କୋରାପୁଟ: ବିଜେଡି ପ୍ରାର୍ଥୀ ଭାବେ କୋରାପୁଟ ବିଧାନସଭାରୁ ଲଢ଼ିବେ ରଘୁରାମ ପଡାଲ। ୧୨ ଘଣ୍ଟା ଭିତରେ ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। ଦଳ ଏଥର ପୁଣି ଜଣେ କୃଷ୍ଣଙ୍କୁ ଭରସା କରିଛି। ଗତଥର କୃଷ୍ଣ ସଗରିଆ ଏଠାରୁ କଂଗ୍ରେସ ଟିକେଟରେ ଲଢ଼ିଥିଲା ବେଳେ ଏଥର ଲଢ଼ିବେ କୃଷ୍ଣ କୁଲଦୀପ ହାତ ଚିହ୍ନରେ ଲଢିବେ। ତେବେ ଏମାନଙ୍କ ସହ ଲଢ଼ିବା ପାଇଁ ବିଜେପି କାହାକୁ ଟିକେଟ ଦେଉଛି ତାହା ଚୂଡ଼ାନ୍ତ ହୋଇନି। ଉଭୟ ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ବଦଳାଇଥିବା ବେଳେ ବିଜେପି ପ୍ରାର୍ଥୀ ବଦଳିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କୋରାପୁଟ ବିଧାନସଭା କ୍ଷେତ୍ରରେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ବିଜୟୀ ହୋଇଥିଲେ। ତାଙ୍କୁ ୫୦,୬୭୨ଖଣ୍ଡ ଭୋଟ ମିଳିଥିଲା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ରଘୁରାମ ମାଛ ୪୫,୬୯୬ ଖଣ୍ଡ ଭୋଟ ପାଇଥିଲେ। ବିଜେପିର ଜୟରାମ ଗରଡା ୧୩,୬୬୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର କିନ୍ତୁ ଚିତ୍ର ପୂରା ବଦଳି ଯାଇଛି। ଗତ ଥର ମୁହାଁମୁହିଁ ହୋଇଥିବା ଦୁଇ ନେତା ଏଥର ମଇଦାନରେ ନାହାନ୍ତି। ବରଂ ନୂଆ ଚେହେରା ଆସିଛନ୍ତି।
ବିଜେଡି ରଘୁରାମ ମାଛଙ୍କୁ ଟିକେଟ ନ ଦେଇ ପୂର୍ବତନ ବିଧାୟକ ରଘୁରାମ ପଡାଲଙ୍କ ଉପରେ ଭରସା କରିଛି। ଆଗରୁ ରଘୁରାମ ପଡାଲ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ତେଣୁ ତାଙ୍କ ଜନ ସଂପର୍କ ଦଳକୁ ଫାଇଦା ଦେବ ବୋଲି ବିଜେଡି ଚିନ୍ତା କରୁଛି। ସେହିପରି କଂଗ୍ରେସ ମଧ୍ୟ ପ୍ରାର୍ଥୀ ବଦଳ କରିଛି। ଅବଶ୍ୟ କଂଗ୍ରେସ ପାଖରେ ଆଉ କୌଣସି ବିକଳ୍ପ ଖୋଲା ନ ଥିଲା। କାରଣ ଗତଥର କଂଗ୍ରେସ ଟିକେଟରେ ଜିତି ବିଧାୟକ ହୋଇଥିବା କୃଷ୍ଣଚନ୍ଦ୍ର ସଗରିଆ ଏବେ ଆଉ ଦଳରେ ନାହାନ୍ତି। ଦଳ ନୂଆ ମୁହଁ ଖୋଜୁଥିଲା ବେଳେ ଶ୍ରମିକ ନେତା କୃଷ୍ଣ କୁଲଦୀପ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ନାମ ଚର୍ଚ୍ଚାରେ ଥିଲା। ଶେଷରେ କୃଷ୍ଣଙ୍କ ନାମ ଘୋଷଣା କରିଛି ଦଳ। ଫଳରେ ପୁରୁଣା ମଇଦାନରେ ଏଥର ନୂଆ ଲଢ଼େଇରେ ଅବତୀର୍ଣ୍ଣ ହେବେ ଉଭୟ ରଘୁରାମ ଓ କୃଷ୍ଣ। ଏଥିପାଇଁ ଉଭୟ ନେତା ସମର୍ଥନ ଯୋଗାଡ କରିବାରେ ଲାଗି ପଡ଼ିଛନ୍ତି। କଂଗ୍ରେସ ଓ ବିଜେଡି ସେମାନଙ୍କ ସେନାପତିଙ୍କ ନାମ ଘୋଷଣା କରି ସାରିଥିଲା ବେଳେ ପଛରେ ପଡ଼ି ଯାଇଛି ବିଜେପି। ଦଳରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି। ପୂର୍ଣ୍ଣିମା ନାୟକ ଓ ସଂଜୀବ କୁମାର ଟିକେଟ ଦୌଡ଼ରେ ରହିଛନ୍ତି। ତେବେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ତ୍ରିପୁରାରି ଗରଡାଙ୍କୁ ଦଳ ପ୍ରାର୍ଥୀ କରୁଥିବା ଗୋଟିଏ ଗୋଷ୍ଠୀ କହୁଛନ୍ତି। ତେଣୁ ବିଜେପିରେ ମଧ୍ୟ ଏଥର କୋରାପୁଟରେ ନୂଆ ମୁହଁ ଦେଖିବାକୁ ମିଳିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। କୋରାପୁଟ ବିଧାନସଭା ରାଜନୀତିରେ ଏହି ୩ ପ୍ରମୁଖ ଦଳ ଭିତରେ ମୁକାବିଲା ହେବ। ତେବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଏସପିରେ ମିଶିବା ପରେ ଏଠାରୁ ଜଣଙ୍କୁ ପ୍ରାର୍ଥୀ କରାଇବେ ବୋଲି ଆଲୋଚନା ହେଉଛି। ବିଏସପି ପ୍ରାର୍ଥୀ ଦେଲେ ଏହା ଭୋଟ ବିଭାଜନ କରିବ। ଏହା ବାଦ ୩ ଦଳରେ ଥିବା ବିଦ୍ରୋହୀ ନେତା ମଧ୍ୟ କିଛି ଗଡ଼ବଡ଼ କରି ପାରନ୍ତି। ବିଜେଡି, କଂଗ୍ରେସ ଓ ବିଜେପିରେ ଏକାଧିକ ଅସନ୍ତୁଷ୍ଟ ନେତା ଥିବାରୁ ସେମାନଙ୍କୁ ମନାଇବା ଦଳ ପାଇଁ ବଡ଼ ଆହ୍ବାନ ରହିବ। ଟିକେଟ ପାଇ ନ ଥିବା ନେତାଙ୍କୁ ମନାଇ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଇ ପାରିବା ଦଳ ଫାଇଦାରେ ରହିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଜେଡିର ରଘୁରାମ ମାଛ, ଶାନ୍ତି ପାତିକା, ଲଲାଟ ରଂଜନ ସେଠୀ, ଭରତ ମଲ୍ଲିକ, ଭାଗୀରଥୀ ପାଟନିଆଙ୍କ ଉପରେ ନଜର ରହିବ। ସେହିପରି କଂଗ୍ରେସ ଟିକେଟରୁ ବଂଚିତ ହୋଇଥିବା ନିମାଇଁ ସରକାର ଓ ରମେଶ ବାଖିଆ ମଧ୍ୟ କିଛି ଓଲଟ ପାଲଟ କରିବାର କ୍ଷମତା ରଖିଛନ୍ତି। ବିଜେପିରୁ ଅଧା ଡଜନ ଆଶାୟୀ ଥିବାରୁ ଟିକେଟ ପାଉ ନ ଥିବା ନେତା ବିଦ୍ରୋହ କରି ପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/1350.jpg)