ଭୋପାଳ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ମୁମ୍ବାଇ ଏଟିଏସ୍ର ପୂର୍ବ ମୁଖ୍ୟ ସହିଦ ହେମନ୍ତ କର୍କରେଙ୍କୁ ନେଇ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। କର୍କରେ୍ ଦେଶ ବିରୋଧୀ ଏବଂ ଧର୍ମ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କର ସର୍ବନାଶ ହେଲା ବୋଲି ସାଧ୍ବୀଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ପ୍ରତ୍ରିକ୍ରିୟା ଦେଖିବାକୁ ମିଳିଛି। ଆଇପିଏସ୍ ଅଫିସର୍ ସଂଘ ୨୬/୧୧ ସହିଦ ହେମନ୍ତ କର୍କରେଙ୍କୁ ନେଇ ଦିଆଯାଇଥିବା ବୟାନ ଅତ୍ୟନ୍ତ ଅପମାନଜନକ ବୋଲି ଦର୍ଶାଇବା ସହ ରାଜନୈତିକ ବ୍ୟକ୍ତି ବିଶେଷ ଏଭଳି ବୟାନରୁ ଦୂରେଇ ରହିବା ଉଚିତ ବୋଲି କହିଛି। ଅଶୋକ ଚକ୍ରରେ ସମ୍ମାନିତ ଦିବଂଗତ ଆଇପିଏସ୍ ଆତଙ୍କବାଦୀଙ୍କ ସହ ଲଢ଼ି ଜୀବନ ଦେଇଥିବା ବେଳେ ତାଙ୍କ ପ୍ରତି ଅପମାନଜନକ ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ସାଧ୍ବୀଙ୍କ ବୟାନକୁ ନେଇ ବିଜେପିକୁ ଘେରିବା ଆରମ୍ଭ କରିଥିବା ବେଳେ ବିବାଦ ବଢ଼ିବାରୁ ସାଧ୍ବୀ ତାଙ୍କ ବୟାନକୁ ଫେରାଇ ନେବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ‘ଶତ୍ରୁ ପକ୍ଷର ଗୁଳିରେ ଜୀବନ ଦେଇଥିବା ହେମନ୍ତ କର୍କରେ ନିଶ୍ଚିତ ଭାବେ ଜଣେ ସହିଦ ଏବଂ ତାଙ୍କ ବାବଦରେ ମନ୍ତବ୍ୟ ମୋର ବ୍ୟକ୍ତିଗତ ଯନ୍ତ୍ରଣାର ସ୍ବର ଥିଲା’ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି କର୍କରେଙ୍କୁ ନେଇ ସାଧ୍ବୀଙ୍କ ବୟାନ ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଏହି ବୟାନ ଦଳର ମତ ନୁହେଁ। ସାଧ୍ବୀଙ୍କ ବୟାନକୁ ନେଇ ସରଗରମ ସ୍ଥିତି ଲାଗି ରହିଥିବା ବେଳେ ଆଜି ନିର୍ବାଚନ କମିସନ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ସହିତ ଲଢ଼ି ପ୍ରାଣ ଦେଇଥିବା କର୍କରେଙ୍କ ବିରୋଧରେ ସାଧ୍ବୀଙ୍କ ବୟାନର ସବିଶେଷ ଯାଞ୍ଚ ଏବଂ ପ୍ରମାଣ ସଂଗ୍ରହ ଆରମ୍ଭ ହୋଇଛି ବୋଲି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ଜଣେ ସହିଦ୍ଙ୍କୁ ଦେଶଦ୍ରୋହୀ ବୋଲି ବିଜେପି ନେତା ଘୋଷଣା କରିଛନ୍ତି ଏବଂ ଏହା ଏକ ଅକ୍ଷମଣୀୟ ଅପରାଧ। ବିଜେପିର ଦେଶଦ୍ରୋହୀ ଚେହେରା ଏବେ ସାମ୍ନାକୁ ଆସିଛି ଏବଂ ଦେଶବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରିଛି। ସାଧ୍ବୀ ପ୍ରଜ୍ଞା ଆଜି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କର୍କରେ ତାଙ୍କୁ ଅନେକ ନିର୍ଯାତନା ଦେଇଥିଲେ ଏବଂ ବଳପୂର୍ବକ ଆତଙ୍କବାଦୀ ବୋଲି ଦର୍ଶାଇକୁ ଅନେକ ଚାପ ସୃଷ୍ଟି କରିଥିଲେ। ତାଙ୍କର ଆଚରଣ ଦେଶ ବିରୋଧୀ ଏବଂ ଧର୍ମ ବିରୋଧୀ ଥିବାରୁ ମୁଁ ତାଙ୍କର ସର୍ବନାଶ ହେଉ ବୋଲି କହିଥିଲି। ସେତେବେଳର କଂଗ୍ରେସ ସରକାର ଏବଂ ଏହାର କିଛି ନେତା ହିନ୍ଦୁ ଆତଙ୍କବାଦ ଶବ୍ଦକୁ ଜନ୍ମ ଦେଇ ମୋ ବିରୋଧରେ ଏକ ଘୃଣାର ବାତାବରଣ ସୃଷ୍ଟି କରିଥିଲେ ବୋଲି ସାଧ୍ବୀ କହିଥିଲେ।
ସହିଦଙ୍କ ବିରୋଧରେ ବିଷୋଦଗାର, ବିଜେପିକୁ ଅଡ଼ୁଆରେ ପକାଇଲେ ସାଧ୍ବୀ
ରିପୋର୍ଟ ତଲବ କଲେ ନିର୍ବାଚନ କମିସନ୍, ମୋଦୀ କ୍ଷମା ମାଗନ୍ତୁ: କଂଗ୍ରେସ
/sambad/media/post_attachments/wp-content/uploads/2019/04/Untitled-16-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)