ବବି ମହାନ୍ତି ଅନରାରି କନ୍‌ସୁଲ୍‌ ନିଯୁକ୍ତ

ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗୀ ବବି ମହାନ୍ତିଙ୍କୁ ମୁମ୍ବାଇରେ ମାଳଦୀପର ଅନରାରି କନସୁଲ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦରେ ଅବସ୍ଥାପିତ ହେବ‌ାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଚଳିତ ମାସ ୩ରେ ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ସେ ଏହି ପଦରେ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ରହିବେ। ଗତ ଦୁଇ ବର୍ଷ ମଧ୍ୟରେ ଭାରତ ଓ ମାଳଦୀପ ସମ୍ପର୍କରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ବେଳେ ଅନେକ କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ଭାରତ ଚାହୁଛି। ସେହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ଗୁରୁତ୍ବ ବହନ କରୁଛି।
ଏହି ନୂତନ ନିଯୁକ୍ତି ସମ୍ପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଭାରତ ଓ ମାଳଦୀପ ମଧ୍ୟରେ ସହଯୋଗିତାର ଏକ ନୂତନ ଯୁଗର ଅଭ୍ୟୁଦୟ ଲାଗି ମୁଁ କାର୍ଯ୍ୟ କରିବି। ଦ୍ବିପାକ୍ଷିକ ସମ୍ପର୍କକୁ ବଢ଼ାଇବା ଏବଂ ଭିତ୍ତିଭୂମି, ଗମନାଗମନ ଓ ପର୍ଯ୍ୟଟନ, ସାମୁଦ୍ରିକ, ମେଡିକାଲ ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ ସେବା, ପ୍ରତିରକ୍ଷା, ପ୍ରଯୁକ୍ତି ଓ ଉଦୀୟମାନ ବ୍ୟବସାୟ ଆଦିରେ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ଏବଂ ଦିଲ୍ଲୀ, ମୁମ୍ବାଇ, ଓଡ଼ିଶା ଓ ମାଳଦୀପ ଭିତରେ ଥିବା ବ୍ୟବସାୟ ଓ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେତୁ ଭଳି କାର୍ଯ୍ୟ କରିବି ବୋଲି ସେ କହିଛନ୍ତି। ଶ୍ରୀ ମହାନ୍ତି ରେଭେନ୍ସା ମହାବିଦ୍ୟାଳୟ ଛାତ୍ର ସଂସଦର ଯୁଗ୍ମ ସମ୍ପାଦକ ଥିଲେ। ଆଇଆଇଟି ଧାନବାଦରୁ ପାଠ ପଢ଼ିବା ସହ ସେଲ୍‌ରୁ ସେ ନିଜର ପେସାଦାର ଜୀବନ ଆରମ୍ଭ କରିଥିଲେ। ଓଡ଼ିଶା ସମେତ ସମଗ୍ର ଦେଶରେ ରାଜନୈତିକ ବ୍ୟକ୍ତି ଓ ଶିଳ୍ପପତିମାନଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଛି। ସେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍‌ର ସଭ୍ୟ ଥିବା ବେଳେ କଟକ କ୍ଲବ୍ ଏବଂ ଓସିଏ କ୍ଲବ୍‌ର ସଭ୍ୟ ମଧ୍ୟ ଅଛନ୍ତି। ସେ ବବି ମହାନ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଟ୍ରଷ୍ଟି ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର