ପାରଳାଖେମୁଣ୍ଡି: ପାରଳା ବିଜେଡିରେ ଟିକେଟ ବିଦ୍ରୋହ ଉଗ୍ର ରୂପ ନେଇଛି। ଟିକେଟରୁ ବଞ୍ଚିତ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇ ବ୍ଲକ ଅଧ୍ୟକ୍ଷ, ୩୨ ସରପଞ୍ଚ, ୩୦ ସମିତି ସଭ୍ୟ ଓ ତିନି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେଇଛନ୍ତି। ନାରାୟଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇବାର କେଇ ଘଣ୍ଟା ପରେ ନବୀନ ନିବାସରୁ ଡାକରା ପାଇ ସଂଧ୍ୟାରେ ଭୁବନେଶ୍ବର ବାହାରିଛନ୍ତି। କ˚ଗ୍ରେସର ଗଡ଼ ପାରଳା ବିଧାନସଭା ଅଞ୍ଚଳରେ ଦୀର୍ଘ ୨୫ ବର୍ଷ ଧରି ବିଜୁ ଜନତା ଦଳର ସାଂଗଠନିକ ଶକ୍ତି ବଢ଼ାଇ ନାରାୟଣ ଥରେ ବିଧାୟକ ହୋଇଥିଲେ। ଏହା ସତ୍ତ୍ବେ ତାଙ୍କ ବିରୋଧରେ ମିଥ୍ୟା ରିପୋର୍ଟ ପ୍ରଦାନ କରି ଦଳ ତାଙ୍କୁ ପ୍ରାର୍ଥୀ ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ନାରାୟଣ କହିଛନ୍ତି। କୌଣସି ବରିଷ୍ଠ ବିଜେଡ଼ି ନେତା ତାଙ୍କୁ ଟିକଟ ସ˚ପର୍କରେ ଆଲୋଚନା ନ କରି ପଛ ପଟରୁ ଛୁରୀ ମାରିବା ଭଳି କାମ କରିଛନ୍ତି। ଅପରପକ୍ଷରେ, ମାତ୍ର ୨୦ ଦିନ ପୂର୍ବେ ଦଳରେ ମିଶିଥିବା ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହାର ପ୍ରତିବାଦରେ ସେ ଇସ୍ତଫା ଦେଇଛନ୍ତି। ବିଜେପି ଦଳରୁ ନିର୍ବାଚନ ଲଢ଼ିବେ କି ବୋଲି ଗଣମାଧୢମର ପ୍ରତିନିଧିଙ୍କ ପ୍ରଶ୍ନରେ ସମର୍ଥକଙ୍କ ପରାମର୍ଶ କ୍ରମେ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିଷ୍ପତି ନିଆଯିବ ବୋଲି ନାରାୟଣ ସ୍ପଷ୍ଟ କରିଛନ୍ତି। ଆଜି ପୂର୍ବାହ୍ନରେ ପାରଳା ବିଧାନସଭା ଅଞ୍ଚଳର ପ୍ରାୟ ତିନି ହଜାରରୁ ଉର୍ଧ୍ବ କର୍ମୀ କାଶୀନଗର ବ୍ଲକ ଅଧୢକ୍ଷ ସିଏଚ ସିମାଦ୍ରୀଙ୍କ ରାଣୀପେଣ୍ଠ ସ୍ଥିତ ବାସଭବନ ପ୍ରା˚ଗଣରେ ଏକତ୍ରିତ ହୋଇ ନାରାୟଣଙ୍କୁ ବିଧାନସଭା ଟିକଟରୁ ବଞ୍ଚିତ କରାଯିବାକୁ ‌ସମାଲୋଚନା କରିଥିଲେ।