ବିରୋଧୀ ଟିପ୍ପଣୀ ପାଇଁ କଂଗ୍ରେସ କ୍ଷମା ମାଗୁ ବୋଲି ବିଜେପି ଦାବି କରିବାପରେ ପିଟ୍ରୋଡ଼ା ଆଜି କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଦିଲ୍ଲୀ ଓ ପଂଜାବରେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଶିଖ୍ ସଂପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଟ୍ରୋଡ଼ାଙ୍କ ଏହି ବୟାନ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସାମ୍ ପିଟ୍ରୋଡ଼ା ଏକ ସାକ୍ଷାତକାରରେ କହିଥିଲେ ଯେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ଅଯଥା ରାଜନୀତି ଚାଲିଛି । ଏହା ଘଟିଲା ତ କ’ଣ ହୋଇଗଲା ବୋଲି ସେ ପ୍ରଶ୍ନ କରିଥିଲେ। ପିଟ୍ରୋଡ଼ାଙ୍କର ଏହି ଟିପ୍ପଣୀରୁ କଂଗ୍ରେସର ଅହଙ୍କାର ଜଣାପଡ଼ିଯାଉଛି ବୋଲି ମୋଦୀ କହିଛନ୍ତି। ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଅନେକ ଶିଖ୍ଙ୍କୁ ୧୯୮୪ ଦଙ୍ଗାରେ ଟାର୍ଗେଟ୍ କରାଯାଇଥିଲା। ଏବେ କଂଗ୍ରେସର ବୟାନ ଏହାର ମାନସିକତାକୁ ଦର୍ଶାଉଛି ବୋଲି ମୋଦୀ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ପିଟ୍ରୋଡ଼ାଙ୍କର ଏଭଳି ଟିପ୍ପଣୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ’ଣ ତାଙ୍କୁ ବହିଷ୍କାର କରିବେ ? କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ମଧ୍ୟ ପିଟ୍ରୋଡ଼ାଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ସାମ୍ ପିଟ୍ରୋଡ଼ା କହିଛନ୍ତି ଯେ ବିଜେପି ସତ୍ୟକୁ ବିକୃତ କରୁଛି। ଅତୀତର ଘଟଣା ବର୍ତ୍ତମାନର ନିର୍ବାଚନରେ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେ କହିଛନ୍ତି ସାକ୍ଷାତକାରରେ ସେ କହିଥିବା ୩ଟି ଶବ୍ଦ ‘ହୁଆ ସୋ ହୁଆ’ କୁ ବିଜେପି କଦର୍ଥ କରିଛି। ପ୍ରକୃତ ସତକୁ ଲୁଚାଇବାପାଇଁ ବିଜେପି ତାଙ୍କ କଥାକୁ ବିକୃତ କରୁଛି । ସୋସିଆଲ ମିଡିଆରେ ମିଛକୁ ଅତି ରୋଚକ ଭାବେ ବର୍ଣ୍ଣନା କରି ବିଜେପି ତାଙ୍କୁ ଟାର୍ଗେଟ୍ କରିଛି ବୋଲି ସେ ଦାବି କରିଛନ୍ତି। ତେବେ ନିଜର ଏହି ବିବାଦୀୟ ବୟାନ ପାଇଁ ସାମ ପିଟ୍ରୋଡ଼ା କ୍ଷମା ପ୍ରାର୍ଥନା କରିଛନ୍ତି। କଂଗ୍ରେସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ୨୦୦୨ ଗୁଜରାଟ ଦଙ୍ଗା ସହ ୧୯୮୪ ଦଙ୍ଗାରେ ଦୋଷୀ ସାବ୍ୟସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ଆମେ ସମର୍ଥନ କରୁଛୁ। ପିଟ୍ରୋଡ଼ାଙ୍କ ବୟାନ କଂଗ୍ରେସ ଦଳର ନୁହେଁ ବୋଲି ଏଥିରେ କୁହାଯାଇଛି।