ଜରୁରୀ ପରିସ୍ଥିତି ଘୋଷଣା ପରେ ମାଳଦୀପ୍‌ ଅଶାନ୍ତ; ମାଳଦୀପ୍‌ ନଯିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦେଲା ବୈଦେଶିକ ମନ୍ତ୍ରାଳୟ

ମାଳଦୀପ୍‌: ମାଳଦୀପ୍‌ରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଏବେ ଚରମ ରୂପ ନେଇଛି। ମାଳଦୀପ୍‌ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ଗତ ରାତିରେ ୧୫ ଦିନ ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଦେବା ପରେ ପରିସ୍ଥିତି ଏବେ ଆହୁରି ଉତ୍କଟ ହୋଇପଡ଼ିଛି।
କାଲି ରାତିରେ ଜରୁରୀ ପରିସ୍ଥିତି ଘୋଷଣା କରାଯିବା ପରେ ଆଜି ସକାଳୁ ମାଳଦୀପ୍‌ ସେନା ଓ ପୋଲିସ୍‌ ମୁଖ୍ୟ ବିଚାରପତି ଅବଦୁଲ୍ଲା ସୟିଦ୍‌ଙ୍କ ସମେତ ଅନ୍ୟତମ ବିଚାରପତି ଅଲ୍ଲୀ ହମିଦ୍‌ଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ବିରୋଧୀ ରାଜନେତିକ ନେତାମାନଙ୍କୁ ଜେଲ୍‌ରେ ବନ୍ଦୀ କରି ରଖିଥିଲେ। ତେବେ ଜେଲ୍‌ରେ ବନ୍ଦୀ ଥିବା ରାଜନୈତିକ ନେତାମାନଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟ ବିଚାରପତି ଅବଦୁଲ୍ଲା ସୟିଦ୍‌ ନିର୍ଦ୍ଦେଶ ଦେବାପରେ, ଏହାକୁ ବିରୋଧ କରି ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ।

ଅବଦୁଲ୍ଲା ୟମିନ୍‌ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ପରେ ସେନା ବାହିନୀ ଦେଶର ଶାସନ ଭାର ହାତକୁ ନେଇଯିବା ସହ ଦେଶର ସଂସଦକୁ ସିଲ୍‌ କରିଦେବା ସହ ସାଂସଦମାନଙ୍କୁ ଗିରଫ କରିନେଇଥିଲେ। ଏହି କ୍ରମରେ ସେନା ବାହିନୀ ହାତରେ ଦେଶର ପୂର୍ବତନ ରାଷ୍ଟ୍ରପତି ମୌମୁନ୍‌ ବବଦୁଲ୍‌ ଗାୟୁମ୍‌ ମଧ୍ୟ ଗିରଫ ହୋଇଛନ୍ତି। ବିରୋଧୀ ରାଜନୈତିକ ନେତାମାନଙ୍କୁ ଗିରଫ କରି ଜେଲ୍‌ରେ ବନ୍ଦୀ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।

ବର୍ତ୍ତମାନ ପାଇଁ ମାଳଦୀପ୍‌ ନଯିବାକୁ ଭାରତୀୟମାନଙ୍କୁ ମନାକଲା ବୈଦେଶିକ ମନ୍ତ୍ରାଳୟ

ଏପ୍ରକାର ସ୍ଥିତିରେ ଏବେ ମଳଦୀପ୍‌ରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବା ପରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ମାଳଦୀପ୍‌ ନଯିବା ପାଇଁ ଭାରତୀୟମାନଙ୍କୁ ପରାମର୍ଶ ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ। ମାଳଦୀପ୍‌ ଏକ ବେଶ ମନୋରମ ପର୍ଯ୍ୟଟନସ୍ଥଳ। ବିଶ୍ୱର ୧୧ଟି ଶସ୍ତା ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି ମାଳଦୀପ୍‌। ପୁଣି ସେଠାକୁ ଯିବାକୁ ଭାରତୀୟମାନଙ୍କ ପାଇଁ ଭିସାର ପ୍ରୟୋଜନ ନଥାଏ। ସେଥିପାଇଁ ମାଲଦୀପ୍‌ରେ ସବୁବେଳେ ବହୁସଂଖ୍ୟାରେ ଭାରତୀୟ ପର୍ଯ୍ୟଟକମାନେ ଦେଖିବାକୁ ମିଳିଥାଆନ୍ତି। ତେଣୁ, ବର୍ତ୍ତମାନର ସେଠାକାର ଅଶାନ୍ତ ରାଜନୈତିକ ପରିସ୍ଥିତି ଓ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟରେ ରଖି ଭାରତୀୟମାନଙ୍କୁ ବର୍ତ୍ତମାନ ପାଇଁ ମାଳଦୀପ୍‌ ଗସ୍ତରୁ ବିରତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବୀଶ୍‌ କୁମାର। ତେବେ, ଯେଉଁ ଭାରତୀୟମାନେ ଏବେ ସେଠାରେ ରହି ଯାଇଛନ୍ତି ସେମାନେ ବର୍ତ୍ତମାନ ପାଇଁ ପଦାକୁ ନବାହାରି ନିଜର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବୀଶ୍‌ କୁମାର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର