ଆଣ୍ଟିଲିଆ ବିସ୍ଫୋରକ ମାମଲା : ସଚିନ ଓ୍ବାଜେଙ୍କ ସହଯୋଗୀ କାଜିକୁ ଗିରଫ କଲା ଏନଆଇଏ

ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ସାମଗ୍ରୀ ରଖିବା ଏବଂ ବ୍ୟବସାୟୀ ମନସୁଖ ହିରନ ହତ୍ୟା ମାମଲାରେ ଆଜି ଏନଆଇଏ ଆଉ ଜଣକୁ ଗିରଫ କରିଛି । ସେ ହେଲା ନିଲମ୍ବିତ ସହକାରୀ ପୁଲିସ ଇନ୍ସପେକ୍ଟର ସଚିନ ଓ୍ବାଜେଙ୍କ  ଜଣେ ଘନିଷ୍ଠ ସହଯୋଗୀ ରିଆଜୁଦ୍ଦିନ କାଜି । ତଥ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାକୁ ଏନଆଇଏ ଗିରଫ କରିଛି ।

ତାକୁ ଆଜି କୋର୍ଟରେ ହାଜିର କରି ରିମାଣ୍ଡରେ ନେବାକୁ ଉଦ୍ୟମ କରିବ ଏନଆଇଏ । ଏନଆଇଏକୁ ମିଳିଥିବା ଏକ ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ସେ ଏକ ଗ୍ୟାରେଜକୁ ଯାଇ ଗ୍ୟାରେଜର ଡିଭିଆର (ଡିଜିଟାଲ ଭିଡିଓ ରେକର୍ଡର) ମାଗୁଛି । ପରେ ସଚିନ ଓ୍ବାଜେ ଏହି ଡିଭିଆରକୁ ନଷ୍ଟ କରିଦେଇଥିଲେ । ଏହି ଗ୍ୟାରେଜରେ ହିଁ ସଚିନଙ୍କ ଗାଡ଼ିର ନମ୍ବର ପ୍ଲେଟ ପ୍ରସ୍ତୁତ କରାଯାଇଥିଲା । ଆଣ୍ଟିଲିଆ ବିସ୍ଫୋରକ ଖଞ୍ଜିବା ଘଟଣାରେ ମଧ୍ୟ କାଜିର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି । ଏହି ମାମଲାରେ ସେ ସଚିନ ଓ୍ବାଜେଙ୍କୁ ସହାୟତା କରିଥିଲା ।

ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଏନଆଇଏ କୋର୍ଟ ଓ୍ବାଜେଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ପଠାଇଦେଇଥିଲେ । ଏହି ମାମଲାରେ ମୁମ୍ବାଇର ପୂର୍ବତନ ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମାଙ୍କ ଭୂମିକାକୁ ମଧ୍ୟ ଏନଆଇଏ  ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର