ଇନ୍ଦୋର ଅଗ୍ନିକାଣ୍ଡ ପଛରେ ଅସଫଳ ପ୍ରେମ, ପ୍ରେମିକ ଗିରଫ

ଭୋପାଳ : ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ କୋଠାରେ ନିଆଁ ଲାଗିବା ଯୋଗୁ ଗତକାଲି ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାର ମୁଖ୍ୟ ଅଭିଯୁକ୍ତ ୨୭ ବର୍ଷୀୟ ଶୁଭମ୍ ଦୀକ୍ଷିତ ଓରଫ ସଞ୍ଜୟକୁ ପୁଲିସ ଗିରଫ କରିଛି। ପୁଲିସର କହିବା ଅନୁସାରେ ସଞ୍ଜୟ ସେହି କୋଠାର ଏକ ଫ୍ଲାଟ୍‌ରେ ରହୁଥିବା ଜଣେ ଝିଅକୁ ପ୍ରେମ କରୁଥିଲା। ଝିଅଟି ତା’ର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ ତା’ ଉପରେ ପ୍ରତିଶୋଧ ନେବା ପାଇଁ ସେ ଏପରି କାମ କରିଛି। ସେ ଝିଅକୁ କିଛି ଟଙ୍କା ମଧ୍ୟ ଦେଇଥିଲା। ଝିଅର ଅନ୍ୟତ୍ର ବାହାଘର ଠିକ୍ ହୋଇଯିବାରୁ ସେ ଟଙ୍କା ମାଗି ତା’ ସହ ସବୁଦିନ ଝଗଡ଼ା କରୁଥିଲା।

ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ସଞ୍ଜୟ ଶନିବାର ରାତ୍ରି ୨ଟା ୫୫ରେ ଗୃହ ମଧ୍ୟକୁ ପ୍ରବେଶ କରି ଝିଅଟିର ସ୍କୁଟରରେ କିଛି ଜିନିଷ ଢାଳିଛି। ଏହାପରେ ସ୍କୁଟରଟି ଜଳିଯିବା ସହ ତା’ ପାଖରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ବି ଜଳିଯାଇଛି ଏବଂ ନିଆଁ ଖୁବ୍ ଜୋରରେ ଜଳିଉଠି ଘର ଭିତରକୁ ମାଡ଼ିଯାଇଛି। ଏହି ନିଆଁରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସଞ୍ଜୟ ସେଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ବି ଖରାପ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଲୋହାମଣ୍ଡି ଅଞ୍ଚଳରେ ପୁଲିସ ତାକୁ ଧରିବାକୁ ଚେଷ୍ଟା କଲାବେଳେ ସେ ପଳାଇଯିବାକୁ ଚେଷ୍ଟାକରି ରାସ୍ତାରେ ପଡ଼ିଯାଇ ଆହତ ହୋଇଥିଲା।

ଅଭିଯୁକ୍ତ ସଞ୍ଜୟର ଘର ଉତ୍ତରପ୍ରଦେଶର ଝାନ୍‌ସୀ ଅଞ୍ଚଳରେ। ଝିଅଟି ଗୋଟିଏ ଫେସନ ବୁଟିକ୍‌ରେ କାମ କରେ ଏବଂ ସେ ଉକ୍ତ କୋଠାର ଏକ ଫ୍ଲାଟ୍‌ରେ ନିଜ ମାଆଙ୍କ ସହ ଭଡ଼ାରେ ରହୁଥିଲା। ଅଗ୍ନିକାଣ୍ଡରେ ୭ ଜଣ ଅନ୍ୟ ଭଡ଼ାଟିଆଙ୍କର ମୃତ୍ୟୁ ହୋଇଛି କିନ୍ତୁ ମାଆ ଓ ଝିଅ ରକ୍ଷା ପାଇଯାଇଛନ୍ତି ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର