ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ସ୍ଲୋଗାନକୁ ସୁପ୍ରିମ୍ କୋର୍ଟ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିବାକୁ ପ୍ରୟାସ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି। ଆଜି ସୁପ୍ରିମ୍ କୋର୍ଟ ବିଜେପି ସାଂସଦ ମୀନାକ୍ଷୀ ଲେଖିଙ୍କ ଅଦାଲତ ଅବମାନନା ଆବେଦନ ଉପରେ ଶୁଣାଣି କରିଛନ୍ତି। ଗତକାଲି ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରି ତାଙ୍କ ବୟାନକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅବମାନନା ମାମଲା ନ ଚଳାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରି ଆଜି ତାଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ସୁପ୍ରିମ୍ କୋର୍ଟ ରାହୁଲ ଦେଇଥିବା ସଫେଇରେ ସୁନ୍ତୁଷ୍ଟ ହୋଇନାହାନ୍ତି ଏବଂ ଏ ବାବଦରେ ଆଗାମୀ ୩୦ ତାରିଖ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବି ତାଙ୍କ ଯୁକ୍ତି ରଖି କହିଥିଲେ ଯେ ରାଜନୈତିକ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟରେ ରାହୁଲ ରାଫେଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ତାଙ୍କ ବୟାନ ଦେଇଥିଲେ ଏବଂ ଏ ବାବଦରେ ସେ ସ୍ପଷ୍ଟ ସଫେଇ ଦେଇସାରିଛନ୍ତି। ଏ ବାବଦରେ କୋର୍ଟ କେବଳ ସ୍ପଷ୍ଟୀକରଣ ମାଗିଥିଲେ ବୋଲି ସେ କହିବାରୁ ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଥିଲେ ଯେ ଆପଣ ଯଦି ନୋଟିସ୍ ଜାରି ହୋଇନାହିଁ ବୋଲି କହୁଛନ୍ତି ତା’ହେଲେ ଆମେ ନୋଟିସ୍ ଜାରି କରୁଛୁ। ଏଥି ସହିତ ଅଦାଲତ ରାହୁଲଙ୍କୁ ନୋଟିସ୍ ଜାରି କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀ ମୀନାକ୍ଷୀ ଲେଖିଙ୍କ ଓକିଲ ମୁକୁଲ ରୋହତଗି କହିଥିଲେ, ରାହୁଲ ଗାନ୍ଧୀ ତାଙ୍କ ଜବାବ ଯେଉଁ ଢଙ୍ଗରେ ଦେଇଛନ୍ତି, ତାହାକୁ କ୍ଷମା ପ୍ରାର୍ଥନା ବୋଲି କୁହାଯାଇପାରିବ ନାହିଁ। ପ୍ରଧାନ ବିଚାରପତି ରୋହତଗିଙ୍କୁ ପ୍ରଶ୍ନ କରିଥିଲେ ଚୌକିଦାର କିଏ? ଏହାର ଜବାବରେ ରୋହତଗି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାହୁଲ ତାଙ୍କ ବୟାନରେ ଚୋକିଦାର ବୋଲି ଦର୍ଶାଇବା ସହ ଚୋର ବୋଲି କହିଛନ୍ତି ଏବଂ ଏହାକୁ ସୁପ୍ରିମ୍ କୋର୍ଟ ସହ ଯୋଡ଼ି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଗତକାଲି ରାହୁଲ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଜବାବରେ କହିଥିଲେ ଯେ ପ୍ରଚାର ସରଗରମ ଭିତରେ ସେ କୋର୍ଟ ରାୟକୁ ନ ପଢ଼ି ବୟାନ ଦେଇଥିଲେ। ସୁପ୍ରିମ୍ କୋର୍ଟ ଏବେ ଏହି ମାମଲାକୁ ଆଗାମୀ ମଂଗଳବାର ଦିନ ରାଫେଲ ପୁନର୍ବିଚାର ଆବେଦନ ସହିତ ଶୁଣାଣି କରିବେ।
ରାହୁଲଙ୍କୁ ଅଦାଲତ ଅବମାନନା ନୋଟିସ୍, ୩୦ରେ ଶୁଣାଣି, ପ୍ରଧାନ ବିଚାରପତିଙ୍କ ପ୍ରଶ୍ନ ଚୌକିଦାର କିଏ?
/sambad/media/post_attachments/wp-content/uploads/2019/04/Untitled-17-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)