କେରଳ ସିପିଏମ୍‌ ମୁଖ୍ୟଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଥିରୁବନନ୍ତପୁରମ୍‌: କେରଳ ସିପିଏମ୍‌ ମୁଖ୍ୟ କୋଦିରେୟି ବାଲକ୍ରୀଷ୍ଣନ୍‌ଙ୍କ ପୁଅ ବିନୟ କୋଦିରେୟିଙ୍କ ବିରୋଧରେ ଆଜି ମୁମ୍ବାଇ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ବିହାରର ଜଣେ ୩୩ ବର୍ଷୀୟା ମହିଳାଙ୍କ ଅଭି‌ଯୋଗକ୍ରମେ ବିନୟ କୋଦିରେୟିଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଠକେଇ ମାମଲା ରୁଜୁ ହୋଇଛି। ବିନୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଏହି ମହିଳା ଜଣେ ପୂର୍ବତନ ବାର୍‌ ଡ୍ୟାନ୍ସର। ମହିଳାଙ୍କ ଅଭିଯୋଗ ଅନୁଯାୟୀ ବିନୟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରି ଆସିଛନ୍ତି। ଅନ୍ୟପକ୍ଷେ ବିନୟ ଉକ୍ତ ମହିଳାଙ୍କୁ ଜାଣିଥିବା ସ୍ବୀକାର କରିଛନ୍ତି କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଭିତ୍ତିହୀନ ‌ବୋଲି କହିଛନ୍ତି। ମହିଳା ଜଣଙ୍କ ତାଙ୍କୁ ୫ କୋଟି ଟଙ୍କା ମାଗି ବ୍ଲାକମେଲ୍‌ କରିଥିଲେ ବୋଲି ସେ ମହିଳାଙ୍କ ବିରୋଧରେ କନ୍ନୁର ପୁଲିସ ଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏହି ଅଭିଯୋଗକୁ କନ୍ନୁର ଏସ୍‌ପିଙ୍କୁ ପଠାଯାଇଥିଲା। କିନ୍ତୁ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ କହିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ବିନୟଙ୍କ ବିରୋଧରେ ଆଇପିସିର ଧାରା ୪୨୦ ଏବଂ ୩୭୬ ଅଧୀନରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର