ତୃତୀୟ ପର୍ଯ୍ୟାୟ ପାଇଁ ଥମିଲା ପ୍ରଚାର, ୧୧୬ ଆସନ, ୧୬୧୨ ପ୍ରାର୍ଥୀ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଆଗାମୀ ୨୩ ତାରିଖ ଦିନ ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୬ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୧୬୧୨ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୭୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଆଜି ପ୍ରଚାରର ଶେଷ ଦିବସରେ ବିଭିନ୍ନ ଦଳର ପ୍ରମୁଖ ନେତାଗଣ ଭୋଟର୍‌ଙ୍କ ସମର୍ଥନ ହାସଲ ପାଇଁ ଜୋର୍‌ଦାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶେଷ ଦିବସରେ ଗୁଜରାଟ ଏବଂ ରାଜସ୍ଥାନରେ ବିଭିନ୍ନ ରୢାଲିକୁ ସମ୍ବୋଧନ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ୨ଟି ମେଗା ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ସମସ୍ତ ୨୬ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ମହାରାଷ୍ଟ୍ରର ୧୪ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ କେରଳର ୨୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। କେରଳରେ ୨୦ ଆସନ ପାଇଁ ୨୨୭ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆସାମର ୪ଟି ଲୋକସଭା ଆସନ ଗୌହାଟି, ବାରପେଟା, ଧୁବ୍ରି ଏବଂ କୋକ୍ରୋଝର ପାଇଁ ୫୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅଛନ୍ତି। ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଏବଂ ରଂଜିତ ଦତ୍ତଙ୍କ ଭାଗ୍ୟ ଫଏସଲା ତୃତୀୟ ପର୍ଯ୍ୟାୟରେ ହିଁ ହେବ। ସେହିଭଳି କର୍ଣ୍ଣାଟକର ୧୪, ଉତ୍ତର ପ୍ରଦେଶର ୧୦, ଛତିଶଗଡ଼ର ୭ ଏବଂ ଓଡ଼ିଶାର ୬ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ବିହାର ଏବଂ ପଶ୍ଚିମବଂଗର ୫ଟି ଲେଖାଏଁ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଗୋଆର ୨ଟି, ଜମ୍ମୁ କଶ୍ମୀର, ଦାଦ୍ରାନଗର ହାବେଲି, ଦାମନ ଆଣ୍ଡ୍‌ ଡିଉ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଏଥିରେ ୭୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ।

ସମ୍ବନ୍ଧିତ ଖବର