ନବାବ ମଲିକଙ୍କ ବିରୋଧରେ ୧.୨୫ କୋଟି ଟଙ୍କାର ମାନହାନି ମାମଲା ଆଗତ କଲେ ସମୀର ୱାଙ୍ଖେଡେଙ୍କ ପିତା

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ପିତା ଧ୍ୟାନନ୍ଦେଭ କାଚରୁଜୀ ୱାଙ୍ଖେଡେ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୋମବାର ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

୧.୨୫କୋଟି ଟଙ୍କାର କ୍ଷତିପୂରଣ ମାଗି ଏନସିବି ଅଧିକାରୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍‌ସ-ଅନ୍‌-କ୍ରୁଜ୍‌ ମାମଲାରେ ଅନୁସନ୍ଧାନର ନେତୃତ୍ୱ ନେଉଥିବା ୱାଙ୍ଖେଡେଙ୍କ ବିରୋଧରେ ମଲିକଙ୍କ ବ୍ୟକ୍ତିଗତ ମନ୍ତବ୍ୟ ଅପୂରଣୀୟ କ୍ଷତି ଘଟାଇବା ସହ ତାଙ୍କ ପରିବାର ସଦସ୍ୟଙ୍କ ନାମ, ଚରିତ୍ର, ପ୍ରତିଷ୍ଠା ଏବଂ ସାମାଜିକ ଭାବମୂର୍ତ୍ତିକୁ କଳଙ୍କିତ କରିଛି।

ୱାଙ୍ଖେଡେଙ୍କ ଓକିଲ ଅରଶଦ ଶେଖ କହିଛନ୍ତି ଯେ ମଲିକ ୱାଙ୍ଖେଡେ ପରିବାରକୁ ଠକେଇ ଏବଂ ସେମାନଙ୍କର ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ କରୁଛନ୍ତି। ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଲିକ ସମସ୍ତଙ୍କୁ (ୱାଙ୍ଖେଡେ ପରିବାରରେ) ଏକ ଠକ ବୋଲି କହୁଛନ୍ତି। ତେଣୁ, ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶନ, ଲେଖିବା କିମ୍ବା କହିବାରୁ ମଲିକଙ୍କୁ ନିବୃତ୍ତ କରିବା ପାଇଁ ଏକ ସ୍ଥାୟୀ ଆଦେଶ ମାଗିଛନ୍ତି। ପ୍ରେସ୍‌ ବିଜ୍ଞପ୍ତି କିମ୍ବା ସାକ୍ଷାତକାର କିମ୍ବା ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଏନସିବି ଅଧିକାରୀ ଏବଂ ତାଙ୍କ ପରିବାର ବିରୋଧରେ ମଲିକଙ୍କ ମନ୍ତବ୍ୟକୁ କଠୋର ଏବଂ ଅପମାନଜନକ ବୋଲି ଘୋଷଣା କରିବାକୁ ସେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଲାଞ୍ଚ ଏବଂ ଦାଦାବଟି ଆଦାୟ ସମେତ ଅନେକ ଅଭିଯୋଗର ସମ୍ମୁଖୀନ ହେଉଥିବା ସମୀରଙ୍କୁ ଶୁକ୍ରବାର ଦିନ କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ ପଦରୁ ହଟାଇ ଦିଆଯାଇଛି। ତେବେ ସେ ନିଶା ନିବାରଣ ଏଜେନ୍‌ସିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଏବଂ ଏହି ମାମଲାର ତଦନ୍ତ ଏନସିବିର ମୁମ୍ବାଇ ୟୁନିଟରୁ ଦିଲ୍ଲୀ ଶାଖାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର