ବିଜେଡିରେ ମିଶିବେ ସୁବାସ!

ବରଗଡ଼: ବରଗଡ଼ ଲୋକସଭା ଆସନରୁ ଟିକଟ୍‌ରୁ ବଞ୍ଚିତ ସୁବାସ ଚୌହାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ତଳେ ଗଣମାଧ୍ୟମକୁ ସୁବାସ କ୍ଷୋଭ ଭରା ମେସେଜ୍‌ ପଠାଇଥିଲେ। ତାଙ୍କୁ ଦଳରେ ମାନସିକ ନିର୍ଯାତନା ସହ ଧମକ ଦିଆଯାଉଥିବା ଅଭିଯୋଗ କରିଥିଲେ। ସେ ବିଜେଡିରେ ମିଶିପାରନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି। ଟିକଟ୍‌ କଟିବା ପରେ ସୁବାସଙ୍କୁ ଦଳର ରାଜ୍ୟ ଉପସଭାପତି ପଦ ଦିଆଯାଇଥିଲା। କିନ୍ତୁ ଏହି ଲଲିପପ୍‌ ତାଙ୍କୁ ସନ୍ତୁଷ୍ଟ କରିନଥିଲା। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ବିଜେପୁର ଆସନ ପାଇଁ ଟିକଟ୍‌ ନେବାକୁ ବାଧ୍ୟ କରାଯାଇଥିଲା ବୋଲି ସୁବାସ ଅଭିଯୋଗ କରିଥିଲେ। ତେବେ ସେ ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢ଼ିବା ଲାଗି ଆହ୍ବାନ ଦେଇଲେ। ଏହି କାରଣରୁ ତାଙ୍କୁ ଦଳରେ ଧମକ ଦିଆଯାଇଥିବା ସୁବାସ ଖୋଲାଖୋଲି ଅଭିଯୋଗ କରିବା ସହ ଦଳ ଛାଡ଼ିବାକୁ ପରୋକ୍ଷରେ ଇଂଗିତ ଦେଇଥିଲେ। ସେ ଅନୁସାରେ ଆଜି ସେ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରକୁ ସେ ଦଳ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଏବେ ସୁବାସ ବିଜେଡିକୁ ଆସିବେ ବୋଲି ଶୁଣିବାକୁ ମିଳୁଛି। ସେ ନିଜ ତୁଣ୍ଡରେ ଏନେଇ ପ୍ରତିକ୍ରିୟା ରଖୁନଥିଲେ ହେଁ ସମର୍ଥକମାନେ ତାଙ୍କୁ ବିଜେଡିକୁ ଯିବା ପାଇଁ ପରାମର୍ଶ ସହ ଚାପ ଦେଉଥିବା ଜଣାପଡ଼ିଛି। ଶୀଘ୍ର ସେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ସୁବାସ ବିଜେପି ଛାଡ଼ିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ନିର୍ବାଚନରେ ଭଲ ଭୋଟ୍‌ ହାତେଇଥିବା ସୁବାସ ପରାଜୟ ପରେ ବି ୫ବର୍ଷ ଧରି ନିଜ ସଂଗଠନକୁ ସକ୍ରିୟ ରଖିଥିଲେ। ସୁବାସ ଟିକଟ୍‌ ପାଇନଥିଲେ ହେଁ ଦଳର ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ତାଙ୍କୁ ଭରସା ରଖିଥିଲେ। ସୁବାସଙ୍କୁ ନିଜ ଅଭିଯାନରେ ସାରଥୀ କରି ସେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ସେ ଦଳ ଛାଡ଼ିବା ଶ୍ରୀ ପୂଜାରୀଙ୍କ ପାଇଁ ବି ଝଟ୍‌କା ହୋଇଛି। କଂଗ୍ରେସକୁ ଯିବା ପାଇଁ ସୁବାସ ଇଚ୍ଛୁକ ନଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ। ତେଣୁ ଶୀଘ୍ର ସେ ବିଜେଡି ଶିବିରକୁ ଆସିବେ ବୋଲି ଜୋରଦାର ଚର୍ଚ୍ଚା ହେଲାଣି। ତାଙ୍କ ସମର୍ଥକମାନେ ମଂଗଳବାର ରାତିରେ ଭୁବନେଶ୍ବର ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର