ଆଞ୍ଚଳିକ ଦଳର ଭୂମିକା ନିର୍ଣ୍ଣାୟକ ହେବ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ (୫୯ ଆସନ) ରହିଯାଇଥିବା ବେଳେ ସମ୍ଭାବ୍ୟ ପରିଣାମ ନେଇ ଏବେ ସବୁଠି ସରଗରମ ଚର୍ଚ୍ଚା ଚାଲିଛି। ଅନେକ ରାଜନୈତିକ ଦଳ ନିଜ ପକ୍ଷରୁ ନିର୍ବାଚନୀ ସର୍ଭେ କରାଇଛନ୍ତି। ବିଭିନ୍ନ ସର୍ଭେ ପରିଣାମରୁ ଯାହା ଆକଳନ କରାଯାଉଛି କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିପାରେ କିମ୍ବା ଆଂଚଳିକ ଦଳମାନେ ମିଳିତ ଭାବେ ସରକାର ଗଠନ କରିପାରନ୍ତି। ଅଣ ବିଜେପି ସରକାର ଗଠନ କ୍ଷେତ୍ରରେ କଂଗ୍ରେସ ଏହାକୁ ବାହାରୁ ସମର୍ଥନ ଦେବ ବୋଲି ଚର୍ଚ୍ଚା ହେଉଛି । ତେବେ ସରକାର ଗଠନରେ ଆଞ୍ଚଳିକ ଦଳମାନଙ୍କର ଭୂମିକା ଏଥର ଅତି ଗୁରୁତ୍ବପୂର୍ଣ୍ଣ ରହିବ ।

ବିଜେପି ଏଥର ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଥିଲେ ମଧ୍ୟ ୟୁପ‌ିରେ ମହାମେଣ୍ଟ ଏବଂ ଅନ୍ୟ କେତେକ ରାଜ୍ୟରେ ଦଳର ଦୁର୍ବଳ ସ୍ଥିତି ଯୋଗୁଁ ଯଦି ଗଣିତ ଓଲଟପାଲଟ ହୁଏ ତା’ହେଲେ ବିଜେପିକୁ ନୂଆ ସାଥୀ ଖୋଜିବାକୁ ପଡ଼ିବ। ଏଭଳି ସ୍ଥିତିରେ ବିଜେପି ୱାଇଏସ୍‌ଆର୍‌ କଂଗ୍ରେସ, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ବିଜୁ ଜନତା ଦଳ ସହିତ ହାତ ମିଳାଇବାକୁ ଚେଷ୍ଟା କରିବ। ବିଜେପି ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ନିଜ ପଟକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ଜଗନଙ୍କ ସର୍ତ୍ତ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବାପାଇଁ ଜଗନଙ୍କ ଦାବି ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଭାବେ ରହିଛି।

ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ (କେସିଆର୍‌) ଅଣ କଂଗ୍ରେସ ଏବଂ ଅଣ ବିଜେପି ମୋର୍ଚ୍ଚା ଗଠନ ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ଯଦି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ହାସଲ କରିବାରେ ସେ ସକ୍ଷମ ହୁଅନ୍ତି ତା’ହେଲେ କେନ୍ଦ୍ରରେ ଆଂଚଳିକ ଦଳମାନଙ୍କ ମିଳିତ ସରକାର ସମ୍ଭବ ହୋଇପାରେ। ଏଭଳି ସ୍ଥିତିରେ ଟିଏମ୍‌ସି ଏବଂ ଏନ୍‌ସିପି ମଧ୍ୟ କେସିଆର୍‌ଙ୍କ ପ୍ରୟାସକୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି। ମେ ୨୩ କିମ୍ବା ଏହା ପୂର୍ବରୁ ବିରୋଧୀ ଦଳଙ୍କ ମିଳିତ ରଣନୀତି ବୈଠକ ପାଇଁ ଯେଉଁ ପ୍ରୟାସ ଚାଲିଛି, ତାହାକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ କରୁନଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଉଭୟ ନେତ୍ରୀ ଏହି ବୈଠକରେ ଯୋଗଦେବେ ନାହିଁ ଚର୍ଚା ଜୋର ଧରିଛି। ଅନ୍ୟପକ୍ଷ‌ରେ କଂଗ୍ରେସକୁ ବାଦ ଦେଇ ଯଦି କେସିଆର୍‌ଙ୍କ ମୋର୍ଚ୍ଚା ସମ୍ଭବ ହେବନାହିଁ ତା’ହେଲେ କଂଗ୍ରେସକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ ହେବ ଏବଂ ଏଥିରେ ଜେଡିଏସ୍‌ ମଧ୍ୟସ୍ଥି ଭୂମିକା ନିର୍ବାହ କରିବ।

ସମ୍ବନ୍ଧିତ ଖବର