ତେଜ ବାହାଦୁରଙ୍କ ପ୍ରାର୍ଥିପତ୍ର ନାକଚ, ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବେ

ମୋଦୀଙ୍କ ବିରୋଧରେ ଲଢ଼ିବେ ଶାଳିନୀ ଯାଦବ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ତୟାର ହୋଇଥିବା ବହିଷ୍କୃତ ବିଏସଏଫ୍‌ ଯବାନ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ସପା ପ୍ରାର୍ଥି ଭାବେ ତେଜ ବାହାଦୁର ବାରଣାସୀରୁ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥାନ୍ତେ କିନ୍ତୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମୁତାବକ ତେଜ ବାହାଦୁର ବିଏସଏଫ୍‌ରୁ ଏନ୍‌ଓସି (ନୋ ଅବଜେକସନ୍‌ ସାର୍ଟିଫିକେଟ୍‌) ଆଣିବାରେ ବିଫଳ ହେବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ ‌ହୋଇଯାଇଛି। ‌ତେଜ ବାହ‌ାଦୁରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାପରେ ଏବେ ସପା ଏହାର ପୂର୍ବ ପ୍ରାର୍ଥୀ ଶାଳିନୀ ଯାଦବଙ୍କୁ ପୁଣିଥରେ ଏ‌ହି ଆସନରେ ପ୍ରାର୍ଥୀ କରିଛି। କିନ୍ତୁ ତେଜ ବାହାଦୁର ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା କଥା ଜାଣିବାପରେ ସରକାର ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ ଚକ୍ରାନ୍ତ କଲେ। ତେବେ ତେଜ ବାହାଦୁର ଏନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଏନ୍‌ଓସି ଦାଖଲ ପାଇଁ ତାଙ୍କୁ ଖୁବ୍‌ କମ୍‌ ସମୟ ମିଳିଥିଲା ବୋଲି ତେଜ ବାହାଦୁର ଦାବି କରିଛନ୍ତି। ତେଜ ବାହାଦୁର କହିଛନ୍ତି, ସେ ଅମ୍ବାନୀ କି ଆଦାନୀ ନୁହନ୍ତି ଯେ ଦିଲ୍ଲୀ ଯାଇ ସଙ୍ଗେସଙ୍ଗେ ସାର୍ଟିଫିକେଟ୍‌ ନେଇ ଆସିବେ। ଏଥିପାଇଁ ସମୟ ଦରକାର। କିନ୍ତୁ ତାଙ୍କୁ ସମୟ ନ ମିଳିବାରୁ ସେ ନିଧାର୍ଯ୍ୟ ସମୟ ମଧ୍ୟରେ ସାର୍ଟିଫିକେଟ୍‌ ଦାଖଲ କରିପାରିଲେ ନାହିଁ। ଏହାପରେ ଏନ୍‌ଓସି ଦାଖଲ କରିଥିଲେ ମଧ୍ୟ କମିସନ୍‌ ଏହାକୁ ଗ୍ରହଣ କଲେନି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ବହିଷ୍କୃତ ବିଏସ୍ଏଫ୍‌ ଯବାନ ତେଜ ବାହାଦୁର ପ୍ରଥମେ ବାରଣାସୀ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ପରେ ତାଙ୍କୁ ସପା ସମର୍ଥନ କରିବାପରେ ସେ ସପାରେ ଯୋଗ ଦେଲେ ଏବଂ ସପା-ବସପା- ଆରଏଲ୍‌ଡି ମେଣ୍ଟ ପକ୍ଷରୁ ବାରଣାସୀ ଆସନରେ ପ୍ରାର୍ଥୀ ହେଲେ। କିନ୍ତୁ ତେଜ ବାହାଦୁରଙ୍କ ଦୁଇଟି ପ୍ରାର୍ଥିପତ୍ରରେ ବିସଙ୍ଗତି ଥିବାରୁ ଇସି ତାଙ୍କୁ ବିଏସଏଫ୍‌ରୁ ଏନ୍‌ଓସି ଆଣିବାପାଇଁ ନୋଟିସ୍‌ କରିଥିଲେ। ୨୦୧୬ ମସିହାରେ ‌ ତେଜବାହାଦୁର ସେନାରେ ଯବାନମାନଙ୍କ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅନଲାଇନ୍‌ରେ ଭିଡିଓ ପୋଷ୍ଟ୍‌ କରି ବିଏସଏଫ୍‌ରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର