ଜେଏନ୍‌ୟୁ ହିଂସାକାଣ୍ଡ : ଭୟ ଓ ଆଶଙ୍କାରେ ଓଡ଼ିଆ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଜବହାରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ହିଂସାକାଣ୍ଡ ପରେ ସେଠାରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଭୟ ଓ ଆଶଙ୍କା ମଧ୍ୟଦେଇ ଗତି କରୁଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଛାତ୍ରଛାତ୍ରୀ ଦିଲ୍ଲୀଠାରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ଓଡ଼ିଶା ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏଥିସହିତ, ଛାତ୍ରଛାତ୍ରୀ ଏବଂ ‌ଓଡ଼ିଆ ଅଧ୍ୟାପକମାନେ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।

ବର୍ତ୍ତମାନ ଜେଏନୟୁ ରେ ପାଖାପାଖି ୩ ଶହରୁ ଉର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନେ ବିଶ୍ବବିଦ୍ୟାଳୟର ୧୭ଟି ଛାତ୍ରାବାସରେ ରହୁଛନ୍ତି। ଗତକାଲି ସନ୍ଧ୍ୟାରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ‌କ୍ୟାମ୍ପସ୍‌ ଭିତରେ ପ୍ରବେଶ କରି ଯେଉଁଭଳି ଭାବେ ହିଂସାକାଣ୍ଡ ଘଟାଇଲେ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କେତେବେଳେ କ’ଣ ଘଟିବ, ତାହାକୁ ନେଇ ମଧ୍ୟ ଆଶଙ୍କା ମଧ୍ୟଦେଇ କାଳାତିପାତ କରୁଛନ୍ତି। ଏହା ସତ୍ତ୍ବେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ଜେଏନୟୁ ଛାତ୍ରସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ପିଏଚଡି ଛାତ୍ର ରାମ ନାଗଙ୍କ କହିବା ଅନୁସାରେ, କ୍ୟାମ୍ପସ୍‌ରେ ଯାହା କିଛି ହେଉଛି ତାହା ଆଦୌ ଶୁଭଙ୍କର ନୁହେଁ। ହିଂସାତ୍ମକ ଘଟଣାକୁ ନିନ୍ଦା କରାଯିବା ଦରକାର। ଅନ୍ୟ ଜଣେ ପିଏଚ୍‌ଡି ଛାତ୍ର ତଥା ନିକଟରେ ବାପସା ଦଳ ପକ୍ଷରୁ ଜେଏନୟୁ ନିର୍ବାଚନରେ ସଭାପତି ପଦରେ ଲଢ଼ି ହାରି ଯାଇଥିବା ଛାତ୍ର ଜିତେନ୍ଦ୍ର ସୁନା କହିଛନ୍ତି ଯେ, ଛାତ୍ରାବାସାରେ ଯେଉଁଭଳି ଘଟଣା ଘଟିଛି ସେଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ହେବା ଦରକାର। ଜେଏନ୍‌ୟୁ ରେ ଶାନ୍ତିଶୃଙ୍ଖଳାର ବାତାବରଣରେ ଫେରାଇ ଆଣିବା ସମସ୍ତ ପାଇଁ ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି।

ଅନ୍ୟ କିଛି ଛାତ୍ରଛାତ୍ରୀମାନେ ସେମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନାମ ନ ପ୍ରକାଶ କରି ନ୍ୟାୟ ଦାବିରେ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି କହିଛିନ୍ତି। ଭବିଷ୍ୟତରେ ଏଭଳି ଘଟଣା ଯେଭଳି କ୍ୟାମ୍ପସ୍‌ରେ ନଘଟେ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ, ସେ ନେଇ ଜେଏନୟୁ ପ୍ରଶାସନକୁ ମଧ୍ୟ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ଓଡ଼ିଆ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ, ଜେଏନୟୁରେ ଗତ କାଲି ସନ୍ଧ୍ୟାରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଜେଏନୟୁର ଆଦିକବି ଶାରଳା ଦାଶ ଚେୟାର ପ୍ରାଧ୍ୟାପକ ଡଃ ଉଦୟ ନାଥ ସାହୁ କହିଛନ୍ତି ଯେ, କ୍ୟାମ୍ପସରେ ହିଂସାତ୍ମକ ବାତାବରଣ ସୃଷ୍ଟି କରାନଯାଇ ଶାନ୍ତିଶୃଙ୍ଖଳା ଭାବେ ଆଚରଣ ପ୍ରଦର୍ଶନ କରାଯିବା ଦରକାର।

ପ୍ରକାଶଥାଉକି, ଜେଏନୟୁ ଫି’ ବୃଦ୍ଧିକୁ ନେଇ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜେଏନ୍‌ୟୁରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌‌ରେ ଥିବା ଭିନ୍ନ ଭିନ୍ନ ବିଚାରଧାରାର (ଏବିଭିପି, ବାମପନ୍ଥୀ, ବାପସା, ଆଇସା, ଏଏସୟୁଆଇ) ଗୋଷ୍ଠୀ ସହିତ ସାମିଲ ଅଛନ୍ତି ତଥା ଜେଏନୟୁ ଛାତ୍ର ସଂସଦର ନିର୍ବାଚନରେ ମଧ୍ୟ ସକ୍ରିୟ ଭାବେ ଭାଗ ନେଇଛନ୍ତି। ହେଲେ, କ୍ୟାମ୍ପସରେ ଦିନକୁ ଦିନ ଯେଭଳି ସ୍ଥିତି ଉପୁଜୁଛି, ତାହା ତାଙ୍କର କ୍ୟାରିୟରରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର