ସାରସକଣା ନିର୍ବାଚନ ମଣ୍ଡଳୀ, ବିଜେଡି ବାଟରେ ରାମଚନ୍ଦ୍ର କଣ୍ଟା

ଜେଏମ୍ଏମ୍ ଭୋଟବ୍ୟାଙ୍କ ଉପରେ ସଭିଙ୍କ ନଜର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ‌ରେ ଧୀରେ ଧୀରେ ରାଜନୈତିକ ସ୍ଥିତି ଉତ୍କଣ୍ଠାପୂର୍ଣ୍ଣ ହେବାକୁ ଯାଉଛି। ସାଂସଦ ରାମଚନ୍ଦ୍ର ହାଁସଦା ବି‌େଜଡି ଟିକଟରୁ ବଞ୍ଚିତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ବିଜେଡି ବାଟରେ କଣ୍ଟା ସାଜିଛନ୍ତି। ୨୦୧୪ରେ ବିଜେଡି ଟିକେଟରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ରଙ୍କ ପାଇଁ ସାରସକଣା ନିର୍ବାଚନ ମଣ୍ଡଳୀରେ ହେଉଛି ନିଜ ଘରୋଇ ଖେଳପଡ଼ିଆ। ୨୦୦୯ ମସିହାରେ ସେ ଏହି ଆସନରୁ ଏନ୍‌ସିପିରୁ ବିଧାୟକ ଭାବେ ଜିତିଥିଲେ। ଏହି ନିର୍ବାଚନ ମଣ୍ଡଳୀର ସାରସକଣା, ବିଶୋଇ ଓ ବିଜାତଳା ବ୍ଲକରେ ରାମଚନ୍ଦ୍ରଙ୍କ ସଙ୍ଗଠନ ରହିଥିବା ବେଳେ ତାଙ୍କର ସ୍ବତନ୍ତ୍ର ଭୋଟବ୍ୟାଙ୍କ ମଧ୍ୟ ରହିଛି। ପୁଣି ବିଜେଡି ଏଥର ବିଧାୟକ ଭାଦବ ହାଁସଦାଙ୍କ ଟିକେଟ୍ କାଟି ନୂଆ ମୁହଁ ଖଡ଼ମବେଡ଼ା ସରପଞ୍ଚ ଅମର ସିଂ ଟୁଡୁଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି। ସ୍ବଳ୍ପ ସମୟ ମଧ୍ୟରେ ଅମରଙ୍କ ପାଇଁ ପୂରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ଏକାଠି କରି ନିର୍ବାଚନୀ ଲଢ଼େଇକୁ ସାମ୍ନା କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ବିଧାୟକ ଭାଦବ ହାଁସଦା ମଧ୍ୟ ଅଭିମାନରେ ନିର୍ବାଚନ ମଣ୍ଡଳୀ‌ରେ ସାଙ୍ଗଠନିକ କାର୍ଯ୍ୟକ୍ରମଠୁ ସଂପୂର୍ଣ୍ଣ ଦୂରେଇ ରହିଛନ୍ତି। ଫଳରେ ତାଙ୍କ ସମର୍ଥକଙ୍କୁ ମଧ୍ୟରେ ଏତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ। ଅନ୍ୟପଟେ ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ବିଜେଡିର ଟିକେଟ୍ ବଣ୍ଟନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ତାଙ୍କୁ ବୁଝାସୁଝା କରାଯିବା ସହ ରାଜ୍ୟ ସଂପାଦକ ପଦ ମିଳିଥିଲା। ବିଦ୍ରୋହୀ ପ୍ରାର୍ଥୀ ‌ହେବାର ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲେ ହେଁ ତାଙ୍କର ସମର୍ଥକମାନେ କେତେଟା ଦଳୀୟ ପ୍ରାର୍ଥୀଙ୍କୁ ନେଇ ଆଗକୁ କାର୍ଯ୍ୟ କରିବେ ସେନେଇ ଅନିଶ୍ଚିତତା ଜାରି ରହିଛି।

ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଜଣାଣୁଣା ଚେହେରା ଡା. ବୁଢ଼ାନ ମୁର୍ମୁଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ସେ ସାରସକଣା ଅଂଚଳରେ ସଙ୍ଗଠନ ଗଢ଼ି ଆସିଛନ୍ତି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଭୋଟ୍ ବ୍ୟାଙ୍କ ଅଭୂତପୂର୍ବ ଭାବେ ବୃଦ୍ଧି ଘଟିଥିବା ବେଳେ ଏଥର ଏହି ଆସନରେ ବାଜି ମାରିବା ପାଇଁ ଦଳ ଯୋଜନା ମଧ୍ୟ କରିଛି। ସାଙ୍ଗଠନିକ ଦୃଷ୍ଟିକୋଣରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ବେଶ୍ ସୁଦୃଢ଼ ଥିବା ଜେଏମ୍ଏମ୍ ମଧ୍ୟ ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ଭଳି ହେଭିୱେଟ୍ ଚେହେରାଙ୍କୁ ମଇଦାନକୁ ଆଣିଛି। ଗତ ୨୦୧୪ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା ଜେଏମ୍ଏମ୍ ଏଥର ଲଢ଼େଇ ମଇଦାନରେ ଓଲଟପାଲଟ କରିବାର ଯୋଜନା ରଖିଥିବା ଜଣାପଡ଼ିଛି। ତେଣୁ ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ସାରସକଣା ନିର୍ବାଚନ ମଣ୍ଡଳୀରେ ଜେଏମ୍‌ଏମ୍ ପ୍ରାର୍ଥୀ କଡ଼ା ଟକ୍କର ଦେବାକୁ ଯାଉଛନ୍ତି। ସିଧାସଳଖ ଲଢ଼େଇ ପରିବର୍ତ୍ତେ  ନିର୍ବାଚନ ମଣ୍ଡଳୀରେ ଏବେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି। ବିଜେଡି, ବିଜେପି ଓ ଜେଏମ୍ଏମ୍ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଇଦାନରେ ଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ସାଂସଦ ରାମଚନ୍ଦ୍ର ହାଁସଦା ମଧ୍ୟ ବାଜି ମାରିବାକୁ ନିଜର ସମସ୍ତ ଜୋର ଲଗାଇ ଦେଇଛନ୍ତି। ନିଜ ମାଟିରେ ତାଙ୍କର ଲୋକପ୍ରିୟତା ପରୀକ୍ଷା କରିବା ପାଇଁ ଏହି ଲଢ଼େଇକୁ ବେଶ୍ ଗୁରୁତ୍ବ ସହକାରେ ରାମଚନ୍ଦ୍ର ଗ୍ରହଣ କରିଥିବାରୁ ଆଗାମୀ ଦିନରେ ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ;୨୦୦୯ ମସିହାରେ ସାରସକଣା ନିର୍ବାଚନ ମଣ୍ଡଳୀ ନୂତନ ଭାବେ ଗଠିତ ହେବା ପରେ ଏହି ଆସନରୁ ଏନସିପି-ବିଜେଡି ମେଣ୍ଟ ପ୍ରାର୍ଥୀ ଇଂ ରାମଚନ୍ଦ୍ର ହାଁସଦା ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାମଚନ୍ଦ୍ର ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହେବା ପରେ ୨୦୧୪ ମସିହାରେ ଲୋକସଭା ସାଂସଦ ଭାବେ ଲଢ଼ି ବିଜୟୀ ହୋଇଥିଲେ। ସାରସକଣା ଆସନରୁ ଜେଏମ୍ଏମ୍ ଛାଡ଼ି ବିଜେଡିରେ ମିଶିଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାଦବ ହାଁସଦା ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇବା ପରେ ନିର୍ବାଚନ ମଣ୍ଡଳୀରେ ରା‌ଜନୈତିକ ପରିସ୍ଥିତି ବଦଳି ଯାଇଥିବା କୁହାଯାଉଛି। ବିଜେଡି କିଛି ମାସ ପୂର୍ବରୁ ବିଜାତଳାର ୩୨ନଂ. ଜିଲ୍ଲା ପରିଷଦ ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟୀ ହେବାଠୁ ସମୀକରଣ ବଦଳାଇବା ନେଇ ଆଶାବାଦୀ ଥିବା ବେଳେ ଆଗାମୀ ନିର୍ବାଚନୀ ମଇଦାନ ବେଶ୍ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି। ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିବା ବେଳେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବର ପ୍ରଭାବ ଚଳିତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର