ଓମିକ୍ରନ ଆତଙ୍କ : ଜରୁରୀ ବୈଠକ ଡକାଇଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନର ଆତଙ୍କ ସାରା ବିଶ୍ବରେ ବଢିଚାଲିଥିବାବେଳେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଗତ କାଲି ନୂଆ ଯାତ୍ରା କଟକଣା ଲଗାଇବା ପରେ ସ୍ଥିତିର ସମୀକ୍ଷା ପାଇଁ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଏହି ବୈଠକରେ ଓମିକ୍ରନ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି ।

ଦିଲ୍ଲୀର ଲୋକନାୟକ ହସପିଟାଲକୁ ଓମିକ୍ରନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଓମିକ୍ରନରେ ଚିହ୍ନଟ ରୋଗୀମାନଙ୍କୁ ଏଠାକୁ ଆଣି ଚିକିତ୍ସା କରାଯିବ । ଅନ୍ୟପକ୍ଷରେ, ଓମିକ୍ରନ ଚିହ୍ନଟ ହୋଇଥିବା ଦେଶଗୁଡ଼ିକରୁ ବିମାନ ସେବା ସଂପୂର୍ଣ୍ଣ ବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ  କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଇତି ମଧ୍ୟରେ ସମଗ୍ର ବିଶ୍ବର ୩୦ ଟି ଦେଶରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇସାରିଲାଣି ।

 

ସମ୍ବନ୍ଧିତ ଖବର