କେରଳ, କର୍ଣ୍ଣାଟକରେ ଲୁଚିଛନ୍ତି ୨୦୦ ଆଇସିସ ଆତଙ୍କବାଦୀ : ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ : ଦକ୍ଷିଣ-ଭାରତୀୟ ରାଜ୍ୟ କେରଳ ଓ କର୍ଣ୍ଣାଟକରେ ଏକ ବଡ଼ ସଂଖ୍ୟାରେ ଆଇସିସ ଓ ଅଲକାଇଦା ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଏକ ଜାତିସଂଘ ରିପୋର୍ଟରେ କୁହାଯାଇଛି ।
ଜାତିସଂଘ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଉପମହାଦେଶରେ ଅଲକାଇଦା (ଏକ୍ୟୁଆଇଏସ) ସଂଗଠନରେ ଭାରତ, ପାକିସ୍ତାନ, ବାଂଲାଦେଶ,ମିଆଁମାରରେ ପ୍ରାୟ ୧୫୦ରୁ ୨୦୦ ଆତଙ୍କବାଦୀ ଅଛନ୍ତି । ସେମାନେ ଏସବୁ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ।
ଆଫଗାନିସ୍ତାନର କାନ୍ଦାହାର ରାଜ୍ୟ ସ୍ଥିତ ନିମରୁଜରୁ ଏହି ସଂଗଠନର ପରିଚାଳନା କରାଯାଉଛି । ଏହି ସଂଗଠନର ମୁଖ୍ୟ ହେଉଛି ଓସାମା ମେହମୁଦ ଯିଏକି କୁଖ୍ୟାତ ଆତଙ୍କବାଦୀ ଅସିମ କମରର ମୃତ୍ୟୁପରେ କମାଣ୍ଡର ନିଯୁକ୍ତ ହୋଇଛି ।
ଅନ୍ୟପକ୍ଷରେ ଭାରତରେ ଆଇଏସର ଶାଖା କୁହାଯାଉଥିବା ହିନ୍ଦ ଓ୍ଵିଲାୟାର ପ୍ରାୟ ୧୮୦ରୁ ୨୦୦ ଆତଙ୍କବାଦୀ ଭାରତରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଅଛନ୍ତି ।
ଗତବର୍ଷ ଆଇସିସ ପକ୍ଷରୁ ନିଜର ଭାରତୀୟ ଶାଖା ଖୋଲାଯିବା ସଂପର୍କରେ ଘୋଷଣା କରାଯାଇଥିଲା । କଶ୍ମୀରରେ ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନର ବିରୋଧ କରି ସଂଗ୍ରାମ କରିବାକୁ ଏହି ସଂଗଠନ କାମ କରିବ ବୋଲି ଘୋଷଣା କରାଯାଇଥିଲା । ଏହି ଶାଖାର ନାଁ ହିନ୍ଦ ଓ୍ଵିଲାୟା ବୋଲି ଘୋଷଣା କରାଯାଇଥିଲା । ତେବେ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲା ।

ସମ୍ବନ୍ଧିତ ଖବର