ଜଣେ ବ୍ୟକ୍ତି ୟୁଜିକେଙ୍କୁ କହିଲେ- ମୁଁ କାହିଁକି ହଠାତ୍ ରାଗି ଯାଉଛି କହିପାରିବେ କି?
ୟୁଜିକେ କହିଲେ- କହୁଛି। କିନ୍ତୁ ପ୍ରଥମେ ଆପଣ ଏଇ ପଙ୍ଖାଟିକୁ ଚଳାନ୍ତୁ ତ!
ସେହି ବ୍ୟକ୍ତି ଉଠିଯାଇ ସୁଇଚ୍ଟି ଅନ୍ କରିଦେଲେ। ପଙ୍ଖାଟି ବୁଲିବାକୁ ଲାଗିଲା।
ୟୁଜିକେ କହିଲେ- ଆପଣ ସୁଇଚ୍ ଦବେଇ ନ ଥିଲେ ତାହା ବୁଲିଥାଆନ୍ତା କି?
ଭଦ୍ରଲୋକ କହିଲେ ତାହା କେମିତି ସମ୍ଭବ?
ୟୁଜିକେ କହିଲେ- ଏବେ ଆପଣଙ୍କ ସମସ୍ୟାକୁ ଆସିବା। ଧରନ୍ତୁ ଆପଣଙ୍କ କଥା ମୁତାବକ କିଏ କାମ କଲା ନାହିଁ, ଆପଣଙ୍କ ଗୋଡ଼ ଉପରେ ଚଢ଼ିଗଲା, ଆପଣଙ୍କୁ କଟମଟ କରି ଚାହିଁଲା ବା ସେଇଭଳି କିଛି କଲା, ଆପଣଙ୍କ ମନେର ତତ୍କ୍ଷଣାତ୍ ରାଗ ଆସିଗଲା। ସେମିତି ଜଣେ ଆପଣଙ୍କ ସହ ଭଲ ବ୍ୟବହାର କଲା, ଆପଣଙ୍କୁ ଭଲ ଲାଗିଲା ଭଳି କଥା ପଦେ କହିଲା, ଆପଣଙ୍କୁ ପ୍ରଶଂସା କଲା, ଆପଣଙ୍କ ମନ ଖୁସିରେ ଭରିଗଲା।
ଏହାର ଅର୍ଥ ବୁଝି ପାରୁଛନ୍ତି ତ? ବାହାରୁ ହେଉଥିବା କ୍ରିୟା ଆପଣଙ୍କ ମନରେ ରାଗ ବା ଖୁସି ଆଦି ଜାତ କରାଉଛି! ତେଣୁ ଏଇ ପଙ୍ଖା ଚଳାଇବାର ସୁଇଚ୍ ଭଳି ଆପଣ ନିଜ ମନକୁ ଚଳାଇବା ଲାଗି ଅନ୍ୟ ହାତରେ ସୁଇଚ୍ ଧରାଇ ଦେଇଛନ୍ତି। ତେଣୁ ଘଟଣା ହେଉ ବା ବ୍ୟକ୍ତି; ବାହାରୁ ସୁଇଚ୍ ଟିପାଗଲେ ଆପଣଙ୍କ ମନ ତଦନୁଯାୟୀ ଚାଲୁଛି। ଏବେ ସୁଇଚ୍କୁ ନିଜ ହାତରେ ରଖନ୍ତୁ। ଆପଣଙ୍କୁ ବିରକ୍ତ କରୁଥିବା ଲୋକ ବା ଘଟଣା ଉଦ୍ଦେଶ୍ୟରେ କହନ୍ତୁ- ଯେତେ ଚେଷ୍ଟା କଲେ ବି ମୁଁ ରାଗିବି ନାହିଁ। ଏମିତି ସଚେତନ ଭାବେ କରନ୍ତୁ। ପ୍ରଥମେ ବିଫଳ ହେବେ। କିନ୍ତୁ ଅଭ୍ୟାସ କ୍ରମେ ଦେଖିବେ ଆଉ କାହା ଉପରେ ରାଗିବେ ନାହିଁ। ମନକୁ ରାଗ ଆସିବ ନାହିଁ। ସୁଇଚ୍ ଆପଣଙ୍କ ହାତରେ ଥିବ।
ନିଜ ହାତରେ ସୁଇଚ୍
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)