ଆମେ ୭୫ ବର୍ଷ ତଳେ ସ୍ବାଧୀନତା ପାଇଲୁ। ତା’ର ଅର୍ଥ କ’ଣ? ସଂଗ୍ରାମ ବେଳରେ ଗୋଟାଏ ଡାକ ଥିଲା- ‘‘ଲଢ଼ି କରି ଆମେ ସ୍ବରାଜ ନେବୁ’’। ତାହା କେଉଁ କଥାକୁ ବୁଝାଏ?
ସେତେବେଳକା ଭାରତରେ ଥିଲା ଦୁଇ ପ୍ରକାରର ଶାସନ। ପ୍ରଦେଶ ଥିଲା ୧୫ଟି। କରଦ ରାଜ୍ୟ ସଂଖ୍ୟା ୫୬୨। ପ୍ରଦେଶଗୁଡ଼ିକରେ ଗୋରା ସରକାରଙ୍କ ସିଧାସଳଖ ହୁକୁମତ୍‌ ଏବଂ କରଦ ରାଜ୍ୟଗୁଡ଼ିକରେ ଦେଶୀୟ ରାଜାଙ୍କ ମାଧ୍ୟମରେ ପରୋକ୍ଷ ଶାସନ। ସିଧାସଳଖ ହେଉ କି ପରୋକ୍ଷ ହେଉ ଶାସନ ଥିଲା ସେଇ ଗୋରା ସରକାରଙ୍କର। ସବୁଆଡ଼େ।
ବିଶାଳ ଭାରତ ବର୍ଷ। ହଜାର ହଜାର ବର୍ଷର ଏ ପ୍ରାଚୀନ ଭୂଖଣ୍ଡ ବ୍ରିଟିସ୍‌ ଶାସନ ଆସିବା ପୂର୍ବରୁ କେବେ ବି ଗୋଟାଏ ଶାସନ ଅଧୀନରେ ନ ଥିଲା। କେଉଁ ରାଜା, ମହାରାଜା କି ସମ୍ରାଟ ବୈଦିକ ଯୁଗରୁ ସୁଦ୍ଧା ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଶାସନଗତ ଭାବେ ଏହାକୁ ଗୋଟେ କରି ଧରି ପାରିନଥିଲେ। ବ୍ରିଟିସ୍‌ ସରକାର କିନ୍ତୁ ପାରିଲା। ବ୍ରହ୍ମଦେଶ, ସିଂହଳ, ସିନ୍ଧୁ, କନ୍ଦାହାର, ଆଫଗାନିସ୍ତାନ ସବୁ ତ ପୁରୁଣା ଭାରତର ଅଂଶ। ଏ ସବୁକୁ ଗୋଟେ କରି ଧରିଥିଲା ବିଲାତି ଶାସନ।
ଆମେ ଲଢ଼ିଲୁ। ସ୍ବାଧୀନତା ପାଇଲୁ ଅଥଚ ଭାରତରୁ ଅଲଗା ରହିଗଲେ ଆଜିର ମିଆଁମାର, ଶ୍ରୀଲଙ୍କା, ବଙ୍ଗଳାଦେଶ, ପାକିସ୍ତାନ, ଆଫଗାନିସ୍ତାନ ଇତ୍ୟାଦି। ଭାଇ ଭାଗ ପରି ସେମାନେ ଅଲଗା ହୋଇଗଲେ। ଆଜି ଯେଉଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସରକାର ଦ୍ବାରା ଶାସିତ, ତା’ର ବିଶାଳ ପରିସୀମା ବି ପୂର୍ବରୁ କେବେ ଗୋଟାଏ ଶାସନ ଅଧୀନକୁ ଆସିନଥିଲା।
ସାଧାରଣ ପାଠକଟିଏ ଭାବୁଥାଇ ପାରେ ଏ ଯେଉଁ ଶାସନ ବା ଗୋଟାଏ ଜନସମୂହକୁ ଧରି ରଖିବାର ବାଟ ତାହା ସମ୍ଭବ ହୁଏ କେମିତି? ସ୍ବାଧୀନତା କହିଲେ ଆମେ କେଉଁ କଥାରେ ସ୍ବାଧୀନ ହେଲେ? ସେଇ ଭୋକ, ଦୁର୍ନୀତି, ଭ୍ରଷ୍ଟାଚା‌ର, ଶୋଷଣ, ବେରୋଜଗାରୀ, ଭେଦଭାବ ତ ଅଛି, ଆଉ ସ୍ବରାଜ କ’ଣ? ଗୋରା ସରକାର ଗଲେ ଓ ଆମେ ନିଜକୁ ନିଜେ ଶାସନ କରିବାର ଅବକାଶ ପାଇଲେ। ତାହା କାହା ମାଧ୍ୟମରେ ଚାଲିଛି? କେଉଁ ବିଧି କେଉଁ ନିୟମ ଆମକୁ ନିୟନ୍ତ୍ରିତ କରୁଛି?
ବୁଝିବାକୁ ହେବ ଯେ ଗଣତନ୍ତ୍ରରେ ମଣିଷ ମଣିଷକୁ ଶାସନ କରେନା। ଶାସନ କରେ ମୌଳିକ ନୀତି ନିୟମ ଯାହା ସେ ସକାଶେ ନିର୍ମିତ ହୋଇଥାଏ। ରାଜା ଶାସନରେ ରାଜା ଯାହା ବିଚାର କଲେ ବା କହିଲେ ତାହା ନିୟମ ହୋଇ ପାଳିତ ହୁଏ ମାତ୍ର ଗଣତନ୍ତ୍ରରେ ଜଣେ ଯାହା କହିଦେବେ ତାହା ନିୟମ ହୋଇଯାଏ ନାହିଁ।
ମଣିଷକୁ ଚଳେଇବା କଥା କହିଲେ ଆଜି ବି ଧର୍ମମତ ସବୁଠି ଲୋକଙ୍କୁ ନିୟନ୍ତ୍ରିତ କରୁଛି। ତାହା ଗଣତାନ୍ତ୍ରିକ ଶାସନ ହେଉ କି ଜଣତାନ୍ତ୍ରିକ, ଧର୍ମମତ ସବୁଠି ବଳବତ୍ତର। ଲୋକେ ଧର୍ମଗ୍ରନ୍ଥକୁ ଯେତେ ସମ୍ମାନ ଦିଅନ୍ତି ସେତେ ଦିଅନ୍ତି ନାହିଁ ଦେଶର ମୌଳିକ ବିଧିଗ୍ରନ୍ଥକୁ। ଗଣତନ୍ତ୍ର କିନ୍ତୁ ଧର୍ମଗ୍ରନ୍ଥ ଆଧାରରେ ଚାଲେ ନାହିଁ, ଚାଲେ ବିଧିଗ୍ରନ୍ଥ ଆଧାରରେ। ଧର୍ମ ପ୍ରତିଷ୍ଠାତାମାନଙ୍କ ପ୍ରଦତ୍ତ ବାଣୀ ବା ନୀତି ଆଧାରରେ ଗଢ଼ା ହୋଇଥାଏ ଧର୍ମଗ୍ରନ୍ଥ ମାତ୍ର ଦେଶର ପ୍ରମୁଖ ମନୀଷୀମାନଙ୍କ ବିଚାର ଆଧାରରେ ତିଆରି ହୋଇଥାଏ ବିଧିଗ୍ରନ୍ଥ। ଅନ୍ତତଃ ଭାରତର ସମ୍ବିଧାନ ଗଢ଼ା ହୋଇଛି ସେଇଭଳି ଗୋଟାଏ ମହାର୍ଘ ପୃଷ୍ଠଭୂମିରେ।
ଭାରତ ବର୍ଷ କାହିଁକି ସାରା ପୃଥିବୀରେ ବେଦ ହେଉଛି ସର୍ବପ୍ରାଚୀନ ଧର୍ମଗ୍ରନ୍ଥ। ଏହାକୁ ତତ୍‌କାଳୀନ ଭାରତଭୂଇଁର ଋଷିମାନେ ସରସ୍ବତୀ ନଦୀ କୂଳରେ ବସି ରଚନା କରିଥିଲେ ବୋଲି କି˚ବଦନ୍ତି କହେ। କିଏ ଜାଣେ ଏଥିପାଇଁ କେତେବର୍ଷ ଲାଗିଥିଲା! କିଏ ଥିଲେ ପ୍ରମୁଖ, କିଏ ଥିଲେ ଲିଖନକାର, କାହା ବରାଦରେ ଏହାର ସୃଷ୍ଟି? ସେସବୁ ରହସ୍ୟମୟ। ବେଦକୁ ସମସ୍ତେ ମାନନ୍ତି। ଅଣହିନ୍ଦୁମାନେ ସୁଦ୍ଧା ବେଦର ବାଣୀ ଉଦ୍ଧାର କରନ୍ତି।
ଅନ୍ୟ ପକ୍ଷରେ ଭାରତର ଇଦାନୀନ୍ତନ ମୌଳିକ ବିଧିଗ୍ରନ୍ଥଟି ଗଢ଼ି ଉଠିଛି ଏକ ବିଶାଳ ବିଚାରମଣ୍ଡଳୀଙ୍କ ଦ୍ବାରା। ସାରା ଭାରତରୁ ବଛା ବଛା ୨୯୯ ଜଣ ବ୍ୟକ୍ତି ଏକାଠି ଦିଲ୍ଲୀରେ ସମ୍ବିଧାନ ଗଢ଼ିବା ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ଗୋଟିଏ ଗୃହରେ ବସି ଏହାକୁ ରଚନା କରିଛନ୍ତି। ବିନା ଆଲୋଚନା, ପର୍ଯ୍ୟାଲୋଚନାରେ ଗ୍ରନ୍ଥ ଗଢ଼ା ହୋଇନାହିଁ। ଏଥିରେ ସମସ୍ତେ ଥିଲେ ପ୍ରାଜ୍ଞ ଆଉ ବିଜ୍ଞ। ୨ ବର୍ଷ ୧୧ ମାସ ୧୮ ଦିନ ଧରି ଚାଲିଥିଲା ଏହି ପବିତ୍ର ପର୍ଯ୍ୟାଲୋଚନା କସରତ୍‌।
କୋଣାର୍କ କି ତାଜମହଲ ଭଳି ଇମାରତ୍‌ଟିଏ ଦେଖିଦେଲେ ମନରେ ସେ କଳାକୃତି ପ୍ରତି ସମ୍ମାନ ଆସେ ହେଲେ ତା’ର ନିର୍ମାଣ ଭିତ୍ତି ବା ଇତିହାସ ସମ୍ପର୍କରେ ଜାଣିବା ପରେ ସେ ସମ୍ମାନ ଆହୁରି ଯଥେଷ୍ଟ ଅଧିକ ବଢ଼ିଯାଏ।
ଭାବି ହେଉଛି? ସାରା ଭାରତରୁ ୨୯୯ ଜଣ। ପ୍ରାୟ ତିନି ବର୍ଷ କାଳର ମାନସ ମନ୍ଥନ। ତା’ପରେ ଯାଇ ମୁଣ୍ଡି ମରାହୋଇଛି ଏ ବିଧିମନ୍ଦିରର, ବିଧିଗ୍ରନ୍ଥର ବା ସମ୍ବିଧାନର। ଆରମ୍ଭ ୯ ଡିସେମ୍ବର, ୧୯୪୬। କାମ ଶେଷ ହୋଇଛି ୨୬, ନଭେମ୍ବର ୧୯୪୯ରେ। ଗ୍ରନ୍ଥର ନୀତି କାର୍ଯ୍ୟକାରୀ ହୋଇଛି ଜାନୁଆରି ୨୬, ୧୯୫୦ରୁ। ସେଥିରେ ପୁଣି ୧୪ ଅଗଷ୍ଟ ୧୯୪୭ରୁ ନୂଆ ଭାରତକୁ ‌ଚଳେଇବାର ଦାୟିତ୍ବ ନେଇଥିଲା ଏ ସଭା।
ଗଡ଼ଜାତ ଲୋକେ ତ ନିର୍ବାଚନ କ’ଣ ଜାଣି ନ ଥିଲେ। ଭୋଟ୍‌ ସମ୍ପର୍କରେ ସେମାନଙ୍କର ସାମାନ୍ୟତମ ଅବଧାରଣା ବି ନ ଥିଲା। ପ୍ରଦେଶଗୁଡ଼ିକରୁ ପ୍ରତିନିଧି, ନିର୍ବାଚନ ମାଧ୍ୟମରେ ବଛା ହୋଇ ସମ୍ବିଧାନ ସଭାର ସଭ୍ୟ ହେଲେ। ଖଣ୍ଡ ଖଣ୍ଡ ହୋଇଥିବା ୫୬୨ ଗୋଟି ଦେଶୀୟ ରାଜ୍ୟରୁ ପ୍ରତିନିଧି ବଛା ହେବେ କେମିତି? ଘର ତୋଳିବା ସକାଶେ ନିଅଁ ଖୋଳିବା ଭଳି ଏ କାମ। ଅତଏବ ବିଭିନ୍ନ ପ୍ରକ୍ରିୟାରେ କରଦ ରାଜ୍ୟଗୁଡ଼ିକରୁ ସଭ୍ୟମାନଙ୍କୁ ମନୋନୀତ କରାଗଲା। ପ୍ରଦେଶଗୁଡ଼ିକରୁ ୨୯୬ ଏବଂ ଦେଶୀୟ ରାଜ୍ୟ ସମୂହରୁ ୯୩। ମୂଳ ସଂଖ୍ୟା ଥିଲା ୩୮୯। ସେତେବେଳକୁ ଭାରତ ବିଭାଜିତ ହୋଇନଥିଲା। କଂଗ୍ରେସ ଦଳରୁ ୨୦୮, ମୁସଲିମ୍‌ ଲିଗ୍‌ରୁ ୭୩ ଏବଂ ଅନ୍ୟମାନେ ଥିଲେ ୧୫। ସଭିଏଁ ନିର୍ବାଚିତ।
୧୯୪୬ ଶେଷରେ ଆରମ୍ଭ ହୋଇଥିବା ଏ ବିଧି ନିର୍ମାଣର ପବିତ୍ର ସମାବେଶ ମାତ୍ର ଆଠମାସ ପରେ ଅଗଷ୍ଟ ୧୪, ୧୯୪୭ ବେଳକୁ ଗୋଟାଏ ନିର୍ମମ ଝଟ୍‌କା ଖାଇଲା। ପାକିସ୍ତାନ ଗଢ଼ା ହୋଇଗଲା। ଆଗରୁ ଦୂରେଇ ଯାଇଥିଲେ ପାକିସ୍ତାନ ବିଚାର ସହ ଯୋଡ଼ା ହୋଇଥିବା ମୂର୍ଦ୍ଧନ୍ୟ ପ୍ରତିନିଧିମାନେ। ଭାରତର ବିଧିଗ୍ରନ୍ଥ ନିର୍ମାଣ ପାଇଁ ରହିଯାଇଥିଲେ ମାତ୍ର ୨୯୯ ସ୍ଥପତି।
ମୂଳରୁ ଏ ନିର୍ମାଣର ମଙ୍ଗ ଧରିଥିଲେ ପୁରୁଣା ଇମ୍ପେରିଆଲ୍‌ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲ୍‌ର ଏକଦା ଉପସଭାପତି ଥିବା ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟବସ୍ଥାପକ ତଥା ଅଭିଜ୍ଞ ଡ. ସଚ୍ଚିଦାନନ୍ଦ ସିହ୍ନା। ପ୍ରସ୍ତାବକ ଥିଲେ ସେତେବେ‌ଳକା କଂଗ୍ରେସ ଦଳର ସଭାପତି ଆଚାର୍ଯ୍ୟ ଜେ. ବି. କୃପାଳିନୀ। ଅଥଚ ଶାରୀରିକ ଅସୁସ୍ଥତା କାରଣରୁ ମାତ୍ର ୪ ଦିନ ଡ. ସିହ୍ନା ରହିପାରିଥିଲେ ଏ ବିଧିଗ୍ରନ୍ଥ ଗଠନ ସଭାର ସଭାପତି।
ପ୍ରଥମ ଦିନରେ ସବୁଠାରୁ ଅଧିକ ସଭ୍ୟ ଥିଲେ ମାଡ୍ରାସରୁ, କାରଣ ସେମାନଙ୍କର ପ୍ରତିନିଧି ସଂଖ୍ୟା ଥିଲା ୪୩। ଓଡ଼ିଶାରୁ ଥିଲେ ମାତ୍ର ୯ ଜଣ। ସେମାନେ ହେଲେ ସର୍ବଶ୍ରୀ ହରେକୃଷ୍ଣ ମହତାବ, ବିଶ୍ବନାଥ ଦାସ, ବୋଧରାମ ଦୁବେ, ଲକ୍ଷ୍ମୀନାରାୟଣ ସାହୁ, ଭୁବନାନନ୍ଦ ଦାସ, ନନ୍ଦ କିଶୋର ଦାସ, ରାଜକୃଷ୍ଣ ବୋଷ, ଶାନ୍ତନୁ କୁମାର ଦାସ ଓ ଶ୍ରୀମତୀ ମାଳତୀ ଚୌଧୁରୀ।
ଚାରିଦିନ ପରେ ସଭାପତି ନିର୍ବାଚନ ପାଇଁ ଦୁଇଟି ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଗୋଟିକରେ ଜେ. ବି. କୃପାଳିନୀ ପ୍ରସ୍ତାବକ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସମର୍ଥକ ଥିଲେ ଏବଂ ଅନ୍ୟଟିରେ ହରେକୃଷ୍ଣ ମହତାବ ପ୍ରସ୍ତାବକ ଓ ନନ୍ଦକିଶୋର ଦାସ ସମର୍ଥକ ଥିଲେ। ନାଁ ଥିଲା ଜଣକ ପାଇଁ। ଅତଏବ ଡ. ରାଜେନ୍ଦ୍ର ପ୍ରସାଦ ନିର୍ବିଘ୍ନରେ ତଥା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ପରବର୍ତ୍ତୀ କାଳରେ ଓଡ଼ିଶାର ଗଡ଼ଜାତ ସମୂହରୁ ମନୋନୀତ ହୋଇ ଆଉ ପାଞ୍ଚଜଣ ଏହି ସମ୍ବିଧାନ ନିର୍ମାଣ ସଭାରେ ସଭ୍ୟ ହୋଇଥିଲେ। ସେମାନେ ହେଲେ ସର୍ବଶ୍ରୀ ସାରଙ୍ଗଧର ଦାସ, ଯୁଧିଷ୍ଠିର ମିଶ୍ର, ଏନ୍‌. ମାଧବ ରାଓ, ଲୋକନାଥ ମିଶ୍ର ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ତେଣୁ ଓଡ଼ିଶାର ପ୍ରତିନିଧିମାନଙ୍କ ସଂଖ୍ୟା ୯ରୁ ବଢ଼ି ୧୪ ‌େ‌ହାଇଥିଲା।
ସ୍ମରଣଯୋଗ୍ୟ ଯେ ଏ ଯେଉଁ ନିର୍ମାଣ ସଭ‌ା ତାହା ନୂଆ ଭାରତ ଗଢ଼ିବା ସହ ବ୍ରିଟିସ୍‌ ଶାସନ ଅମଳରେ ଥିବା ଇମ୍ପେରିଆଲ୍‌ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲ୍‌ ବା କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ସବୁ କ୍ଷମତା ହାତକୁ ନେଇ ସାରିଥିଲା। ପୁଣି ୧୯୫୦ରେ ସମ୍ବିଧାନ ଗଠିତ ହୋଇ କାର୍ଯ୍ୟକ୍ଷମ ହେବା ପରେ ଭାରତର ନୂଆ ପାର୍ଲାମେଣ୍ଟ ଗଠିତ ହେବା ସହ ଏ ସଭା ତା’ର ସତ୍ତା ହରାଇଥିଲା।
ନିର୍ମାଣ ସଭାର ସଭାପତି ଡ. ରାଜେନ୍ଦ୍ର ପ୍ରସାଦ, ଉପ-ସଭାପତି ଏଚ୍‌. ସି. ମୁଖାର୍ଜୀ ଓ ଭି. ଟି. କୃଷ୍ଣମାଚାରୀ, ସମ୍ବିଧାନ ଚିଠା ପ୍ରସ୍ତୁତି ସମିତିର ଅଧ୍ୟକ୍ଷ ଥିଲେ ବି. ଆର୍‌. ଆମ୍ବେଦକର ଏବଂ ସାମ୍ବିଧାନିକ ଉପଦେଷ୍ଟା ଥିଲେ ଆନ୍ତର୍ଜାତିକ ଆଇନ ବିଶାରଦ ବି. ଏନ୍‌. ରାଉ।
ଏକ ଭାବପୂର୍ଣ୍ଣ ବକ୍ତବ୍ୟ ଦେଇ ଡ. ରାଜେନ୍ଦ୍ର ପ୍ରସାଦ କହିଥିଲେ, ‘‘ମୁଁ କଥା ଦେଉଛି ଏହି ସଭାର କାର୍ଯ୍ୟଧାରାରେ ଏମିତି କିଛି କାମ କରିବି ନାହିଁ ଯାହା ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ବ୍ୟକ୍ତି ଭାବରେ ପରିଗଣିତ ହେବି।’’
ଗୌରବର କଥା ଯେ ନୂଆ ଭାରତ ସକାଶେ ଗଢ଼ା ହୋଇଥିବା ଏ ବିଧିଗ୍ରନ୍ଥର ନିର୍ମାଣ ଲାଗି ସାରା ବିଶ୍ବର ୧୦୦ରୁ ଅଧିକ ସମ୍ବିଧାନର ଅନୁଶୀଳନ କରାଯାଇଥିଲା। ତା’ ଭିତରେ ସର୍ବା‌ଗ୍ରେ ଥିଲା ବ୍ରିଟିସ୍‌ ସରକାର ଭାରତ ପାଇଁ ତିଆରି କରିଥିବା ଆଇନ ଖସଡ଼ା, ‘‘ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍‌ଟ, ୧୯୩୫’’। ତା’ସହ ଆମେରିକା, ଇଂଲଣ୍ଡ୍‌, ଆୟାରଲାଣ୍ଡ୍‌, ସୋଭିଏତ୍‌ ସଂଘ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ୍‌ ଭଳି ଅନେକ ପ୍ରମୁଖ ଦେଶରେ ଚାଲିଥିବା ସମ୍ବିଧାନର ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକୁ ବିଶ୍ଳେଷଣ କରି ସେସବୁରୁ କେତେକ ନୀତି, ନିୟମ ଓ ଧାରା ଉଦ୍ଧାର କରାଯାଇଥିଲା।
ସଭାପତି ଆସନ ଅଳଙ୍କୃତ କରୁ କରୁ ଡ. ପ୍ରସାଦ ୧୯୪୬, ଡିସେମ୍ବର ୧୧ରେ ଗୋଟିଏ ୧୫ ଜଣିଆ ‘‘ନିୟମ-ନିର୍ଦ୍ଧାରଣ ସମିତି’’ ଗଠନ କରିଥିଲେ।
ନକ୍‌ସା ତିଆରି ନ ହେଲେ ନିର୍ମାଣ ହେବ କେମିତି? କିଏ ସେ ଦୂରଦ୍ରଷ୍ଟା ଆଗାମୀ ଭାରତ ପାଇଁ ତିଆରି ହେଉଥିବା ବିଧିଗ୍ରନ୍ଥ ସକାଶେ ନିୟମ-ନକ୍‌ସା ପ୍ରସ୍ତୁତ କରିବ? ସେତେବେଳକୁ କାମଚଳା ସରକାରର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ। ସାରା ସଭା ତାଙ୍କରି ପରାମର୍ଶ ଲୋଡ଼ିଲା। ୧୨ ତାରିଖଟି ସେଥିଲାଗି ସ୍ଥଗିତ ‌ରହିଲା। ୧୯୪୬ ଡିସେମ୍ବର ୧୩ ତାରିଖରେ ଜବାହରଲାଲ ବିଧିଗ୍ରନ୍ଥ ନିର୍ମାଣର ଭିତ୍ତିଲାଗି ପ୍ରସ୍ତାବ-ଖସଡ଼ା ରଖିଲେ। ତାହା ଥିଲା ‘‘ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧୀୟ ପ୍ରସ୍ତାବ।’’
ଭାରତ ସେତେବେଳକୁ ବିଭାଜିତ ହୋଇ ନ ଥିଲା। ମୁସଲିମ୍‌ ଲିଗ୍‌ ତରଫରୁ ନିର୍ବାଚିତ ‌ସଭ୍ୟମାନେ ଆରମ୍ଭରୁ ଏ ସଭାକୁ ବର୍ଜନ କରିସାରିଥିଲେ। ମହାତ୍ମା ଗାନ୍ଧୀ ବିଧିଗ୍ରନ୍ଥ ନିର୍ମାଣ ସଭାଠାରୁ ଦୂରେଇ ରହିଥିଲେ। ଅତଏବ ସେଇ ଡିସେମ୍ବର ୧୯୪୬ ବେଳୁ ଜଣା ପଡ଼ିଯାଇଥିଲା ଯେ ଭାରତ ଛାତିରେ ଗାର ପଡ଼ିସାରିଛି। ସେପଟୁ ଜିନ୍ନା ଏପଟୁ ଗାନ୍ଧୀଜୀ, କେହି ନ ଥିଲେ ଏ ପବିତ୍ର ନିର୍ମାଣ ପର୍ବରେ।
ଆଖିରେ ଲୁହ ଓ ଛାତିରେ କୋହ ରଖି ପଣ୍ଡିତ ନେହରୁ ଆରମ୍ଭ କରିଥିଲେ ନବୀନ ଭାରତର ‘‘ଲକ୍ଷ୍ୟ-ଉଦ୍ଦେଶ୍ୟ’’- ଓଁକାର ଧ୍ବନି। ଥରୁଥିଲା ଛାତି।
[email protected]