ନିର୍ବାଚନ କମିସନ୍‌ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ, କ୍ଷମତା ପରିସର ଅନୁଧ୍ୟାନ କରିବେ ‌ଅଦାଲତ

ନୂଆଦିଲ୍ଲୀ: ନିର୍ବାଚନୀ ସଭା, ରାଲି ଆଦିରେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିବା ଏବଂ ସାମ୍ପ୍ରଦାୟିକ ମନ୍ତବ୍ୟ ଦେବା ଆଦି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଜି ନିର୍ବାଚନ କମିସନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ନିର୍ବାଚନ କମିସନ କ’ଣ ଶୋଇଛନ୍ତି ବୋଲି ମନ୍ତବ୍ୟ ମଧ୍ୟ ସୁପ୍ରିମ କୋର୍ଟ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ବାଚନ କମିସନଙ୍କ ଦାୟିତ୍ବ। ଏସବୁ ବିଷୟକୁ ଧରି ନିର୍ବାଚନ କମିସିନ ଶୋଇ ପଡ଼ି ପାରିବେ ନାହିଁ ବୋଲି ସୁପ୍ରିମ‌ କୋର୍ଟ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟକୁ ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏପରିକି ସୁପ୍ରିମ‌ କୋର୍ଟ ମଙ୍ଗଳବାର ଦିନ ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ସୁପ୍ରିମ କୋର୍ଟଙ୍କୁ ଜଣାଇଥିଲେ ଯେ, ତାଙ୍କ କ୍ଷମତା ପରିସର ବହୁତ ସୀମିତ। ସେମାନେ କେବଳ ନୋଟିସ ଜାରି କରିପାରିବେ, ପରାମର୍ଶ ଦେଇପାରିବେ ଏବଂ ଦଳ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ଏହା ବାଦ କମିସନଙ୍କ ଅଧିକ କିଛି କ୍ଷମତା ନାହିଁ। କମିସନ କାହାକୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ।  ଏହା ଶୁଣିବା ପରେ ସୁପ୍ରିମ କୋର୍ଟ ନିର୍ବାଚନ କମିସନଙ୍କ କ୍ଷମତା ପରିସର ନେଇ ଅନୁଧ୍ୟାନ କରିବେ ବୋଲି କହିଥିଲେ। ଯେତେବେଳେ ଏଭଳି ମନ୍ତବ୍ୟ ନେତାମାନେ ଦେଉଛନ୍ତି ସେତେବେଳେ କମିସନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଆଜି ପର୍ଯ୍ୟନ୍ତ ତୁମେ କିଛି କାର୍ଯ୍ୟାନୁଷ୍ଠାନ ନେଇନାହଁ ବୋଲି କୋର୍ଟ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ସମୟରେ ଏକାଧିକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଭାରତୀୟ ସେନାଙ୍କୁ ମୋଦୀଙ୍କ ସେନା କହିବା ସହିତ ଆଲି ବଜରଙ୍ଗବାଲି ଭଳି ମନ୍ତବ୍ୟ ମଧ୍ୟ ଦେଇଥିଲେ। ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଅମିତ ଶର୍ମା ପରିଚାଳନା କରୁଛନ୍ତି। ନିର୍ବାଚନ ପ୍ରଚାର ବେଳେ ନେ‌ତାମାନେ ଆଦର୍ଶ ଆଚରଣବିଧିକୁ ଉଲ୍ଲଂଘନ କରିବା ଭଳି ଯେଉଁ ସାମ୍ପ୍ରଦାୟିକ ଏବଂ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ବାଚନ କମିସନଙ୍କର କ୍ଷମତା ନାହିଁ। ନିର୍ବାଚନ କମିସନ ‘ଦନ୍ତହୀନ’ ଏବଂ ‘କ୍ଷମତାହୀନ’ ବୋଲି ସେ କହିଥିଲେ। ଆଦର୍ଶ ଆଚରଣବିଧିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉ ଥିବାବେଳେ ନିର୍ବାଚନ କମିସନ କ’ଣ କରୁଥିଲେ ବୋଲି ସୁପ୍ରିମ‌ କୋର୍ଟ ପଚାରିବା ପରେ ଆଇନଜୀବୀ ଶ୍ରୀ ଶର୍ମା ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ନିର୍ବାଚନ ପ୍ରଚାର ବେଳେ ଧର୍ମ ଏବଂ ସମ୍ପ୍ରଦାୟ ଆଧାରରେ ଯେଉଁ ନେତାମାନେ ଭାଷଣ ଦେଉଛନ୍ତି ସେମାନଙ୍କ ବିରୋଧରେ କମିସନ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ କି ନାହିଁ ତାହା ଅଦାଲତ ଜାଣିବାକୁ ଚାହିଁଛନ୍ତି। ଆଇନଜୀବୀ ଯେତେବେଳେ କହିଲେ ଯେଉଁମାନେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ନୋଟିସ ପଠାଯାଇ ସେମାନଙ୍କ ଠାରୁ ଉତ୍ତର ଲୋଡ଼ାଯାଉଛି। ଏହାପରେ ପ୍ରଧାନବିଚାରପତି କେତେ ନୋଟିସ ପଠାଯାଇଛି ଏବଂ କେଉଁମାନଙ୍କ ବିରୋଧରେ ପଠାଯାଇଛି ତାହା ଜାଣିବାକୁ ଚାହିଁଥିଲେ।

ନିର୍ଦ୍ଦିଷ୍ଟ ଭାବେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଧାନ ବିଚାରପତି ପଚାରିଥିଲେ। ଏହି ମାମଲା ଫଇସଲା ହୋଇସାରି ବନ୍ଦ କରାଯାଇଛି ବୋଲି ସେ କହିଥିଲେ। ଯଦି ତୁମେ ଆମ ପ୍ରଶ୍ନର ଉତ୍ତର ନଦେବ ତାହଲେ ଆମେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଏଠାକୁ ଡାକିବୁ ବୋଲି ଖଣ୍ଡପୀଠ କହିଥିଲେ।

 

ସମ୍ବନ୍ଧିତ ଖବର