ବିରୋଧୀ ମହାମେଣ୍ଟ ଗଠନ ପ୍ରୟାସ ଜାରି: ରାହୁଲ, ପାୱାରଙ୍କ ସହ ଦ୍ବିତୀୟ ପର୍ଯ୍ୟାୟ ବୈଠକ କଲେ ନାଇଡ଼ୁ

ସୋନିଆଙ୍କ ସହ ଆଲୋଚନା, ଆଜି ସୋନିଆ ଏବଂ ରାହୁଲଙ୍କୁ ଭେଟିବେ ମାୟାବତୀ

ନୂଆଦିଲ୍ଲୀ: କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ ପାଇଁ ପ୍ରୟାସ ଜୋରଦାର ହୋଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗତକାଲି ବିରୋଧୀ ଦଳ ନେତାମାନଙ୍କ ସହ ‌ବୈଠକ କରିବା ପରେ ଆଜି ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ କରିଛନ୍ତି। ନାଇଡ଼ୁ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ସହ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ସହ ପୃଥକ୍‌ ଆଲୋଚନା କରିଥିଲେ। ତେବେ ନାଇଡ଼ୁ ଆଜି ପୁଣିଥରେ ଦିଲ୍ଲୀରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଶରଦ ପାୱାରଙ୍କ ସହ ଦ୍ବିତୀୟ ପର୍ଯ୍ୟାୟ ବୈଠକ କରିଛନ୍ତି। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ ନାଇଡ଼ୁ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ନାଇଡ଼ୁ ଆଜି ‌ ‌ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ଦୁଇ ରାଜନେତାଙ୍କ ଆଲୋଚନା ଜାରି ରହିଥିଲା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ବସପା ସୁପ୍ରିମୋ ମାୟାବତୀ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଉପା‌ ଅଧ୍ୟକ୍ଷା ‌‌ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ। ତେବେ ଚଳିତ ନିର୍ବାଚନରେ ଲଗାତାର କଂଗ୍ରେସ ବି‌ରୋଧରେ ବର୍ଷିଥିବା ମାୟାବତୀ ସୋନିଆ ଏବଂ ରାହୁଲଙ୍କୁ ସାକ୍ଷାତ କରିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ଗତକାଲି ସପା ଏବଂ ବସପା ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ନାଇଡ଼ୁ ଆଜି ରାହୁଲ, ପାୱାରଙ୍କ ସହ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ କରିଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଟିଡିପି ମୁଖ୍ୟ ନାଇଡ଼ୁ ବିଭିନ୍ନ ବି‌ରୋଧୀ ଦଳ ନେତାମାନଙ୍କ ସହ ଅନେକ ପର୍ଯ୍ୟାୟରେ ବୈଠକ କରିଛନ୍ତି। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ସିପିଏମ୍‌ ସାଧାରଣ ସଚିବ ସୀତାରାମ ୟେଚୁରିଙ୍କ ସହ ସେ ପୂର୍ବରୁ ବୈଠକ କରିଛନ୍ତି। ନାଇଡ଼ୁଙ୍କ ନେତୃତ୍ବାଧୀନ ଟିଡିପି ଏନ୍‌ଡିଏର ଅଂଶବିଶେଷ ଥିଲା କିନ୍ତୁ କିନ୍ତୁ ଗତ କିଛି ମାସ ତଳେ ନାଇଡ଼ୁ ଏନ୍‌ଡିଏ ମେଣ୍ଟରୁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର