ଟିକେଟ୍‌ ବଣ୍ଟନ ନେଇ ତାରା ଅସନ୍ତୁଷ୍ଟ, ଶେଷ ପର୍ଯ୍ୟନ୍ତ ଅପେକ୍ଷା କର: ନିରଞ୍ଜନ

୬ଟି ଲୋକସଭା ଆସନରୁ କଂଗ୍ରେସର ୪ ନୂଆ ମୁହଁ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପାଇଁ କଂଗ୍ରେସର ଘୋଷିତ ପ୍ରାର୍ଥୀ ତାଲିକାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜୟପୁର ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ତେବେ ତାଙ୍କର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ତାଙ୍କୁ ପରାମର୍ଶ ଦେଇଛନ୍ତିି। କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିରୋଧର ସ୍ୱର ଉଠିଛି। ଏ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ବାହିନୀପତି କହିଛନ୍ତି, କୋରାପୁଟ ହେଉଛି କଂଗ୍ରେସ ଗଡ଼। କିନ୍ତୁ ଏଠାରେ ଗଡବଡ ଚାଲିଛି । କିଏ କରୁଛି ତାହା ସମୟ କହିବ। ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି। ମୋ କଥା ରହେନାହିଁ। ପୂର୍ବରୁ କୁହାଯାଇଥିଲା, ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବ। ଏବେ କୋଟପାଡ଼ ଓ ଲକ୍ଷ୍ମୀପୁରରୁ ଟିକେଟ୍‌ ଫାଇନାଲ ନ ହେବା ଦୁର୍ଭାଗ୍ୟଜନକ। କୋରାପୁଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକୁ ସେ ଅପେକ୍ଷା କରିଛି ବୋଲି କହିଛନ୍ତି। ତାରାଙ୍କର ଏପରି ମନ୍ତବ୍ୟକୁ ନାପସନ୍ଦ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ତାରାଙ୍କ ଭଳି ଜଣେ ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଶେଷ ଯାଏଁ ଅପେକ୍ଷା କରନ୍ତୁ। କଂଗ୍ରେସ ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ଉଭୟ ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ଅନେକ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ୬ଟି ଲୋକସଭା ଆସନ ମଧ୍ୟରୁ ବରଗଡ଼ରୁ ପ୍ରଦୀପ କୁମାର ଦେବ୍‌ତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ, ବ୍ରହ୍ମପୁରରୁ ଭି.ଚନ୍ଦ୍ରଶେଖର ନାଇଡ଼ୁ ନୂଆ ମୁହଁ। ଏସବୁ ଆସନରୁ ଯଥା‌କ୍ରମେ ସଂଜୟ ଭୋଇ, ହେମାନନ୍ଦ ବିଶ୍ବାଳ, ସ୍ବର୍ଗତଃ ହରିହର କରଣ ଓ ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇଥିଲେ। ଏମାନଙ୍କ ମଧ୍ୟରୁ ବରିଷ୍ଠ ନେତା ହରିହର କରଣ ଆଉ ନାହାନ୍ତି। ଇତି ମଧ୍ୟରେ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡ଼ି ବିଜେଡିରୁ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର