ମାଲକାନଗିରି/ଖଇରପୁଟ: ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ାସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତହୀନତା ଓ ଦୃଷ୍ଟିଜନିତ ସମସ୍ୟା ଉପରେ ସଚେତନ କରିଛନ୍ତି ରାଜ୍ୟପାଳ। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ପାଇଁ ୧୨ ଗୋଟି ଦୃଷ୍ଟିଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର (ଫୋଲ୍ଡିଙ୍ଗ ଓରପ୍ଟର) ପ୍ରଦାନ କରିଛନ୍ତି। ଏଲଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ସହଯୋଗରେ ଏହାକୁ ଉପଲବ୍ଧ କରାଯାଇଛି।

Advertisment

କାର୍ଯ୍ୟକ୍ରମରେ ୫୦ ଜଣ ଶିକ୍ଷକଙ୍କୁ ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର(ଫୋଲ୍ଡିଙ୍ଗ ଓରପ୍ଟର)ର ବ୍ୟବହାର ସମ୍ପର୍କରେ ତାଲିମ୍ ଦିଆଯାଇଛି। ଆଜି ଏସଏସଡି ଉଚ୍ଚ ବିଦ୍ୟାଳୟ  ପରିସରରେ ଏକ କ୍ୟାମ୍ପ କରାଯାଇ ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ରକ୍ତହୀନତା (ଏନେମିଆ) ଉପରେ ସଚେତନ କରାଯାଇଛି। ରାଜଭବନ ପକ୍ଷରୁ ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ବିଟ୍, ଗାଜର ଓ ବାଦାମ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ସୂଚନା ଥାଉ କି ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ରାଜ୍ୟପାଳ ଏହି ବିଦ୍ୟାଳୟରେ ଆରମ୍ଭ କରିଛନ୍ତି ଏବଂ ଏହାର ସମସ୍ତ ଖର୍ଚ୍ଚ ରାଜଭବନ ପକ୍ଷରୁ ବହନ କରାଯିବ। ରାଜ୍ୟପାଳଙ୍କ ଉପସ୍ଥିତିରେ ଛାତ୍ରୀମାନେ ଗାଜର ଓ ବିଟ୍ ଜୁସ୍ ପିଇବା ସହ ଗୋଟିଏ ଲେଖାଏ ବାଦାମ ଲଡୁ ଖାଇଛନ୍ତି। ପ୍ରତ୍ୟେକ ଦିନ ସକାଳ ୯ଟାରେ ଛାତ୍ରୀମାନଙ୍କୁ ଗୋଟିଏ ଗ୍ଲାସ୍ ଗାଜର ଓ ବିଟ୍ ଜୁସ୍  ସହ ଗୋଟିଏ ଲେଖାଏ ବାଦାମ ଲଡୁ (ଚିକି) ଦିଆଯିବ। ଏହାପରେ ରାଜ୍ୟପାଳ ସୀତାକୁଣ୍ଡ ପରିଦର୍ଶନ କରି ଆଦିମ ଜନଜାତିଙ୍କ ଲୋକକୀର୍ତ୍ତି ସ୍ତମ୍ଭକୁ ପୂଜା କରିଥିଲେ। ସ୍ଥାନୀୟ ବିଡିଓଙ୍କୁ ସୀତାକୁଣ୍ଡର ଇତିହାସ ସଂପର୍କରେ ପଚାରି ବୁଝିଥିଲେ। ସେଠାରେ ସେ ବିଡିଏ ଦ୍ବାରା ଆୟୋଜିତ ଏ ସଭାରେ ଯୋଗ ଦେଇଥିଲେ। ଏହି ସ୍ୱତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, କମିସନର ତଥା ସଚିବ ରୂପା ରୋଶନ ସାହୁ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଓ ବନଖଣ୍ଡ ଅଧିକାରୀ ସାଇ କିରଣ ଉପସ୍ଥିତ ଥିଲେ।

Malkangiri | Governor Of Odisha