ଫିକା ପଡ଼ିଯାଇଛି ଅଭିନେତା କ୍ରେଜ୍

ଭିନ୍ନ ଚର୍ଚ୍ଚାରେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତିଙ୍କ ପରିବାର

ଭୁବନେଶ୍ବର: ଜଣେ ଅଭିନେତା ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଜଣ ଅଭିନେତ୍ରୀ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏବେ ଚାଲିଥିବା ସାଧାରଣ ନିର୍ବାଚନ ମଇଦାନରେ ଓଲିଉଡ୍‌ର ଉପସ୍ଥିତି ଏତିକି। ଗୋଟିଏ ପଟେ ବିଜେଡି ନବୀନ ମ୍ୟାଜିକ୍ ଓ ଅନ୍ୟ ପଟେ ବିଜେପି ମୋଦୀ ମ୍ୟାଜିକ୍ ଉପରେ ନିର୍ଭର କରୁଛି। ଉଭୟ ଦଳ ଦୁଇ ଶୀର୍ଷ ନେତାଙ୍କୁ ହିଁ ରୋଲ୍‌ ମଡେଲ୍‌ ସଜାଇ ଜୋର୍‌ଦାର୍ ପ୍ରଚାର କରୁଛନ୍ତି। ଏହି ଲଢ଼େଇ ଭିତରେ କଳାକାରର କ୍ରେଜ୍ ରାଜ୍ୟ ରାଜନୀତିରେ ଯେମିତି ଗୌଣ ହୋଇଯାଇଛି। ଏହା ଉଣା ଅଧିକେ ସମ‌େସ୍ତ ଏଇ ନିର୍ବାଚନରେ ଅନୁଭବ କରୁଛନ୍ତି। ବିଭିନ୍ନ ସମୟରେ ନେତା ହେବା ଲକ୍ଷ୍ୟରେ ରାଜନୀତି ମଇଦାନକୁ ଲମ୍ଫ ମାରିଥିଲେ ବହୁ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ। ବିଶେଷ କରି ନିର୍ବାଚନର କିଛି ମାସ ଆଗରୁ ବିଜେଡି ଓ ବିଜେପି ଶିବିରରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା ସେମାନଙ୍କୁ ନେବା ପାଇଁ। ଟିକେଟ୍‌ ପାଇଁ କିଛି କଳାକାର ଲବି ବି ଜୋର୍ କରିଥିଲେ। କିନ୍ତୁ ପ୍ରାର୍ଥୀ ବାଛିଲା ବେଳେ ଉଭୟ ଦଳ କଳାକାରଙ୍କୁ ସେତେଟା ଗୁରୁତ୍ବ ଦେଇ ନାହାନ୍ତି। ମାତ୍ର ୩ ଜଣ ପ୍ରତ୍ୟକ୍ଷ ଲଢ଼େଇ ପାଇଁ ନିଜ ନିଜ ଦଳ ଦ୍ବାରା ମନୋନୀତ ହୋଇଛନ୍ତି। ଅଧିକ କଳାକାରଙ୍କୁ ଟିକେଟ୍‌ ଦେବା ତ ଦୂରର କଥା, ବରଂ ଦୁଇ ଜଣ ଆଗଧାଡ଼ିର କଳାକାର ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସନାୟକଙ୍କ ଟିକେଟ୍‌ ବିଜେଡି କାଟିଦେଇଛି। ଗତ ନିର୍ବାଚନ ପରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ଅନୁଭବ ମହାନ୍ତି ଏଥର ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି। ବିଜେଡି ତାଙ୍କୁ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେପଟେ ବିଜେପି ଦୁଇ ଜଣ ଅଭିନେତ୍ରୀଙ୍କୁ ଟିକେଟ୍‌ ଦେଇଛି। ଗତ ଥର କଟକ ଲୋକସଭା ଆସନରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ଏଥର ବିଜେପି ଟିକେଟ୍‌ରେ ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନ ମଣ୍ତଳୀରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦୀର୍ଘ ଦିନ ଧରି ବିଜେପିରେ ରହି ସାଂଗଠନିକ କାର୍ଯ୍ୟକ୍ରମରେ ସଂପୃକ୍ତ ଥିବା ଅଭିନେତ୍ରୀ ପିଙ୍କି ପ୍ରଧାନ ଏଥର ଗଞ୍ଜାମ ଜିଲ୍ଲା ଦିଗପହଣ୍ତିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେ଼ଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ହେଉଛି।

ସିଦ୍ଧାନ୍ତ ଓ ଆକାଶଙ୍କ ଟିକେଟ୍‌ କଟିବା ଚଳିତ ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ। ଗତ ଦୁଇଟି ନିର୍ବାଚନରେ ସିଦ୍ଧାନ୍ତ ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ଏଥର ବି ଟିକେଟ୍‌ ପାଇଁ ସେ ଆଶାୟୀ ଥିଲେ। କିନ୍ତୁ କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କ ଉପରେ ଦଳର ସୁପ୍ରିମୋ ଭରସା କରି ଟିକେଟ୍‌ ଦେଲେ। ଏଥିରେ ଅସନ୍ତୁଷ୍ଟ ଥିବା ସିଦ୍ଧାନ୍ତ ପ୍ରଚାର ମଇଦାନକୁ ଓହ୍ଲାଇଲେ ନାହିଁ। ତାଙ୍କ ନାମ ବିଜେଡିର ତାରକା ପ୍ରଚାରକ ତାଲିକାରେ ଥିଲେ ବି ସେ ଏ ଯାଏ ପ୍ରଚାରକୁ ଯାଇ ନାହାନ୍ତି। ଏପରିକି ନିଜ ନିର୍ବାଚନମଣ୍ଡଳୀ ବ୍ରହ୍ମପୁରକୁ ବି ଦିନଟିଏ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଗଲେ ନାହିଁ। ସେହିପରି ଆକାଶ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ କୋରେଇରେ ଟିକେଟ୍‌ ପାଇଁ ଲବି ଚଳାଇଥିଲେ। କିନ୍ତୁ ‌ଦଳ ତାଙ୍କୁ ନିରାଶ କରିଛି। ସେ ମଧ୍ୟ ବିଜେଡିର ତାରକା ପ୍ରଚାରକ ତାଲିକାରେ ଅଛନ୍ତି। ତେଣୁ ଆକାଶ ଦଳ ପାଇଁ ପ୍ରଚାର କରୁଛନ୍ତି ନା ଅନ୍ୟ କେଉଁ ଭୂମିକାରେ ଆସୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିରେ ବିଭିନ୍ନ ସମୟରେ ସାମିଲ ହୋଇଥିବା କଳାକାରମାନେ ହେଲେ ଉତ୍ତମ ମହାନ୍ତି, ମୁନା ଖାନ୍, କୁନା ତ୍ରିପାଠୀ, ଅରିନ୍ଦମ ରାୟ, ଅସିତ ପତି, ଏଲିନା ଦାଶ, ଶ୍ରୀମୟୀ ମିଶ୍ର, କଣ୍ଠଶିଳ୍ପୀ ତୃପ୍ତି ଦାଶ, କଣ୍ଠଶିଳ୍ପୀ ସୁବାସ ଦାସ, ହ୍ୟୁମାନ ସାଗର ପ୍ରମୁଖ। ଏମାନଙ୍କ ମଧ୍ୟରେ ନିର୍ବାଚନ ଲଢ଼ିବା ପାଇଁ ମୁନା ଖାନ୍, କୁନା ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କ ନାମ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିଲେ ବି ଦଳ ସେମାନଙ୍କୁ ଭରସା କରିପାରି ନାହିଁ। ସେହିପରି ବିଜେପିରେ ଥିବା କଳାକାରମାନେ ହେଲେ ମହାଶ୍ବେତା ରାୟ, ଅଜିତ ଦାସ, ମିହିର ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଅନୁ ଚୌଧୁରୀ, ବିଦୁସ୍ମିତା, ଗୀତିକାର ପଞ୍ଚାନନ ନାୟକ, ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ଓ କଣ୍ଠଶିଳ୍ପୀ କ୍ରିଷ୍ଣା ମିଶ୍ର ପ୍ରମୁଖ। ଏମାନଙ୍କ ମଧ୍ୟରେ ମହେଶ୍ବତା, ମିହିର ଦାସ ଓ ଶ୍ରୀତମ ଦାସଙ୍କ ନାମ ଟିକେଟ୍‌ ଚର୍ଚ୍ଚାରେ ଥିଲେ ବି ଟିକେଟ୍‌ ମିଳି ନାହିଁ। ଟିକେଟ୍‌ ନ ମିଳିଥିବାରୁ ଶ୍ରୀତମ ମଧ୍ୟ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ହାତଗଣତି ତିନି ଜଣ କଳାକାର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ବି ପ୍ରଚାର ମଇଦାନକୁ ବହୁ ଅଭିନେତା, ଅଭିନେତ୍ରୀ ଲମ୍ଫ ପ୍ରଦାନ କରିଛନ୍ତି। କୌଣସି ଦଳରେ ନ ଥିବା ଅଭିନେତା, ଅଭିନେତ୍ରୀଙ୍କୁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ବିଜେଡି ପାଇଁ ଅଭିନେତା ସବ୍ୟସାଚ୍ଚୀ, ଅଭିନେତ୍ରୀ ଅର୍ଚ୍ଚିତା ଓ ରିୟା ପ୍ରଚାର କରୁଛନ୍ତି। ସେପଟେ ଅଭିନେତା ବାବୁସାନ ବିଜେପି ପ୍ରାର୍ଥୀ ତଥା ତାଙ୍କ ମା’ ଅପରାଜିତା ମହାନ୍ତି ଓ କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ବିଜେଡିକୁ ନବୀନ ମ୍ୟାଜିକ୍, ବିଜେପିକୁ ମୋଦୀ ମ୍ୟାଜିକ ଭରସା
ନିର୍ବାଚନ ମଇଦାନରେ ମାତ୍ର ୩ କଳାକାର, ଅନ୍ୟମାନେ ନିରାଶ
ଟିକେଟ୍‌ରୁ ବଞ୍ଚିତ ସିଦ୍ଧାନ୍ତ, ଆକାଶଙ୍କ ଉପରେ ନଜର

ଏଥର ରାଜ୍ୟ ରାଜନୀତିରେ ଗୋଟିଏ ଗୋଟିଏ ପରିବାରର ସଦସ୍ୟ ଭିନ୍ନ ଭିନ୍ନ ଦଳରେ ରହି ଏକ ନିଆରା ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଓଲିଉଡ୍‌ ବି ଏଥିରୁ ବାଦ୍ ପଡ଼ି ନାହିଁ। ବରିଷ୍ଠ ଅଭିନେତା-ନିର୍ଦ୍ଦେଶକ ତଥା ସାଂସଦ ପ୍ରଶାନ୍ତ ନନ୍ଦ ନିଜ ପୁଅ ପାଇଁ ବୋଲଗଡ଼-ବେଗୁନିଆରୁ ବିଜେଡି ଟିକେଟ୍‌ ଚାହୁଁଥିଲେ। କିନ୍ତୁ ଦଳ ପକ୍ଷରୁ ସବୁଜ ସଙ୍କେତ ଦିଆଗଲା ନାହିଁ। ଫଳରେ ତାଙ୍କ ପୁଅ ଋଷଭ ନନ୍ଦ ବିଜେପିରେ ସାମିଲ୍ ହୋଇ ବୋଲଗଡ଼-ବେଗୁନିଆରୁ ପ୍ରାର୍ଥୀ ହୋଇଛନ୍ତି। ଫଳରେ ବାପା ପ୍ରଶାନ୍ତ ନନ୍ଦଙ୍କ ପାଇଁ ଏହା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାର କ୍ଷେତ୍ରରେ ମଧ୍ୟ ପାଖାପାଖି ସମାନ ସ୍ଥିତି। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉତ୍ତମ ବିଜେଡିରେ ଯୋଗ ଦେଇ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର ବି କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ‌େଦଖିବାକୁ ମିଳୁ ନ ଥିଲେ ବି ସେ ବିଜେଡିରେ ଏବେ ବି ଅଛନ୍ତି। କିନ୍ତୁ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ପୂର୍ବରୁ କଂଗ୍ରେସରେ ଥିଲା ବେଳେ ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ଦଳର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଓ ତାଙ୍କ ପୁଅ ବାବୁସାନ ବି ବିଜେପି ପାଇଁ ପ୍ରଚାର କରୁଛନ୍ତି।

ସମ୍ବନ୍ଧିତ ଖବର