ମେଷ:ଏ ବର୍ଷ ଧନ ସଂପଦ ଓ ପ୍ରତିଷ୍ଠା ସବୁ କିଛି ପାଇପାରିବେ। ଫେବ୍ରୁଅ‌ାରିରୁ ନଭେମ୍ବର ମାସ ଭିତରେ ଦୁଇରୁ ତିନି ବର୍ଷ ଲାଗି ବୈଦେଶିକ ବେପାରବଣିଜ ସୁଯୋଗ ପାଇବେ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ସଫ୍ଟୱେର୍‌ ଇଂଜିନିୟରଙ୍କ ଲାଗି ବିଦେଶରେ କାମ କରିବାର ସୁଯୋଗ ଆସିବ। ବୈଜ୍ଞାନିକ ଓ ଠିକାଦାରଙ୍କ ଲାଗି ବର୍ଷଟି ସ୍ମରଣୀୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳର କୌଣସି ବଡ଼ ଦାୟିତ୍ବ ତୁଲାଇବେ। ନୂଆ ଘର ନିର୍ମାଣ କିମ୍ବା କାର୍ କିଣିବାର ସ୍ବପ୍ନ ପୂରା ହେବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଯେଉଁ ଛାତ୍ରଛାତ୍ରୀ ବିଦେଶ ଯାଇ ଅଧ୍ୟୟନ କରିବାର ଆଶା ରଖିଛନ୍ତି ସେମାନଙ୍କ ଲାଗି ବର୍ଷଟି ବିଶେଷ ଫଳଦାୟୀ ହେବ। ସ୍ବାସ୍ଥ୍ୟ ଓ ଶକ୍ତି ବୃଦ୍ଧି ଲାଗି ଉଚିତ ପଦକ୍ଷେପ ନେବେ ଏବଂ ସେଥିରୁ ବିଶେଷ ସଫଳତା ପାଇବେ।
 

Advertisment

ବୃଷ:ଆପଣଙ୍କ ଜୀବନ-ଜୀବିକା ପାଇଁ ବର୍ଷଟି ବହୁତ ଭଲ। ଜାନୁଆରି, ଫେବ୍ରୁଅ‌ାରି, ଅପ୍ରେଲ୍‌, ଅକ୍‌ଟୋବର ଓ ଡିସେମ୍ବର ମାସରେ ବ୍ୟବସାୟ କ୍ଷେତ୍ରରେ କୋହଳ ହୁଅନ୍ତୁ ନାହିଁ। ପ୍ରତିଦ୍ବନ୍ଦ୍ବୀ ବେପାରୀ କ୍ଷତି କରିବାରେ ସଫଳ ହୋଇପାରନ୍ତି। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମଇରୁ ସେପ୍‌ଟେମ୍ବର ମାସ ଭିତରେ ପୁଞ୍ଜି ବଜାର, ସୁନା ଓ ଜମିରେ ନିବେଶ ଲାଗି ଆଗେଇ ଆସନ୍ତୁ, ଯଥେଷ୍ଟ ଲାଭ ହେବ। ଗଣମାଧ୍ୟମ, କଳା ସଙ୍ଗୀତ, ଟ୍ରାଭେଲ୍‌ଏଜେନ୍ସି, ବିଜ୍ଞାପନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ଆପଣ ଅନ୍ୟମାନଙ୍କ ଠାରୁ ଅଲଗା କାମ କରିବାର ଶୈଳୀ ପାଇଁ ଦୃଷ୍ଟି ଆକର୍ଷଣ କରିବେ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ଅପ୍ରେଲ୍‌ରୁ ଡିସେମ୍ବର ମାସ ଭିତରେ କର୍ମଜୀବୀ ମହିଳାମାନେ ମନପସନ୍ଦର ସାଥୀ ସହିତ ବିବାହ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ପ୍ରାତଃଭ୍ରମଣ କରନ୍ତୁ, ସ୍ବାସ୍ଥ୍ୟ ପାଇଁ ଭଲ ହେବ।
 
ମିଥୁନ :ବର୍ଷଟି ଧନ ବୃଦ୍ଧି ଦୃଷ୍ଟିରୁ ବହୁତ ଭଲ। ଯଦି କୌଣସି ସରକାରୀ କାର୍ଯ୍ୟରୁ ଅର୍ଥ ପାଇବାର ଅଛି ତେବେ ଆପଣଙ୍କୁ ମିଳିବାର ପୂରା ସମ୍ଭାବନା ରହିଛି। ଫେବ୍ରୁଅ‌ାରିରୁ ନଭେମ୍ବର ମାସ ଭିତରେ ଆପଣ କୌଣସି ଭଲ ଜାଗାରେ ନିବେଶ କରି ନିଜର ସମୃଦ୍ଧି ସହ ଆର୍ଥିକ ସୁରକ୍ଷା ବୃଦ୍ଧି କରିପାରନ୍ତି। ସରକାରୀ ଚାକିରିଆ ପଦୋନ୍ନତି ସହ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବ। ଟେଲି କଳାକାର, ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବହୁତ ଉନ୍ନତି କରିବେ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ଭଲଭାବେ ନିର୍ବାହ କରିବେ। ଜୀବନସାଥୀର ମାନସିକ ଅସୁସ୍ଥତା ଆପଣଙ୍କ ବୈବାହିକ ଜୀବନକୁ ଅଶାନ୍ତ କରିପାରେ। ଅବିବାହିତଙ୍କ ଲାଗି ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ଯେଉଁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ସେମାନଙ୍କର ସ୍ବପ୍ନ ପୂରା ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ବିଶେଷକରି ଯେଉଁମାନଙ୍କର କଫ, ଶ୍ବାସରୋଗ, ଚକ୍ଷୁ, କାନ ଓ ସ୍ନାୟବିକ ସମସ୍ୟା ଅଛି।

କର୍କଟ:ବର୍ଷର ପ୍ରଥମ ତିନିମାସ ବୈଦେଶିକ ବେପାରବଣିଜରେ କୌଣସି ଅସାବଧାନତା ପାଇଁ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ତରବରିଆରେ କିଛି ବି କରନ୍ତୁ ନାହିଁ। ମାର୍ଚରୁ ଅକ୍‌ଟୋବର ମାସ ଭିତରେ ବ୍ୟବସାୟରେ ଅଧିକ ଲାଭ ପାଇଁ କିଛି ନୂଆ ଆରମ୍ଭ କରିବେ। ଅଫିସ୍‌ରେ କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ ଦାୟିତ୍ବ ଦେବେ। କରିଆସୁଥିବା ଭଲ କାମ ପାଇଁ ଆପଣ ସମ୍ମାନିତ ହେବେ। ଲାଗି ରହିଥିବା କୋର୍ଟକଚେରି ମାମଲାର ଫଇସଲା ଆପଣଙ୍କ ସପକ୍ଷରେ ଯିବ। ପରିବାରରେ ମଧୁରତା ବଜାୟ ରହିବା ସହିତ ବିଶ୍ବାସ ବି ବଢ଼ିବ। ବିବାହଯୋଗ୍ୟ ବ୍ୟକ୍ତିମାନଙ୍କର ବିବାହ କଥାବାର୍ତ୍ତାରେ କୌଣସି ବାଧା ସୃଷ୍ଟି ହେବନାହିଁ। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ। ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ରଛାତ୍ରୀ ଭଲ ଜାଗାରେ ଚାକିରି ପାଇବେ। ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ। ଜାନୁଆରି, ଫେବ୍ରୁଆରି ଓ ଅଗଷ୍ଟ ମାସରେ ସଂକ୍ରାମକ ରୋଗ, ଖାଦ୍ୟ ବିଷାକ୍ତତା ଓ ଶରୀରରେ ଆଘାତ ଲାଗିବାର ଆଶାଙ୍କା ରହିଛି।
 
ସିଂହ :ଏ ବର୍ଷ ଆପଣଙ୍କର ବ୍ୟକ୍ତିତ୍ବର ମହକ ଚାରିଆଡ଼େ ପ୍ରସାରିତ ହେବ। ବ୍ୟବସାୟ ପାଇଁ ଏଭଳି ଯୋଜନା କରିବେ ଯାହା ସେପ୍ଟେମ୍ବରରୁ ଡିସେମ୍ବର ମାସ ଭିତରେ ଆପଣଙ୍କୁ ଲାଭବାନ୍‌ କରିବ। ଜାନୁଆରି, ମାର୍ଚ, ଜୁନ୍‌ ଓ ଅଗଷ୍ଟ ମାସରେ କୌଣସି ପ୍ରକାର ଆଇନ ବିରୋଧୀ କାର୍ଯ୍ୟକଲେ ଭବିଷ୍ୟତରେ ଅସୁବିଧାରେ ପଡ଼ି ଯାଇପାରନ୍ତି। ଯେଉଁ ମହିଳାମାନେ କ୍ଷୁଦ୍ର ଉଦ୍ୟୋଗ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସେମାନେ ସରକାରୀ ସହଯୋଗ ପାଇପାରିବେ। ବହୁରାଷ୍ଟ୍ରୀୟ କଂପାନିରେ ଚାକିରି କରୁଥିବା ଇଂଜିନିୟରମାନଙ୍କର ବେତନ ବୃଦ୍ଧି ବା ପଦୋନ୍ନତି ହେବ। ଜମି କିଣିବେ କିମ୍ବା ନୂଆ ଘର ନିର୍ମାଣ କରିବେ। ଘରର ପରିବେଶ ସକାରାତ୍ମକ ରହିବ। ଆପଣଙ୍କ ସନ୍ତାନ କିଛି ଏଭଳି କାମ କରିବେ ଯାହାଦ୍ବାରା ପରିବାରର ନାମ ଉଜ୍ଜ୍ବଳ ହେବ। ଯେଉଁମାନ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ବିବାହ‌େର ପରିଣତ ହେବ। ବିଜ୍ଞାନ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷଟି ବହୁତ ଭଲ। ସୁସ୍ଥ ଜୀବନ ଜିଇବା ପାଇଁ ଉଚିତ ପଦକ୍ଷେପ ନେବେ।
 
କନ୍ୟା:ଗ୍ରହର ଶୁଭ ସ୍ଥିତି ଯୋଗୁଁ ଆପଣଙ୍କ ପାଇଁ ବର୍ଷଟି ବହୁତ ଭଲ ରହିବ। ଅନ୍ୟମାନଙ୍କ ସହିତ ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ମାର୍ଚରୁ ଡିସେମ୍ବର ମାସ ମଧ୍ୟରେ ବେପାର ଉଦ୍ୟୋଗରେ ଅଧିକ ସଫଳତା ଓ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଇଂଜିନିୟରିଂ, ଫିଲ୍ମ ଉଦ୍ୟୋଗ ଓ ଇସ୍ପାତ ସଂପର୍କିତ କାମ କରୁଥବା ବ୍ୟକ୍ତିମାନଙ୍କ ପାଇଁ ସଫଳତାର ନୂଆ ମାର୍ଗ ଖୋଲିବ। ଚାକିରିଜୀବୀଙ୍କ ଭାଗ୍ୟ ଉଜ୍ଜ୍ବଳ। ପଦୋନ୍ନତି ସହ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବେ। ନୂଆ ଗୃହ ସଂପତ୍ତି କିଣିବେ। ପାରିବାରିକ ଜୀବନରେ ସ୍ପଷ୍ଟତା ରହିବ। ନବବିବାହିତ ଦମ୍ପତି ବଡ଼ ସହରକୁ ଛୁଟି କଟାଇବା ପାଇଁ ଯିବେ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଜର କଥା ସ୍ପଷ୍ଟଭାବେ ସାଥୀଙ୍କ ଆଗରେ ରଖିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। ଶରୀର ସୁସ୍ଥ ରହିବ। ମାର୍ଚ୍ଚରୁ ସେପ୍‌ଟେମ୍ବର ମାସ ଭିତରେ ଗୁରୁପାକ ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
 
ତୁଳା :ବର୍ଷ ଆରମ୍ଭରୁ ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ହିଁ ଆପଣଙ୍କୁ ସଫଳ କରାଇବ। ଧୀରେ ଧୀରେ ଆପଣଙ୍କ ପାଖକୁ ଅଲଗା ଅଲଗା କ୍ଷେତ୍ରରୁ ଧନ ଆସିବ। ଜମି କାରବାର, କମିସନି କାରବାର ଓ ବେପାର କରୁଥିବା ବ୍ୟକ୍ତିମାନେ ପ୍ରଚୁର ଲାଭ ପାଇବେ। ତୁଳାରାଶିର କିଛି ମହିଳା ବିୟୁଟି, ଫେସନ୍‌, ଡ୍ରେସ୍‌ ଡିଜାଇନିଂ ଶିଖିବେ ଏବଂ ସୋସିଆଲ୍‌ ମିଡିଆରେ ନୂଆ କିଛି କରିବେ। ଚାକିରିରେ ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହୋଇପାରନ୍ତି। ଫେବ୍ରୁଅ‌ାରି, ଅଗଷ୍ଟ ଓ ଡିସେମ୍ବର ମାସରେ ବାପା ମାଆଙ୍କ ସ୍ବାସ୍ଥ୍ୟ, ଘରର ସୌନ୍ଦର୍ଯ୍ୟକରଣ ଏବଂ ଇଲେକ୍ଟ୍ରିକ୍ କାର୍ କିଣିବାରେ ଖର୍ଚ୍ଚ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଅବିବାହିତମାନେ ପ୍ରେମ ଓ ରୋମାନ୍ସ ‌ପାଇଁ ବଢ଼ିଆ ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଭଲ। ବିଶେଷକରି ଇଂଜିନିୟରିଂ ଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ଯେଉଁମାନଙ୍କର ମଧୁମେହ ଓ ଚକ୍ଷୁରେ ସମସ୍ୟା ଲାଗି ରହିଛି ସେମାନେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
 
ବିଛା :ପରିଶ୍ରମ କରନ୍ତୁ ଏବଂ ଆଗକୁ ବଢ଼ି ପରିବାରର ନାମ ଉଜ୍ଜ୍ବଳ କରନ୍ତୁ। ବର୍ଷର ପ୍ରଥମ ପାଞ୍ଚମାସ ପୁଞ୍ଜି ବଜାରରେ ଲାଭ କମ୍ ମିଳିପାରେ। ବର୍ଷର ଶେଷାର୍ଦ୍ଧରେ ଆପଣଙ୍କର ଆୟ ଲଗାତାର ଭାବରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟ ଓ ବିଦେଶ ମଧ୍ୟ ଯାଇପାରନ୍ତି। ସରକାରୀ ପ୍ରୋଜେକ୍ଟରୁ ଯଥେଷ୍ଟ ଧନଲାଭର ଯୋଗ ଅଛି। ଚାକିରିରେ କରି ଆସୁଥିବା ଭଲ କାମ ପାଇଁ ଆପଣଙ୍କର ପଦୋନ୍ନତି ହେବ କିମ୍ବା ପୁରସ୍କାର ପାଇବେ। ସ୍ବାସ୍ଥ୍ୟ, ରାଜନୀତି, ଆଇନ, ‌ସମାଜସେବା ଓ ଲେଖାଲେଖି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଅବସର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ରହିବ। ସପରିବାର କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ। ଯେଉଁମାନେ ଅନ୍ୟ ଜାତି ବା ସଂପ୍ରଦାୟର ସାଥୀ ସହିତ ପ୍ରେମ କରୁଛନ୍ତି ସେ‌ମାନେ ଏ ବର୍ଷ ଉଭୟ ପରିବାରର ସମ୍ମତିରେ ବିବାହ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ସର୍ବଶ୍ରେଷ୍ଠ। ଜାନୁଅ‌ାରି, ଫେବ୍ରୁଅ‌ାରି, ଅଗଷ୍ଟ ମାସରେ ସଂକ୍ରାମକ ଓ ଚର୍ମରୋଗରେ ପୀଡ଼ିତ ହୋଇପାରନ୍ତି।

ଧନୁ :ବର୍ଷର ପ୍ରଥମ ପାଞ୍ଚମାସ ଅର୍ଥନୈତିକ ମାମଲାରେ ବହୁତ ଭାବିଚିନ୍ତି କାମ କରିବାକୁ ହେବ। ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ବର୍ଷର ଶେଷାର୍ଦ୍ଧରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଠିକାଦାରି ଓ କମିସନି କାରବାର କରୁଥିବା ବ୍ୟକ୍ତିମାନଙ୍କ ଲାଗି ବର୍ଷଟି ଭଲ ରହିବ। ଚାକିରିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ବଦଳିଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି। ପରିବାରରେ କୌଣସି ପ୍ରକାର ବାଦବିବାଦ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ପରିବର୍ତ୍ତିତ ସ୍ବଭାବ ପାଇଁ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ବର୍ଷର ଶେଷ ତିନିମାସରେ ବିବାହଯୋଗ୍ୟ ବ୍ୟକ୍ତିମାନେ ମନ ପସନ୍ଦର ସାଥୀ ସହିତ ସଂସାର ଗଢ଼ିବେ। ଛାତ୍ରଛାତ୍ରୀ ନିଜର ପରିଶ୍ରମ ବଳରେ ପରୀକ୍ଷାରେ ଭଲ କରିବେ। ଯେଉଁମାନଙ୍କର ଗ୍ୟାସ୍‌ଟ୍ରିକ୍, ମଧୁମେହ, ମେରୁଦଣ୍ଡ ଓ ମୂତ୍ରଯନ୍ତ୍ରରେ ସମସ୍ୟା ଅଛି ସେମାନେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
 
ମକର :ଦୃଢ଼ ସଂକଳ୍ପ ଓ ନିରନ୍ତର ପ୍ରୟାସ ଆପଣଙ୍କୁ ଧୀରେ ଧୀରେ ସଫଳତାର ଶିଖର ଆଡ଼କୁ ଆଗେଇ ନେଇଯିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ଯଥେଷ୍ଟ ସଫଳତା ପାଇବେ। ବିଶେଷ କରି ଲୁଗା, ପ୍ରସାଧନ ସାମଗ୍ରୀ, ଟ୍ରାଭେଲ୍‌ ଏଜେନ୍ସି, ହୋଟେଲ ବ୍ୟବସାୟ ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଆୟ ଆଶାକୁ ଟପିଯିବ। ଫେବ୍ରୁଆରିରୁ ମଇ ମାସ ଭିତରେ ଅଫିସ୍‌ରେ ପରିସ୍ଥିତି ଆପଣଙ୍କ ଲାଗି ଟିକେ ଅଲଗା ରହିବ। ଭୁଲ୍ ବାଟରେ ନେଇଯିବା ବ୍ୟକ୍ତିଙ୍କ ପ୍ରତି ସାବଧାନ ରହନ୍ତୁ। ଜୁନ୍‌ ମାସ ବେଳକୁ ଗ୍ରହ ଚଳନ ଦୃଷ୍ଟିରୁ ଭାଗ୍ୟର ସହଯୋଗ ପାଇବେ। ପଦୋନ୍ନତି ସହ ଭଲ ସ୍ଥାନକୁ ବଦଳି ହେବେ। ବୈବାହିକ ଜୀବନ ପ୍ରୀତିକର ହେବ। ପ୍ରେମ ପ୍ରଣୟ ଦୃଷ୍ଟିରୁ ସମୟ ଭଲ। କଲେଜ ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଶୁଭ। କିଛି ଛାତ୍ରଛାତ୍ରୀଙ୍କ ମନରେ ବିଦେଶ ଯାଇ ପଢ଼ିବାର ଇଚ୍ଛା ଜାଗୃତ ହେବ। ସେପ୍‌ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ବଦହଜମି, କଫଜନିତ ରୋଗ ଓ ଫୁସ୍‌ଫୁସ୍‌ରେ ସମସ୍ୟା ଦେଖା ଦେଇପାରେ।
 
କୁମ୍ଭ:ଏବର୍ଷ ଆପଣଙ୍କର ସବୁ ପ୍ରକାର ଅଶାନ୍ତି ସମାପ୍ତ ହୋଇଯିବ। କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ପ୍ରୟାସର ଭଲ ପରିଣାମ ପାଇବେ। ଅପ୍ରେଲ୍‌ ମାସରୁ ଧନଲାଭ ପାଇଁ ଏକାଧିକ ସୁଯୋଗ ଅପେକ୍ଷା କରି ରହିଛି। ବ୍ୟବସାୟରେ ବିଶେଷ ଚୁକ୍ତିପତ୍ର କରିବେ। ଚାକିରିରେ ସଫଳତାର ଯୋଗ ଅଛି। ଲାଗି ରହିଥିବା କୋର୍ଟକଚେରି ମାମଲା ଆପଣଙ୍କ ସପକ୍ଷରେ ଯିବ। ମହିଳାମାନେ ରାଜନୀତି ବା କୌଣସି କଲ୍ୟାଣକାରୀ ଯୋଜନାରେ ଯୋଡ଼ି ହେଇପାରନ୍ତି। ପରିବାରରେ ପ୍ରେମ ଓ ସହାବସ୍ଥାନର ଭାବନା ବଜାୟ ରହିବ। ଜୀବନସାଥୀ ସହିତ ଅନ୍ୟ ରାଜ୍ୟ ଏବଂ ବିଦେଶ ଭ୍ରମଣରେ ମଧ୍ୟ ଯାଇପାରନ୍ତି। ଗତବର୍ଷ ଯେଉଁମାନଙ୍କର ବିବାହ କଥାବାର୍ତ୍ତାରେ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା, ସେମାନେ ଏବର୍ଷ ମନପସନ୍ଦର ଯୋଗ୍ୟ ଜୀବନସାଥୀ ପାଇପାରିବେ। ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସୁଯୋଗ ପାଇବେ। ଯେଉଁମାନଙ୍କର ଗଣ୍ଠିବ୍ୟଥା, ଚକ୍ଷୁରେ ସମସ୍ୟା ଓ ମଧୁମେହ ଅଛି ସେମାନେ ଅପ୍ରେଲ୍‌, ଜୁନ୍‌ ଓ ଅକ୍‌ଟୋବର ମାସରେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
 
ମୀନ :ଏବର୍ଷ ଆପଣଙ୍କୁ ଅନେକ ସୁଯୋଗ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ବର୍ଷର ପ୍ରଥମାର୍ଦ୍ଧରେ ବ୍ୟବସାୟରେ ଭଲଭାବେ ଆଗକୁ ବଢ଼ିବେ। ଯେଉଁମାନେ ହୋଟେଲ, ପ୍ରସାଧନ ଓ ଆମଦାନି ରପ୍ତାନି କାରବାର କରୁଛନ୍ତି ସେମାନେ ଯଥେଷ୍ଟ ଲାଭପାଇବେ। ବର୍ଷର ଶେଷ ତିନିମାସରେ ପୁଞ୍ଜି ବଜାର ଓ ଜମି କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ କଂପାନିରୁ ସାକ୍ଷାତ୍‌କାର ପାଇଁ ଫୋନ୍ ଆସିପାରେ। ଯେଉଁ ଦମ୍ପତିଙ୍କର ବୈବାହିକ ଜୀବନ ଅଶାନ୍ତି ଦେଇ ଗତି କରୁଛି ସେମାନେ ଅଲଗା ଅଲଗା ରହିବେ କିମ୍ବା ଛାଡ଼ପତ୍ର ଦେଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ କୌଣସି କଥାକୁ ନେଇ ମିଛ କହନ୍ତୁ ନାହିଁ। ଅନ୍ୟଥା ଆପଣଙ୍କର ଏହି ମିଛ ପ୍ରେମ ସମ୍ବନ୍ଧକୁ ବିଗାଡ଼ି ପାରେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ତାଜା ଫଳ ଓ ପନିପରିବା ଖାଆନ୍ତୁ। ବର୍ଷର ଶେଷାର୍ଦ୍ଧରେ ସାବଧାନତାର ସହ ଗାଡ଼ି ଚଳାନ୍ତୁ।