ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି ମାମଲା: ଆଗ୍ରାର ସେନା ଯବାନ ଗିରଫ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ୍‌ର ଜେରା

ନୂଆଦିଲ୍ଲୀ: ପାକିସ୍ତାନର ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ଆଗ୍ରାରୁ ଦିଲ୍ଲୀ ପୁଲିସର ଅପରାଧ ଶାଖା ଲାନ୍ସ ନାଏକ ପରମଜିତ୍ କୌରକୁ ଗିରଫ କରି ଜେରା କରୁଥିବା ଜଣାପଡ଼ିଛି। ରାଜସ୍ଥାନର ପୋଖରାନରୁ ସେନା ଘାଟିକୁ ତେଜରାତି ସମାଗ୍ରୀ ଯୋଗାଉଥିବା ହବିବୁର ର‌େହମାନକୁ ପଚରାଉଚରା କରିବାର ଦିନକ ପରେ ପରମଜିତ୍‌କୁ ଗିରଫ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୁଲିସ ହାଜତରେ ୧୦ ଦିନ ରଖି ସେମାନେ ଆଇଏସ୍‌ଆଇକୁ କି କି ତଥ୍ୟ ଦେଇଛନ୍ତି, ସେହି କଥା ସେମାନଙ୍କଠାରୁ ଆଦାୟ କରାଯିବ। ଯେଉଁ ସେନା ଅଫିସର ବା ଯବାନମାନେ ଏ ଦୁଇଜଣଙ୍କ ସଂସ୍ପର୍ଶରେ ଆସୁଥିଲେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର କମିସନର ପୁନିତ ରଞ୍ଜନ କହିଛନ୍ତି ଯେ, ଏମାନଙ୍କ ଗୁପ୍ତଚରଗିରି ତଥା ସେନା ଅଫିସର ଓ ଯବାନଙ୍କ ସମ୍ପର୍କ ବାବଦରେ ଅନେକ ନୂତନ ତଥ୍ୟ ମିଳିସାରିଲାଣି। ପରମଜିତ୍‌ର ଘର ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ।

ଦୁଇବର୍ଷ ତଳେ ପୋଖରାନ ସେନା ଶିବିରରେ ନିଯୁକ୍ତ ଥିବାବେଳେ ସେ ତେଜରାତି ସାମଗ୍ରୀ ଯୋଗାଣକାରୀ ହବିବୁର ରହେମାନ ସଂସ୍ପର୍ଶରେ ଆସିଥିଲା। ତା’ପରେ ପରମଜିତ୍‌କୁ ଆଗ୍ରା କ୍ୟାଣ୍ଟନମେଣ୍ଟକୁ ସେନାର ଅତି ସମ୍ବେଦନଶୀଳ ବିଭାଗର କିରାଣିଭାବେ ବଦଳି କରିଦିଆଗଲା। ସେବେଠାରୁ ସେ ଆଇଏସ୍‌ଆଇ ପାଇଁ ହବିବୁର ର‌େହମାନର ସେନା ତଥ୍ୟ ସଂଗ୍ରହର ଉତ୍ସ ହୋଇଯାଇଛି। ଏଥିପାଇଁ ହବିବୁର ‌ପରମଜିତ୍‌କୁ ୮ ଲକ୍ଷ ଟଙ୍କା ଦେଇଛି। ହବିବୁର ଏହି ତଥ୍ୟକୁ କମଲ ନାମକ ଜଣେ ଲୋକକୁ ଦେଉଥିଲା। ସେହିସବୁ ଦଲିଲ ମଧ୍ୟରୁ କିଛି ବରିଷ୍ଠ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ଅଫିସର ଆଲୋକ କୁମାର ଓ ରାଜେଶ କୁମାର ଜବତ କରିଛନ୍ତି।

ତେବେ ଆଗ୍ରାରେ ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ କେହି ଗିରଫ ହେବା ଘଟଣା ନୂଆ ନୁହେଁ। ପୂର୍ବରୁ ୨୦ ସେପ୍ଟେମ୍ବର ୨୦୨୦ରେ ଜଣେ ସେନା ଯବାନକୁ ଏଥିପାଇଁ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ ଦ୍ବାରା ଗିରଫ କରାଯାଇଥିଲା। ତା’ଠାରୁ ଗୁରୁତ୍ବପୂର୍ଣ୍ଣ ସେନା ତଥ୍ୟ ହାସଲ କରିବା ପାଇଁ ଆଇଏସ୍‌ଆଇ ତାକୁ ପ୍ରେମଜାଲ (ହନିଟ୍ରାପ୍‌)ରେ ଫସାଇଥିଲା।

ସମ୍ବନ୍ଧିତ ଖବର