ଟେଲିଭିଜନ ବିତର୍କ ବେଳେ ଭାବିଚିନ୍ତି କଥା କୁହ : ମୁଖପାତ୍ରମାନଙ୍କୁ ବିଜେପିର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିଜେପିର ଦୁଇ ମୁଖପାତ୍ରଙ୍କ ଦ୍ବାରା ଇସଲାମ୍ ବିରୋଧୀ ମନ୍ତବ୍ୟକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ବିବାଦ ସୃଷ୍ଟି ହେବା ପରେ ଦଳର ଦିଲ୍ଲୀ ୟୁନିଟ ପକ୍ଷରୁ ନିଜ ମୁଖପାତ୍ରମାନଙ୍କୁ କେତେକ ପରାମର୍ଶ ଜାରି କରାଯାଇଛି । ଟେଲିଭିଜନ ବିତର୍କ ବେଳେ ସଂଜତ ହେବା ସହ କିଛି କହିବା ପୂର୍ବରୁ ଚିନ୍ତା କରିବାକୁ ଓ  ସୀମା ଉଲ୍ଲଙ୍ଘନ ନ କରିବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସହିତ ନରେନ୍ଦ୍ର ମୋଦୀ ସରକାରଙ୍କ ୮ ବର୍ଷର ସଫଳତା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ରବିବାରଦିନ ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।

ନୂପୁର ଓ ନବୀନଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ଆରବ ଦେଶ ଓ ଅନ୍ୟ ମୁସଲିମ ଦେଶଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି  । ଗତକାଲି କାତାର ଓ କୁଏତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଥିଲା । ଅନ୍ୟପକ୍ଷରେ ନୂପୁରଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ବିରୋଧରେ ସାଉଦି ଆରବ ଓ ୟୁଏଇରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଲୋକମାନେ ବିଭିନ୍ନ ସୁପରମାର୍କେଟରେ ଥିବା ଭାରତୀୟ ଉତ୍ପାଦର ବହିଷ୍କାର କରିଛନ୍ତି ।

 

 

ସମ୍ବନ୍ଧିତ ଖବର