ତାଲିବାନ ଶିବିର ଉପରେ ଆଫଗାନ ସେନାର ଘନ ଘନ ବିମାନ ଆକ୍ରମଣ

କାବୁଲ : ଆଫଗାନିସ୍ତାନକୁ ଅଧିକାର କରିବାକୁ ତାଲିବାନର ଉଦ୍ୟମ ଜାରି ରହିଛି । ତେବେ ତାଲିବାନର ଏହି ଅଭିଯାନ ଆଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି ଆଫଗାନ ସେନା । ସେନା ପକ୍ଷରୁ ତାଲିବାନର ବିଭିନ୍ନ ଠିକଣା ଉପରେ ପ୍ରବଳ ବିମାନ ଆକ୍ରମଣ କରାଯାଉଛି । ଏହା ଫଳରେ ତାଲିବାନ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ।

ଆଫଗାନ ସେନା ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ଆକ୍ରମଣ କରାଯାଇଛି । ବିଶେଷକରି ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନରେ ଥିବା ହେଲମଣ୍ଡ ରାଜ୍ୟର ରାଜଧାନୀ ଲସକର ଗା’ ସହର ଉପରେ ପ୍ରବଳ ବୋମାମାଡ଼ କରାଯାଇଛି । ଏହି ସହରର ଏକ ବଡ଼ ଅଂଚଳକୁ ତାଲିବାନ ଅଧିକାର କରିସାରିଥିବାରୁ ତାହାକୁ ମୁକ୍ତ କରିବାକୁ ଏହି ବୋମା ମାଡ଼ କରାଯାଇଛି । ସହରର ରେଡ଼ିଓ ଓ ଟେଲିଭିଜନ କେନ୍ଦ୍ର ତାଲିବାନ କବଜାରେ ଥିବାରୁ ଏସବୁ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରାଯାଇଛି ।  ଅନ୍ୟପକ୍ଷରେ ଉତ୍ତର ଆଫଗାନିସ୍ତାନର ସର-ଏ-ପୁଲ ସହରକୁ ତାଲିବାନ ଅଧିକାର କରିନେଇଛି ।

ଗତ ଏପ୍ରିଲ ମାସରୁ ଆମେରିକୀୟ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବା ପରେ ତାଲିବାନ ଆଫଗାନିସ୍ତାନର ଅଧିକାଂଶ ରାଜ୍ୟକୁ ଅଧିକାର କରି ନେଇଛି । ତେବେ କାବୁଲ ଏବେ ବି ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।

ସମ୍ବନ୍ଧିତ ଖବର