ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର ଚେନ୍ନାଇଠାରେ ଡିଏମ୍କେ ସୁପ୍ରିମୋ ଏମ. କେ. ଷ୍ଟାଲିନ୍ଙ୍କୁ ଭେଟିଛନ୍ତି। ଦେଶରେ ଏକ ଅଣ-କଂଗ୍ରେସ ଏବଂ ଅଣ-ବିଜେପି ସରକାର ଗଠନ ପାଇଁ କେସିଆର ଉଦ୍ୟମ ଚଳାଇଛନ୍ତି। ଆଞ୍ଚଳିକ ଦଳଗୁଡ଼ିକୁ ନେଇ ଏକ ଫେଡେରାଲ ଫ୍ରଣ୍ଟ୍ ସରକାର ଗଠନ କରିବାକୁ କେସିଆର ପ୍ରଚେଷ୍ଟା କରୁଛନ୍ତି। ଏହି କ୍ରମରେ ନିକଟରେ କେସିଆର କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କୁ ମଧ୍ୟ ତିରୁବନନ୍ତପୁରମରେ ଭେଟିଥିଲେ। ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ତେବେ କେସିଆରଙ୍କ ପ୍ରସ୍ତାବ ପ୍ରତି ଷ୍ଟାଲିନଙ୍କ ପ୍ରାରମ୍ଭିକ ପ୍ରତିକ୍ରିୟା ସେତେଟା ଉତ୍ସାହଜନକ ନାହିଁ। ଆସନ୍ତା ୧୯ ତାରିଖରେ ତାମିଲନାଡ଼ୁର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଷ୍ଟାଲିନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଷ୍ଟାଲିନ୍ ହିଁ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇସାରିଛନ୍ତି। ସେହି ପ୍ରସ୍ତାବରୁ ସେ ଏପର୍ଯ୍ୟନ୍ତ ଓହରିନାହାନ୍ତି। ତେଣୁ କେସିଆର ଓ ଷ୍ଟାଲିନଙ୍କ ସାକ୍ଷାତ ଆଲୋଚନା ଆଗକୁ କି ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଷ୍ଟାଲିନ୍ଙ୍କୁ ଭେଟିଲେ କେସିଆର୍
/sambad/media/post_attachments/wp-content/uploads/2019/03/kcr-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)