ଦ୍ବିତୀୟ ପର୍ଯ୍ୟାୟରେ ୬୭.୮୪% ମତଦାନ

୯୫ ଆସନରେ ୧୬୦୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌, ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୫ଟି ଆସନରେ ଭୋଟ୍‌ ଗ୍ରହଣ ସଂପନ୍ନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୭.୮୪ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୧୬ ଶହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ଆସାମରେ ୭୬.୨୨ ପ୍ରତିଶତ, ବିହାରରେ ୬୨.୩୮ ପ୍ରତିଶତ, ଛତିଶଗଡ଼ରେ ୭୧.୪୦ ପ୍ରତିଶତ, ଜମ୍ମୁ କଶ୍ମୀରରେ ୪୫.୫ ପ୍ରତିଶତ, କର୍ଣ୍ଣାଟକରେ ୬୭.୬୭ ପ୍ରତିଶତ, ମହାରାଷ୍ଟ୍ରରେ ୬୧.୨୨ ପ୍ରତିଶତ, ମଣିପୁରରେ ୭୬.୩୬ ପ୍ରତିଶତ, ଓଡ଼ିଶାରେ ୫୭.୯୭ ପ୍ରତିଶତ, ପୁଡୁଚେରୀରେ ୭୬.୧୯ ପ୍ରତିଶତ, ତାମିଲନାଡ଼ୁରେ ୬୬.୩୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୬୬.୦୬ ପ୍ରତିଶତ ଏବଂ ପଶ୍ଚିମ ବଂଗରେ ୭୬.୪୨ ପ୍ରତିଶତ ମତଦାନ ହୋଇଛି । ଖରାପ ଇଭିମ୍‌ ଯୋଗୁଁ କେତେକ ବୁଥ୍‌ରେ ବିଭ୍ରାଟ ଦେଖାଦେଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପୂର୍ବ ପ୍ରଧାନମନ୍ତ୍ରୀ ଦେବଗୌଡ଼ା, ଡିଏମ୍‌କେ ନେତା ଦୟାନିଧି ମାରନ, ଏ. ରାଜା, କାନିମୋଝି, ମହାରାଷ୍ଟରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବର, ବିଜେପି ନେତ୍ରୀ ହେମା ମାଳିନୀ, ବସପାର ଦାନିସ ଅଲ୍ଲୀ ପ୍ରମୁଖ ୩୦ରୁ ଅଧିକ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ତାମିଲନାଡ଼ରୁ ସମସ୍ତ ୩୯ ଲୋକସଭା ଆସନରୁ ୩୮ଟି ଆସନ, ବିହାରର ୪୦ରୁ ୫ଟି ଲୋକସଭା ଆସନ, ଜମ୍ମୁ କଶ୍ମୀରରେ ୨ଟି ଆସନ, ଉତ୍ତର ପ୍ରଦେଶରେ ୮୦ରୁ ୮ ଆସନ, କର୍ଣ୍ଣାଟକରେ ୨୮ରୁ ୧୪ ଆସନ, ମହାରାଷ୍ଟ୍ରର ୪୮ରୁ ୧୦ ଆସନ, ପଶ୍ଚିମବଂଗର ୪୨ରୁ ୩ଟି ଆସନରେ ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ଆସାମ ଏବଂ ଓଡ଼ିଶାରେ ୫ଟି ଲେଖାଏ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। କାଁ ଭାଁ ହିଂସା ଏବଂ କେତେକ ସ୍ଥାନରେ ଇଭିଏମ୍‌ଜନିତ ସମସ୍ୟାକୁ ବାଦ୍‌ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ପଶ୍ଚିମବଂଗର ଦାର୍ଜିଲିଂ ଏବଂ ରାଇଗଂଜ ଲୋକସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ଇସ୍‌ଲାମପୁର ଏବଂ ଗ୍ବାଲ୍‌ତୋର ଅଂଚଳରେ ସିପିଏମ୍‌ ଏବଂ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ବିହାରର ବାଙ୍କାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଗୁଳିମାଡ଼ ହୋଇଛି।

ସମ୍ବନ୍ଧିତ ଖବର