ଜାନୁଆରି ଶେଷସୁଦ୍ଧା ଶୀର୍ଷ ଛୁଇଁବ ୩ୟ ଲହର, ମାର୍ଚ୍ଚ ସୁଦ୍ଧା ଦ୍ରୁତ ହ୍ରାସ ପାଇବ : ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୩ୟ ଲହର ଆରମ୍ଭ ହୋଇଯାଇଛି । ମାତ୍ର କିଛି ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ଟପିଯାଇଛି । ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ବାଲ କହିଛନ୍ତି ଯେ ଚଳିତ ମାସରେ ସଂକ୍ରମଣ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ ଓ ମାସ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଏପରିକି ୩ୟ ଲହରର ସଂକ୍ରମଣ ସ୍ତର ୨ୟ ଲହରକୁ ଟପିଯିବ ।

କିନ୍ତୁ ଯେଉଁ ଦ୍ରୁତ ଗତିରେ ସଂକ୍ରମଣ ବଢି ଶୀର୍ଷକୁ ଛୁଇଁବ ସେହି ଗତିରେ ସଂକ୍ରମଣ କମିବା ଆରମ୍ଭ କରିବ ଓ  ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ୩ୟ ଲହର ଶେଷ ହୋଇଯାଇଥିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଏବେ ପ୍ରାୟ ୨୨ ହଜାର ଦୈନିକ ସଂକ୍ରମଣ ଚିହ୍ନଟ ହେଉଥିବାବେଳେ ଜାନୁଆରି ମଧ୍ୟ ସୁଦ୍ଧା ତାହା ଦୈନିକ ୪୦ ହଜାରରେ ପହଞ୍ଚିବ । ସେହିପରି ମୁମ୍ବାଇ ଓ କୋଲକାତାରେ ବି ଚଳିତ ମାସରେ ସଂକ୍ରମଣ ଶୀର୍ଷ ଛୁଇଁବ, କିନ୍ତୁ ମାସ ଶେଷ ବେଳକୁ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଥିବ ।

ନିର୍ବାଚନ ସଭା ଯୋଗୁଁ ସଂକ୍ରମଣ ବଢିବ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କେବଳ ନିର୍ବାଚନ ଯୋଗୁଁ ସଂକ୍ରମଣ ବଢିବା କଥା ସତ ନୁହେଁ । ସଂକ୍ରମଣ ବଢିବାର ଏହା ଏକ କାରଣ, କିନ୍ତୁ ଏକମାତ୍ର କାରଣ ନୁହେଁ । ନିର୍ବାଚନ ବନ୍ଦ କରିଦେଲେ ସଂକ୍ରମଣ ବଢିବା ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର